ଅତାବିରା: ସମ୍ବଲପୁର ପଟୁ ଅତାବିରା ଅଭିମୁଖେ ଯାଉଥିବା ଏକ ବାଇକ (ଓଆର୍ ୧୭ଏ-୯୮୧୭) ଓ ଏକ ସ୍କୁଟି (ଓଡି ୧୫ଇ-୬୦୩୫)ରୁ ରବିବାର ବଜରଙ୍ଗ ଦଳ କର୍ମୀମାନେ ଗୋ-ମାଂସ ଜବତ କରି ପୁଲିସ୍ ଜିମା ଦେଇଛନ୍ତି। ବାଇକ୍ ଚାଳକ ଫେରାର୍ ମାରିଥିବା ବେଳେ ସ୍କୁଟି ଚାଳକକୁ କାବୁ କରି ଥାନାରେ ଜିମା ଦେଇଥିଲେ। ଗିରଫ ସ୍କୁଟି ଚାଳକ ଜଣକୁ ସମ୍ବଲପୁର ମୋତିଝରଣର ସେଖ୍ ସନୱାଜ (୩୫) ବୋଲି ଜଣାପଡ଼ିଛି। ବଜରଙ୍ଗ ଦଳର ରେଙ୍ଗାଲି କ୍ୟାମ୍ପ୍ ନିବାସୀ ପ୍ରଭାସ ମଲ୍ଲିକ ଅତାବିରା ବିଏସ୍ଏନ୍ଏଲ୍ ଛକରେ ସାଥୀଙ୍କ ସହ ଥିବା ବେଳେ ସମ୍ବଲପୁର ପଟୁ ବରଗଡ଼ ଆଡ଼କୁ ଗୋ-ମାଂସ ଚାଳାଣ ହେଉଥିବା ଖବର ପାଇ ଜଗି ରହିଥିଲେ।
ଉପରୋକ୍ତ ଦୁଇଟି ଗାଡ଼ି ଗଲା ପରେ ବଜରଙ୍ଗ ଦଳ ସଦସ୍ୟମାନେ ତା’ର ପିଛା କରିଥିଲେ। ସ୍ଥାନୀୟ କାନାରା ବ୍ୟାଙ୍କ ସମ୍ମୁଖରେ ବାଇକ୍କୁ ଛାଡ଼ି ଆସାମୀ ଫେରାର୍ ମାରିଥିବା ବେଳେ ବ୍ଲକ୍ ଅଫିସ ଛକରେ ସ୍କୁଟି ଚାଳକକୁ କାବୁ କରିଥିଲେ। ତେବେ ସ୍କୁଟି ଚାଳକ ସେଖ୍ ସନୱାଜ୍ ସେମାନଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ପ୍ରଭାସ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଦୁଇ ଗାଡ଼ିରୁ ୩ଟି ବ୍ୟାଗ୍ ଓ ବସ୍ତାରୁ ୫୧ କେଜି ଗୋ-ମାଂସ ଜବତ କରାଯାଇଥିଲା। ପ୍ରାଣୀ ଚିକିତ୍ସକ ତାକୁ ଯାଞ୍ଚ କରିବା ପରେ ଗୋ-ମାଂସ ବୋଲି ଜଣାପଡ଼ିଥିଲା। ସନୱାଜକୁ ଗିରଫ କରାଯାଇଥିବା ବେଳେ ଉକ୍ତ ମାଂସକୁ ପୋତି ଦିଆଯାଇଥିବା ଜଣାପଡ଼ିଛି।