ବେଆଇନ ଗୋମାଂସ ଚାଲାଣ ମାମଲା: ଚାଲାଣକାରୀଙ୍କୁ ପୁଲିସ ସୁରକ୍ଷା ଦେଉଥିବା ଅଭିଯୋଗ

ଖୋର୍ଦ୍ଧା: ୫ ତାରିଖ ସକାଳେ କୋକତାରୁ ଚେନ୍ନାଇ ଯାଉଥିବା ୩ଟି ଗୋ ମାଂସ ଭର୍ତି କଂଟେନର ଜବତ ମାମଲା ଜଟିଳ ହେବାରେ ଲାଗିଛି । ବେଆଇନ ଗୋମାଂସ ଚାଲାଣ ମାମଲାରେ ନିର୍ଦ୍ଧାରିତ ସମୟ ମଧ୍ୟରେ ପୁଲିସ ଜବତ ମାଂସର ଯାଂଚ କରି ପଦକ୍ଷେପ ନେବା ନିୟମ ରହିଥିଲେ ମଧ୍ୟ ଖୋର୍ଦ୍ଧା ପୁଲିସ କୌଣସି ପଦକ୍ଷେପ ନେଉନଥିବା ଓଲଟି ଚାଲାଣକାରୀଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ ହୋଇଛି । ଆଜି ଖୋର୍ଦ୍ଧା ଗୋସୁରକ୍ଷା ସଂଗଠନର ସଦସ୍ୟମାନେ ଏନେଇ କେନ୍ଦ୍ର ପଶୁ ମଙ୍ଗଳ ବୋର୍ଡକୁ ଜଣାଇବା ସହ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।

ଉଚ୍ଚତମ ନ୍ୟାୟାଳୟଙ୍କ ନିଦେ୍ର୍ଦଶାନୁସାରେ, ଅଭିଯୋଗର ୬ ଘଂଟା ମଧ୍ୟରେ ପଦକ୍ଷେପ ନେଇ ଉକ୍ତ ମାଂସର ନିକଟତମ ଏଫ୍ଏସ୍ଏଲ୍ରେ ଫରେନ୍ସିକ୍ ପରୀକ୍ଷଣ କରିବା ଓ ୪୮ ଘଂଟା ମଧ୍ୟରେ ଯାଂଚ ରିପୋର୍ଟ ଗ୍ରହଣ କରିବାକୁ ବାଧ୍ୟ । ଯାଂଚରେ ଯଦି ଗୋ ମାଂସ ଥିବା ପ୍ରମାଣିତ ହେଲେ ସମ୍ପୃକ୍ତ ଗାଡ଼ିକୁ ଜବତ, ମାଲିକ ଓ ଚାଲାଣକାରୀକୁ ଗିରଫ କରିବା ସହ ପଂଜୀକରଣ ବାତିଲ କରିବା ଆଦି ଅନ୍ୟ ଆଇନଗତ ପଦକ୍ଷେପ ନେବେ । କିନ୍ତୁ ଜବତର ୪୮ ଘଂଟା ବିତିଯାଇଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନକରି ଓଲଟି ଚାଲାଣକାରୀଙ୍କୁ ସହଯୋଗ କରୁଥିବା ଅଭିଯୋଗ ହୋଇଛି । ଏନେଇ ଆାଜି ଖୋର୍ଦ୍ଧା ଗୋସୁରକ୍ଷା କମିଟିର ସଦସ୍ୟମାନେ ଜିଲ୍ଲାପାଳ ଅନୁପସ୍ଥିତିରେ ଡେପୁଟି ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି । ସଂଗଠନର କହିବା କଥା ହେଲା, ଜବତ ତିନିଟି କଂଟେନରର ବିଲ୍ଗୁଡ଼ିକର ଫଟୋ କପି ଭାରତ ପଶୁ ମଙ୍ଗଳ ବୋର୍ଡକୁ ପଠାଇଥିଲେ । ଯାଂଚରେ ସମସ୍ତ ବିଲ୍ ଜାଲ ଥିବା, ମାଛ ବୋଲି ଇନ୍ଭୟସ ଓ ମଇଁଷି ମାଂସ ନାମରେ ପଶୁଡାକ୍ତରଙ୍କ ମିଥ୍ୟା ବ୍ୟବଚ୍ଛେଦ ରିପୋର୍ଟ ପ୍ରସ୍ତୁତ କରାଯାଇଥିବା ଜଣାଯାଇଛି । କଲିକତାର ଆସନସୋଲରେ କୌଣସି ବୈଧ କଂସେଇଖାନା ନଥିବା ବେଳେ ମିଥ୍ୟା ଇନ୍ଭଏସ ପ୍ରସ୍ତୁତ କରାଯାଇଛି । ଏସବୁ ଜାଣି ମଧ୍ୟ ଖୋର୍ଦ୍ଧା ଟାଉନ ଥାନା ପୁଲିସ ଏଦିଗରେ କୌଣସି ପଦକ୍ଷେପ ନନେଇ ଗୋଚାଲାକାରୀଙ୍କୁ ସୁରକ୍ଷା ଦେଉଛି । ରାଜ୍ୟରେ ଗୋ ହତ୍ୟା ଓ ମାଂସ ଚାଲାଣ ସଂପୂର୍ଣ୍ଣ ନିଷେଧ ଅଛି, ପୁଲିସର ଏଭଳି କାର୍ଯ୍ୟ ବେଆଇନ ଓ ହିନ୍ଦୁଙ୍କ ଭାବାବେଗକୁ ଆଘାତ ଦେଉଛି । ଯଦି ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ ତେବେ ସେମାନେ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରିବେ ।
ଏନେଇ ଖୋର୍ଦ୍ଧା ଟାଉନ ଥାନାର ଭାରପ୍ରାପ୍ତ ଅଧିକାରୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଆଜି ମାଂସର ନମୁନା ଯାଂଚ ପାଇଁ ପଠାଯାଇଛି । ଯାଂଚ ରିପୋର୍ଟ ଆସିବା ପରେ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ ।

ସୂଚନାଯୋଗ୍ୟ, ୫ ତାରିଖରେ ପୁଲିସ ତିନିଟି ଟ୍ରକ (ଟିଏନ୍ ୯୩ବି ୪୭୯୯, ଟିଏନ୍ ୮୮ଏ ୮୭୯୩ ଓ ଟିଏନ୍ ୯୩ଡି ୯୫୯୯)ରେ ୫୮ ମେଟ୍ରିକ୍ ଟନ୍ ଗୋମାଂସ ଜବତ କରିଥିଲା । ଏ ଅଭିଯୋଗ ଭିତ୍ତରେ ୬୫୩/୨୦୨୨ରେ ମାମଲା ରୁଜୁ କରିବା ସହ ଗାଡ଼ିଚାଳକ ସମେତ ୬ଜଣଙ୍କୁ ଅଟକ ରଖିଥିଲା ।

ସମ୍ବନ୍ଧିତ ଖବର