ହାତୀଙ୍କୁ ଜଗିବେ ମହୁମାଛି

ଆଠମଲ୍ଲିକ ବନଖଣ୍ଡର ଦୁଇଟି ଗାଁରୁ ଶୁଭାରମ୍ଭ
ହାତୀଙ୍କ ପ୍ରତିକ୍ରିୟା ଉପରେ ନଜର ରଖିଛି ସିସିଟିଭି
ପ୍ରକଳ୍ପ ସଫଳ ହେଲେ ସମ୍ବେଦନଶୀଳ ଅଞ୍ଚଳରେ ଲାଗିବ

ଭୁବନେଶ୍ବର : ହାତୀ-ମଣିଷ ଲଢ଼େଇରେ‌ ଅଙ୍କୁଶ ଲଗାଇବା ପାଇଁ ଯୋଜନା। ହାତୀପଲ ଗାଁମୁହାଁ ହେଲେ ମହୁମାଛି ଦଳ ସେମାନଙ୍କ ବାଟ ଓଗାଳିବେ। ସେମାନେ ଆଉ ଗାଁ ଭିତରକୁ ପ୍ରବେଶ କରିପାରିବେ ନାହିଁ। ଗାଁ ମୁଣ୍ଡରୁ ପଛକୁ ଫେରିଯିବେ। ଲୋକେ ସୁରକ୍ଷିତ ରହିବା ସହ ଧନଜୀବନ କ୍ଷତି ହେବନାହିଁ। ଉତ୍ତରାଖଣ୍ଡ, କର୍ଣ୍ଣାଟକ ପରି ରାଜ୍ୟରେ ଏହି ପ୍ରକଳ୍ପ ସଫଳ ହେବା ପରେ ଓଡ଼ିଶାରେ ପ୍ରଥମଥର ଲାଗି ଅନୁଗୁଳ ଜିଲ୍ଲାରେ ପାଇଲଟ୍‌ ପ୍ରୋଜେକ୍ଟ ଭାବେ ଏହା ଆରମ୍ଭ ହୋଇଛି। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡର ଦୁଇଟି ଗାଁ ପ୍ରଥମ ପର୍ଯ୍ୟାୟରେ ସାମିଲ ହୋଇଛି। ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରାଳୟ ଅଧୀନ ଖଦି ଓ ଗ୍ରା‌ମୋଦ୍ୟୋଗ ଆୟୋଗ (କେଭିଆଇସି) ପୃଷ୍ଠପୋଷକତାରେ ଚାଲିଥିବା ଏହି ପ୍ରକଳ୍ପର ନାମ ରି-ହ୍ୟାବ୍‌(ରିଡ୍ୟୁସ୍‌ ଏଲିଫ୍ୟାଣ୍ଟ୍‌-ହ୍ୟୁମାନ ଆଟାକ୍ସ ୟୁଜିଙ୍ଗ୍‌ ବିଜ୍‌) ରଖାଯାଇଛି।

ଯୋଜନା ମୁତାବକ, ହାତୀପଲ ଯେଉଁ ରାସ୍ତା ଦେଇ ଗାଁ ଭିତରକୁ ଯାଉଛନ୍ତି, ସେହି ପ୍ରବେଶ ପଥରେ ମହୁମାଛି ବାକ୍ସ ଖଞ୍ଜାଯାଉଛି। ଉକ୍ତ ବାକ୍ସ ଭିତରେ ମହୁମାଛି ପାଳନ କରାଯିବ। ହାତୀପଲ ଯଦି ସେହି ବାଟ ଦେଇ ଯିବା ସମୟରେ ମହୁବାକ୍ସକୁ କୌଣସି ପ୍ରକାର ଆଘାତ ଦିଅନ୍ତି, ସେମାନେ ମହୁମାଛି ସହ ମୁହାଁମୁହିଁ ହେବେ। ମହୁମାଛିକୁ ଭୟ କରୁଥିବାରୁ ହାତୀପଲ ଗାଁକୁ ପଶିବା ପରିବର୍ତ୍ତେ ସେହିଠାରୁ ପଛକୁ ଫେରିଯିବେ। ଅନୁଗୁଳ, ମୟୂରଭଞ୍ଜ, ଢେଙ୍କାନାଳ, ସୁନ୍ଦରଗଡ଼, କଟକ, ଝାରସୁଗୁଡ଼ା, ସମ୍ବଲପୁର, ଖୋର୍ଧା ପ୍ରଭୃତି ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଅଧିକ ରହୁଛି। ଫସଲ ଅମଳ ସମୟରେ ସୀମାନ୍ତବର୍ତ୍ତୀ ଜିଲ୍ଲା ଦେଇ ଝାଡ଼ଖଣ୍ଡ, ଛତିଶଗଡ଼ ଓ ପଶ୍ଚିମବଙ୍ଗରୁ ବି ହାତୀପଲ ଓଡ଼ିଶାମୁହାଁ ହୋଇଥାନ୍ତି। ଫସଲ ନଷ୍ଟ କରିଥା’ନ୍ତି। ଏଭଳି ସମସ୍ୟାର ସମାଧାନ କରିବାକୁ ରି-ହ୍ୟାବ୍‌ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି।

Kerala Kaumudi

ଅନୁଗୁଳ ଜିଲ୍ଲାରେ ହାତୀ-ମଣିଷ ଲଢ଼େଇ ବିଭିନ୍ନ ସମୟରେ ଉଗ୍ରରୂପ ନେଉଥିବାରୁ ସେଠାରେ ଏହି ପାଇଲଟ୍‌ ପ୍ରକଳ୍ପ ଆରମ୍ଭ ହୋଇଛି। ଏଥିପାଇଁ ଆଠମଲ୍ଲିକ ବନଖଣ୍ଡର ଦୁଇଟି ଗାଁ ଲୋକଙ୍କ ସହିତ ଆଲୋଚନା କରାଯାଇଛି। ଏହି ପ୍ରକଳ୍ପ ହାତୀ ଆକ୍ରମଣରୁ ଲୋକଙ୍କୁ କେବଳ ରକ୍ଷା କରିବ ନାହିଁ, ବରଂ ସ୍ବଳ୍ପ ଖର୍ଚ୍ଚରେ ଗ୍ରାମବାସୀ ଏଥିରୁ ଆର୍ଥିକ ସ୍ବାବଲମ୍ବୀ ହୋଇପାରିବେ। ଏହାଦ୍ବାରା ହାତୀଙ୍କର ମଧ୍ୟ କୌଣସି କ୍ଷତି ହେବ ନାହିଁ। ଆଠମଲ୍ଲିକ ବନଖଣ୍ଡ ସହଯୋଗରେ କେଭିଆଇସି ପକ୍ଷରୁ ରି-ହ୍ୟାବ୍‌ ପ୍ରକଳ୍ପ ଗତକାଲି ଲକ୍ଷ୍ମୀପୁର ଓ ରାଠିପୁର ଗ୍ରାମରେ କାର୍ଯ୍ୟକାରୀ ହୋଇଛି। ମହୁମାଛି ଆକ୍ରମଣ ହାତୀଙ୍କ ଉପରେ କିଭଳି ପ୍ରଭାବ ପକାଉଛି, ତାହା ଉପରେ ନଜର ରଖିବା ଲାଗି ସିସିଟିଭି ଓ ଟ୍ରାପ୍‌ କ୍ୟାମେରା ଲଗାଯାଇଛି। ଯଦି ଏହି ପାଇଲଟ୍‌ ପ୍ରୋଜେକ୍ଟ ସଫଳ ହୁଏ, ରାଜ୍ୟର ଅନ୍ୟ ସମ୍ବେଦନଶୀଳ ଅଞ୍ଚଳରେ ଲଗାଇବାକୁ ବନ ବିଭାଗ ନିଷ୍ପତ୍ତି ନେଇଛି। କେଭିଆଇସିର ରାଜ୍ୟ ନିର୍ଦ୍ଦେଶକ ସମୀର କୁମାର ମହାନ୍ତି, ଆଠମଲ୍ଲିକ ଡିଏଫ୍‌ଓ ବି ଆନନ୍ଦଙ୍କ ସହ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଗ୍ରାମବାସୀଙ୍କୁ ଏହି ପ୍ରକଳ୍ପ ବିଷୟରେ ପରାମର୍ଶ ଦିଆଯାଇଛି। ମହୁମାଛି ବାକ୍ସର ଯତ୍ନ ନେବା ସହ ବର୍ଷା ସମୟରେ ମହୁମାଛି ବାକ୍ସର ସୁରକ୍ଷା ଓ ରକ୍ଷଣାବେକ୍ଷଣ ଉପରେ ପ୍ରାଥମିକତା ଦେବାକୁ କୁହାଯାଇଛି।

ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ‘ରି-ହ୍ୟାବ’ ଯୋଜନା କର୍ଣ୍ଣାଟକର କୋଡ଼ାଗୁ ଜିଲ୍ଲାରେ ପ୍ରଥମେ ସଫଳ ହୋଇଥିଲା। ଏହାପରେ ଉତ୍ତରାଖଣ୍ଡ ଓ ମହାରାଷ୍ଟ୍ରର ଚାଷୀମାନେ ଏହି ପ୍ରକଳ୍ପକୁ ବ୍ୟବହାର କରି ସଫଳ ହୋଇଛନ୍ତି। ତାହାକୁ ନଜରରେ ରଖି ହାତୀବହୁଳ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼, ଆସାମ, ତାମିଲନାଡ଼ୁ ଓ କେରଳ ରାଜ୍ୟରେ ଲାଗୁ କରାଯାଉଛି। ‘ରି-ହ୍ୟାବ୍‌’ ଯୋଜନା ଅନ୍ତର୍ଗତ ମହୁମାଛିଙ୍କର ବାକ୍ସକୁ ତାରବାଡ଼ରେ ଝୁଲାଇ ହାତୀ ଚଳପ୍ରଚଳ ସ୍ଥାନରେ ସେମାନଙ୍କର ମାର୍ଗକୁ ଅବରୋଧ କରାଯିବା ସହ ହାତୀପଲକୁ ନିୟନ୍ତ୍ରଣ କରାଯିବ। ହାତୀ ଓ ମଣିଷ ଲଢ଼େଇକୁ ରୋକିବା ପାଇଁ ଏହା ଏକ ଅଭିନବ ପ୍ରୟାସ।

ସମ୍ବନ୍ଧିତ ଖବର