ଭାଲୁ ଆକ୍ରମଣରେ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କଲେ ଡିଏଫଓ

କେନ୍ଦୁଝର: ହରିଚନ୍ଦନପୁର ବ୍ଲକ୍‌ ଅନ୍ତର୍ଗତ ତେନ୍ତଳାପଶି ପଞ୍ଚାୟତ ଅନ୍ତର୍ଗତ ଖୁଣ୍ଟାପଡା ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଗତକାଲି ରାତି ପ୍ରାୟ ୧୨ ଟା ବେଳେ ଗଣେଶ ମୂର୍ତ୍ତି ବିସର୍ଜନ ସାରି  ଅନ୍ଧାରୁ ଦେହୁରୀ (୩୪) ଗାଁ ଆମ୍ବୋତୋଟା ଦେଇ ଫେରୁଥିବା ବେଳେ ପଣସ ଖାଇବାକୁ ଆସିଥିବା ଦୁଇଟି ଭାଲୁ ହାବୁଡରେ ପଡ଼ିଯାଇଥିଲେ।  ଅନ୍ଧାରୁଙ୍କୁ ଭାଲୁ ଆକ୍ରମଣ କରିବାରୁ ସେ ଚିତ୍କାର କରିଥିଲେ।  ତାଙ୍କ ପାଟି ଶୁଣି  ନିକଟରେ ଥିବା ଲୋକେ ଧାଇଁ ଆସିଥିଲେ।

ଭାଲୁ ଦୁଇଟି ତାଙ୍କୁ ଛାଡ଼ି ପଳେଇଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକ ତାଙ୍କୁ ଏକ ଅଟୋରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣୁଥିବାବେଳେ ତେନ୍ତଳାପଶି ନିକଟରେ ଅଟୋରେ ଡିଜେଲ ସରିଯାଇଥିଲା। ସଦର ରେଞ୍ଜ ଜଂଘିରା ସେକ୍ସନ ତଳନଡାମ ଜଙ୍ଗଲରେ ୭ଟି ହାତୀ ଥିବା ଖବର ପାଇ ପାଟ୍ରୋଲିଂ ଟିମ ସହିତ ଡିଏଫଓ ଏଚଡି ଧନରାଜ ସେଠାକୁ ଯାଇଥିଲେ। ସେଠାରୁ ଫେରିବା ବେଳେ ତେନ୍ତଳାପଶିରେ କିଛି ଲୋକ ରୁଣ୍ଡ ହୋଇଥିବା ଦେଖି ସେ ଗାଡ଼ି ଅଟକାଇଥିଲେ। ସମସ୍ତ ଘଟଣା ଜାଣିବା ପରେ ଗୁରୁତର ଅନ୍ଧାରୁଙ୍କୁ ଡିଏଫଓ ତାଙ୍କ ଗାଡ଼ିରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ଆଣି ଚିକିତ୍ସା ବ୍ୟବସ୍ଥା କରିଥିଲେ। ସେ ଅସ୍ଥିଶଲ୍ୟ ବିଭାଗରେ ଚିକିତ୍ସିତ ହେଉଥିବାବେଳେ ଭାଲୁ ଆକ୍ରମଣରେ ତାଙ୍କର ମୁଣ୍ଡ, ପେଟ ଏବଂ ଗୋଡ଼ରେ ଗଭୀର କ୍ଷତ ହୋଇଛି।

 

ସମ୍ବନ୍ଧିତ ଖବର