ଭୁବନେଶ୍ବର/ବୀରମହାରାଜପୁର: ପରିବାରର ସମସ୍ତେ ମତେ କ୍ଷମା କରିଦେବ। ବଞ୍ଚିବା ପାଇଁ ମୁଁ ଇଚ୍ଛା କରୁ ନାହିଁ। ବି.ଟେକ୍‌ କଲା ଦିନ ଠାରୁ ମୁଁ ମାନସିକ ଚାପରେ ରହୁଥିଲି। ତା’ ପରଠାରୁ ମାନସିକ ଚାପ ବଢ଼ିଚାଲିଛି। ଘରେ ଆର୍ଥିକ ସମସ୍ୟା ଲାଗି ରହୁଥିବାରୁ ଭଲ ଲାଗୁ ନଥିଲା। ଆଜି ନ ହେଲେ କାଲି ଠିକ୍‌ ହୋଇଯିବ ଭାବୁଥିଲି। ହାଇଦ୍ରାବାଦ୍‌ ଆସିଲା ପରେ ବି ଅସୁବିଧା ଶେଷ ହେଲା ନାହିଁ। ବିଗତ ୬ ମାସ ହେଲା ଅଧିକ ମାନସିକ ଚାପରେ ରହୁଥିଲି। ସାମାନ୍ୟ କଥାରେ ମୋତେ ଟେନ୍‌ସନ୍‌ ଲାଗୁଥିଲା। ଜୀବନରେ ପାଠ ପଢ଼ିକି ମଧ୍ୟ ଚାକିରି କରିପାରିବି କି ନାହିଁ ତାହା ଜାଣି ନାହିଁ। ଘରେ ସମସ୍ତେ ଖୁସିରେ ରୁହ। ମତେ ଭୁଲିଯିବ। ଯାହା ସବୁ ହେଉଛି, ଏଥି ପାଇଁ ମୁଁ ନିଜେ ଦୋଷୀ। ମତେ କ୍ଷମା କରିଦେବ। ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି-ହାଇଦ୍ରାବାଦ (ଆଇଆଇଟି-ଏଚ୍) ହଷ୍ଟେଲ୍‌ ରୁମ୍‌ରେ ସୋମବାର ବେକରେ ରଶି ଲଗାଇ ଝୁଲିପଡ଼ିଥିବା ଓଡ଼ିଆ ଝିଅ ମମିତା ନାଏକ ଏଭଳି ଚିଠି ଲେଖିଛନ୍ତି। ଘଟଣାସ୍ଥଳରୁ ପୁଲିସକୁ ହସ୍ତଗତ ହୋଇଥିବା ସୁହାଇବା ନୋଟରେ ଏମିତି ଉଲ୍ଲେଖ ରହିଛି। ଅନ୍ୟପକ୍ଷରେ ସୁସାଇଡ ନୋଟକୁ ମମିତା ଲେଖିଥିଲେ ନା ଆଉ କିଏ, ତାହା ମଧ୍ୟ ସନ୍ଦେହ ଘେରରେ। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ତାଙ୍କ ଝିଅ ମମିତାଙ୍କୁ ହତ୍ୟା କରି ଆତ୍ମହତ୍ୟା ରୂପ ଦିଆଯାଇଛି।

Advertisment

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅଧୀନ ସୁବଳୟା ଥାନା ଅନ୍ତର୍ଗତ ଡୁମୁରି ଗାଁର ଦୁଃଖୀଶ୍ୟାମ ନାଏକଙ୍କ ତିନି ପୁଅରେ ଗୋଟିଏ ଝିଅ ମମିତା। ଛୋଟ ବ୍ୟବସାୟ କରି ଦୁଃଖୀଶ୍ୟାମ ପିଲାମାନଙ୍କୁ ଭଲ ପାଠ ପଢ଼ାଇ ପାରିଛନ୍ତି। ବଡ଼ପୁଅ ଦିବ୍ୟାଙ୍ଗ ହୋଇଥିବା ବେଳେ ଅନ୍ୟ ୨ ପୁଅ ପାଠ ପଢ଼ି ସାରି ବେରୋଜଗାର ଅଛନ୍ତି। ଝିଅ ମମିତା ଇଞ୍ଜିନିୟର ହୋଇ ପରିବାରର ଆର୍ଥିକ ସମସ୍ୟା ଦୂର କରିବେ ବୋଲି ଆଶା ରଖିଥିଲେ। କିନ୍ତୁ ତାଙ୍କର ସ୍ବପ୍ନ ପୂରା ହୋଇପାରି ନାହିଁ। ‌ମିଳିଥିବା ଚିଠି ଅନୁସାରେ ଘରର ଆର୍ଥିକ ଅବସ୍ଥା ଶୋଚନୀୟ ଥିବାରୁ ମମିତା ବଞ୍ଚିବାକୁ ଚାହିଁ ନାହାନ୍ତି।

ହାଇଦ୍ରାବାଦ୍‌ ଆଇଆଇଟ୍‌ ପକ୍ଷରୁ ମମିତାଙ୍କ ମୃତ୍ୟୁ ଖବର ମିଳିବା ପରେ ପରିବାର ଲୋକେ ଭାଙ୍ଗିପଡ଼ିଛନ୍ତି। ପରିବାର ଲୋକେ ସେଠାକୁ ଯାଇଛନ୍ତି। ମଙ୍ଗଳବାର ରାତିରେ ହାଇଦ୍ରାବାଦ୍‌ରେ ପହଞ୍ଚି ସାରିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ମମିତାଙ୍କର ମୃତଦେହ ଜନ୍ମମାଟିକୁ ଅଣାଯିବା ପାଇଁ ପ୍ରସ୍ତୁତି ଚାଲିଛି। ବୁଧବାର ସକାଳ ୬ଟାରେ ହାଇଦ୍ରାବାଦ୍‌-ଭୁବନେଶ୍ବର ଏକ ବିମାନରେ ମମିତାଙ୍କର ମୃତଦେହ ଆସିବ। ଭୁବନେଶ୍ବରରେ ପହଞ୍ଚିଲା ପରେ ମମିତାଙ୍କ ମୃତଦେହ ଜନ୍ମମାଟିକୁ ନିଆଯିବ। ବୁଧବାର ସନ୍ଧ୍ୟା ସୁଦ୍ଧା ମମିତାଙ୍କର ମୃତହେଦ ଡୁମୁରିରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଅନ୍ୟପଟରେ ମମିତାଙ୍କର ମୃତ୍ୟୁ ଖବର ଶୁଣିବା ପରେ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି। ମମିତା ଜଣେ ମେଧାବୀ ଛାତ୍ରୀ ହୋଇଥିବାରୁ ଆଖପାଖ ଗାଁର ଲୋକେ, ବନ୍ଧୁବାନ୍ଧବ ଓ ବୁଦ୍ଧିଜୀବୀ ମହଲରେ ମଧ୍ୟ ଶୋକ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ୨୧ ବର୍ଷୀୟ ମମିତା ନାଏକ ହେଉଛନ୍ତି ଜଣେ ମେଧାବୀ ଛାତ୍ରୀ। ସମ୍ବଲପୁରସ୍ଥିତ ଭିସୁଟରୁ ବି.ଟେକ୍ ରେ ଉତ୍ତୀର୍ଣ୍ଣ ହେଲା ପରେ ଚଳିତବର୍ଷ ଆଇଆଇଟି ହାଇଦ୍ରାବାଦରେ ଏମ୍ ଟେକ୍ ରେ ଇଞ୍ଜିନିୟରିଂ ଛାତ୍ରୀ ଭାବେ ନିଜର ନାମ ଲେଖାଇଥିଲେ। ସେ ଜୁଲାଇ ୨୬ ତାରିଖରେ ଆଇଆଇଟି ହାଇଦ୍ରାବାଦକୁ ଯାଇଥିଲେ। ସୋମବାର ରାତିରେ ତାଙ୍କୁ ତାଙ୍କ ହଷ୍ଟେଲ୍‌ ରୁମ୍‌ରେ ବେକରେ ରଶି ଲଗାଇ ଝୁଲୁଥିବାର ଦେଖବାକୁ ମିଳିଥିଲା। ସାଙ୍ଗାରେଡି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ତେବେ ଏହା ଏକ ହତ୍ୟା କିମ୍ବା ଆତ୍ମହତ୍ୟା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ମମିତାଙ୍କ ମୃତଦେହ ନିକଟରୁ ଏକ ସୁଇସାଇଡ୍‌ ‌ନୋଟ୍‌ ବି ଉଦ୍ଧାର ହୋଇଛି।