ନିର୍ମାଣ ପୂର୍ବରୁ ଦେବୋତ୍ତର କମିସନରଙ୍କ ଅନୁମତି ନେବାକୁ ସଚିବଙ୍କୁ ଚିଠି

ଭୁବନେଶ୍ବର: ଠାକୁରଙ୍କ ଜାଗାରେ ନିର୍ମାଣ ପୂର୍ବରୁ ଦେବୋତ୍ତର କମିସନରଙ୍କଠାରୁ ସ୍ବୀକୃତି ନେବାକୁ ପଡ଼ିବ। ସ୍ବୀକୃତି ନଥାଇ ଦୋବୋତ୍ତର ଜମି ଉପରେ ନିର୍ମାଣ କଲେ ଓଡ଼ିଶା ହିନ୍ଦୁ ରିଲିଜିଅସ୍‌ ଏଣ୍ଡାମେଣ୍ଟ (ଓଏଚ୍‌ଆର୍‌ଇ) ଆକ୍ଟ ବଳରେ କାର୍ଯ୍ୟାନୁଷ୍ଠାନ ହେବ। ବିଭିନ୍ନ ବିଭାଗର ସଚିବମାନଙ୍କୁ ଏଭଳି ଚିଠି ଲେଖିଛନ୍ତି ଦେବୋତ୍ତର କମିସନର୍‌। କେବଳ ନୂଆ ନିର୍ମାଣ ନୁହେଁ, ବରଂ ଠାକୁରଙ୍କ ଜମିରେ ଥିବା ପୁରୁଣା କୋଠାକୁ ନୂଆ ରୂପ ଦେବା ବେଳେ ବା ପୁନରୁଦ୍ଧାର କରିବା ବେଳେ ମଧ୍ୟ କମିସନର୍‌ଙ୍କ ଅନୁମତି ଆବଶ୍ୟକ ପଡ଼ିବ ବୋଲି ଚିଠିରେ ସ୍ପଷ୍ଟ କରାଯାଇଛି। ଯେଉଁ କର୍ତ୍ତୃପକ୍ଷ ନିର୍ମାଣ କରିବାକୁ ସ୍ବୀକୃତି ଦେଉଛନ୍ତି ବା ଠିକା ଦେଉଛନ୍ତି ତା ପୂର୍ବରୁ ଦେବୋତ୍ତର କମିସନରଙ୍କଠାରୁ ଉପଯୁକ୍ତ ଅନୁମତି ନିଆଯାଇଛି କି ନାହିଁ ଯାଞ୍ଚ କରିବେ। ଯଦି ଯାଞ୍ଚ ନ କରି ଦେଇଛନ୍ତି ଏବଂ ପରେ ଦେବୋତ୍ତର କମିସନଙ୍କର ଅନୁମତି ନିଆଯାଇ ନାହିଁ ବୋଲି ପ୍ରମାଣିତ ହେଉଛି ତେବେ ସମ୍ପୃକ୍ତ ନିର୍ମାଣକାରୀ ସଂସ୍ଥା ସହ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସ୍ପଷ୍ଟ କରାଯାଇଛି। ୯୦ ପ୍ରତିଶତରୁ ଊର୍ଦ୍ଧ୍ବ ମାମଲାରେ ଓଏଚ୍‌ଆର୍‌ଇ ଆଇନ ନ ମାନି ନିର୍ମାଣ ହୋଇଥିବା ପ୍ରମାଣ ମିଳିବା ପରେ ସମ୍ପୃକ୍ତ ଆଇନକୁ ଆଧାର କରି ଦେବୋତ୍ତର କମିସନ ଏହି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଥା ଭିତ୍ତିଭୂମି ବିକାଶ ପାଇଁ ସରକାର ପ୍ରକଳ୍ପ ତିଆରି କରୁଛନ୍ତି। ଏଥିପାଇଁ ବିଭିନ୍ନ ବିଭାଗକୁ ଜମି ହସ୍ତାନ୍ତର କରାଯାଉଥିବା ବେଳେ ସରକାରୀ ଜାଗାରେ ମଧ୍ୟ ନିର୍ମାଣ ହେଉଛି। କେ‌ତେକ ଜାଗାରେ ଅଧିଗ୍ରହଣ କରାଯାଇ ନିର୍ମାଣ ହେଉଥିବା ବେଳେ ସରକାର ସିଧାସଳଖ ଜମି କିଣି ପ୍ରକଳ୍ପ ପ୍ରତିଷ୍ଠା କରୁଛନ୍ତି। କିନ୍ତୁ ଠାକୁରଙ୍କ ଜମି ଉପରେ ନିର୍ମାଣ କଲାବେଳେ ଅନେକ ସମୟରେ ଦେବୋତ୍ତର କମିସନରଙ୍କଠାରୁ ଅନୁମତି ଲୋଡ଼ା ଯାଉ ନାହିଁ। ନିର୍ମାଣ ପରେ ଅନୁମତି(ପୋଷ୍ଟ ଆପ୍ରୁଭାଲ) ନେଇପାରିବା ଆଇନରେ ବ୍ୟବସ୍ଥା ଥିଲେ ମଧ୍ୟ ସମ୍ପୃକ୍ତ ନିର୍ମାଣ ଅନେକ ସମସ୍ୟା ସୃଷ୍ଟି କରୁଛି। ଅନେକ ଜାଗାରେ ନିର୍ମାଣ ଅନୁମତି ଦିଆଯିବା ଭଳି ସ୍ଥିତି ନଥିବା ଜାଣି ଏହି ପୋଷ୍ଟ ଆପ୍ରୁଭାଲ ବ୍ୟବସ୍ଥାକୁ ଆପଣେଉଛନ୍ତି। ଅନୁମତି ନ ନେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାରୁ ଆପ୍ରୁଭାଲ ପାଇଁ ଅପେକ୍ଷା କରି ପ୍ରକଳ୍ପ ମଧ୍ୟ ଅନେକ ଦିନ ଧରି ପଡ଼ିରହିବା ଉଦାହରଣ ରହିଛି। ଅନନ୍ତ ବାସୁଦେବ ମନ୍ଦିର ପରିସରରେ କୋଟି କୋଟି ଟଙ୍କାର ପ୍ରକଳ୍ପ ଦେବୋତ୍ତର କମିସନଙ୍କ ବିନାନୁମତିରେ ନିର୍ମାଣ ହୋଇ ପଡ଼ି ରହିଥିବା ବେଳେ ଲକ୍ଷ୍ମୀସାଗରରେ ମଧ୍ୟ ଏଭଳି ଏକ ପ୍ରକଳ୍ପ ପଡ଼ି ରହିଛି। ପୂର୍ବରୁ ଅନେକ ନିର୍ମାଣ ଜନସ୍ବାର୍ଥରେ ବାଧା ସୃଷ୍ଟି କରୁଥିବା ନଜିର ରହିଛି। ଏଣୁ ନିର୍ମାଣ ପୂର୍ବରୁ କମିସନର୍‌ଙ୍କ ଅନୁମତି ଅଛିକି ନାହିଁ ଯାଞ୍ଚ କରିବା ସହ ଅନୁମତି ନେବା ପାଇଁ ପୂର୍ତ୍ତ, ପର୍ଯ୍ୟଟନ, ହାଉସିଂ ବୋର୍ଡ ପ୍ରଭୃତି ବିଭାଗୀୟ ସଚିବଙ୍କୁ ଚିଠି ଲେଖାଯାଇଛି।

ସମ୍ବନ୍ଧିତ ଖବର