ପର୍ଯ୍ୟଟକଙ୍କୁ ମହୁମାଛି ଆକ୍ରମଣ, ଜଣେ ମୃତ

ଡମପଡ଼ା : ବାଙ୍କୀ-ଡମପଡ଼ା ବ୍ଲକ୍‌ ପାଥପୁର ପଞ୍ଚାୟତସ୍ଥିତ ପାଣ୍ଡବ ବଖରା ବୁଲି ଆସିଥିବା ପର୍ଯ୍ୟଟକଙ୍କୁ ଆଜି ମହୁମାଛି ଆକ୍ରମଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା ବେଳେ ଜଣେ ଯୁବତୀଙ୍କ ସମେତ ଦୁଇ ଜଣ ଆହତ ହୋଇଥିବା ଜଣାପଡ଼ିଛି।

ସୂଚନା ମୁତାବକ, ଭୁବନେଶ୍ୱର ପଟିଆ ଅଞ୍ଚଳରେ ରହୁଥିବା ତାଳଚେରର ୩ ଜଣ ଯୁବକ ଓ ଜଣେ ଯୁବତୀ ଆଜି ପାଥପୁର ପଞ୍ଚାୟତର ପାଣ୍ଡବ ବଖରା ଗୁମ୍ଫା ବୁଲି ଆସିଥିଲେ। ଦୁଇ ଜଣ ଯୁବକ ଓ ଜଣେ ଯୁବତୀ ପାଣ୍ଡବ ବଖରା ପାହାଡ଼ ଉପରକୁ  ଯାଇଥିଲା ବେଳେ ଜଣେ ଯୁବକ ପାହାଡ଼ ତଳେ ଗାଡ଼ି ପାଖରେ ରହିଥିଲେ। ଅଧା ପାହାଡ଼ ଚଢ଼ିବା ପରେ ଅଚାନକ ତିନିଜଣ ପର୍ଯ୍ୟଟକ ଶୁଭେନ୍ଦୁ ସାହୁ, ଅବିନାଶ ସାହୁ ଓ ଜାଗୃତି ଦାସଙ୍କୁ ମହୁମାଛି ଆକ୍ରମଣ କରିଥିଲେ। ସେମାନଙ୍କ ଚିତ୍କାର ଶୁଣି ପାହାଡ଼ ତଳେ ଥିବା ଅଭିଳାଶ ଦାସ ଗ୍ରାମବାସୀଙ୍କ ସହଯୋଗରେ ସେମାନଙ୍କୁ ତଳକୁ ଆଣିଥିଲେ। ପରେ ଆହତ ତିନିଜଣଙ୍କୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସରେ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶୁଭେନ୍ଦୁଙ୍କ ମୃତ୍ୟୁ ଘଟିଛି। ଚିକିତ୍ସା କରିବା ପରେ ଅନ୍ୟ ଦୁଇ ଜଣ ସୁସ୍ଥ ହୋଇଛନ୍ତି। ଆସନ୍ତାକାଲି ଶୁଭେନ୍ଦୁଙ୍କ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର