ସମ୍ବଲପୁର : ସମ୍ବଲପୁର ଧନୁପାଲି ଥାନା ଅଧୀନ ସୁନାପାଲି ଓ ମୋତିଝରଣ ଅଞ୍ଚଳରେ ଗୋହତ୍ୟା ହେଉଥିଲା। ଏ ନେଇ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ଧନୁପାଲି ପୁଲିସ ଗୁରୁବାର ୩ଟି ସ୍ଥାନରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ପୁଲିସ ମୋଟ ଉପରେ ୬୮ କେଜି ଗୋମାଂସ ଜବତ କରିଥିଲା। ଏହା ସହିତ ୩୨ଟି ଗାଈଙ୍କୁ ପୁଲିସ ଉଦ୍ଧାର କରିଛି। ଗୋହତ୍ୟା କରୁଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ ମଧ୍ୟ କରିଛି। ଅନ୍ୟପଟେ ଏଥିରେ ଆଉ କାହାର ହାତ ରହିଛି ସେ ନେଇ ତଦନ୍ତ ଜାରି ରହିଥିବା ପୁଲିସ ପକ୍ଷରୁ କହାଯାଇଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ ସୁନାପାଲି ଓ ମୋତିଝରଣରେ ଗୋହତ୍ୟା ଓ ବେଆଇନ୍ ଭାବେ ଗୋମାଂସ ବିକ୍ରି କରାଯାଉଥିବା ନେଇ ସୂଚନା ପାଇବା ପରେ, ଧନୁପାଲି ପୁଲିସ ୩ଟି ସ୍ଥାନରେ ଚଢ଼ଉ କରିଥିଲା। ପ୍ରଥମ ସ୍ଥାନରେ ପୁଲିସ ମୋତିଝିରାର ସରିଫ ଖାନ୍(୩୦)କୁ ଗିରଫ କରିବା ସହ ୫ଟି ଗାଈ, ୧୫ କେଜି ଗୋମାଂସ, ଗୋଟିଏ ଲୁହା ଚପର୍ ଏବଂ ଗୋଟିଏ ମାଂସ କଟା କାଠ ଗଣ୍ଡି ଉଦ୍ଧାର କରିଥିଲା। ଦ୍ବିତୀୟ ସ୍ଥାନରେ ପୁଲିସ ସୁନାପାଲିର ମହମ୍ମଦ ଅରବାଜ୍ ଓରଫ୍ ବାଦଶାହ(୨୧) ଓ କମଲାପଡ଼ାର ଅଖିଳ କୁମ୍ଭାର(୪୫)କୁ ଗିରଫ କରିବା ସହ ୧୧ଟି ଗାଈ, ୩୮ କେଜି ଗୋମାଂସ, ୨ଟି ଲୁହା ଚପର୍ ଏବଂ ଗୋଟିଏ ମାଂସ କଟା କାଠ ଗଣ୍ଡି ଉଦ୍ଧାର କରିଥିଲା। ସେଭଳି ତୃତୀୟ ସ୍ଥାନରେ ପୁଲିସ ସୁନାପାଲିର ମହମ୍ମଦ ମୌସିନ୍ ଓର୍ଫ ବାବୁ(୨୪) ଏବଂ ସଦର ଥାନା ଅଧୀନ ସିନ୍ଦୂରପଙ୍କ ଅଞ୍ଚଳର ନୂଆଖାଉ ଝରିଆ(୫୫)କୁ ଗିରଫ କରିବା ସହ ୧୬ଟି ଗାଈ, ୧୫ କେଜି ଗୋମାଂସ, ଗୋଟିଏ ଫ୍ରିଜ୍ ଓ ଗୋଟିଏ ଓଜନ ମାପକ ଯନ୍ତ୍ର ଜବତ କରିଛି। ଧନୁପାଲି ପୁଲିସ ୩ଟି ଭିନ୍ନ ଭିନ୍ନ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମହମ୍ମଦ ମୌସିନ୍ ଓ ସରିଫ ଖାନ୍ ନାଁରେ ପୂର୍ବରୁ ଧନୁପାଲି ଥାନାରେ ମାମଲା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/481c693b-0b3b-4d58-80f8-48a0810f8a22.jpg)