ବିଦାୟ ପୂର୍ବରୁ ବ୍ୟାସନଗର ଅନୁଭୂତି ବଖାଣିଲେ ପୌର ନିର୍ବାହୀ ଅଧିକାରୀ

ଏଠି ଚାକିରି କରିବା ସହଜ ନୁହେଁ, ଦୁର୍ନୀତିକୁ ପ୍ରଶ୍ରୟ ନଦେବାରୁ ଆକ୍ରୋଶ

ଯାଜପୁରସଦର/ ବ୍ୟାସନଗର : ଯାଜପୁର ଜିଲ୍ଲା ବ୍ୟାସନଗର ପୌର ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ଓ ପୌରାଧ୍ୟକ୍ଷା ସଂଗୀତା ପିଙ୍ଗୁଆଙ୍କ ମଧ୍ୟରେ ଚାଲିଥିବା ବିବାଦ ସବୁ ସୀମା ଟପିଯାଇଥିଲା। ଗତକାଲି ନଗର ଉନ୍ନୟନ ବିଭାଗ ପକ୍ଷରୁ ପୌର ନିର୍ବାହୀ ଅଧିକାରୀ ଶ୍ରୀ ରାଉତଙ୍କୁ ଏଠାରୁ ଖଣ୍ଡପଡ଼ା ଏନ୍‌ଏସିକୁ ବଦଳି କରାଯାଇଥିଲା। ଏଠାରୁ ବିଦାୟ ନେବା ବେଳେ ମୁହଁ ଖୋଲିଛନ୍ତି ଶ୍ରୀ ରାଉତ। କହିଛନ୍ତି ସଚ୍ଚୋଟ ହେଲେ ଏପରି ଫଳ ଭୋଗିବାକୁ ପଡ଼େ ।

ସେ କହିଛନ୍ତି ଯେ, ବ୍ୟାସନଗର ‌ପୌର ନିର୍ବାହୀ ଅଧିକାରୀ ଭାବେ ୨୦୨୧ ଅକ୍ଟୋବର ୪ ତାରିଖରେ  ଯୋଗ ଦେଇଥିଲି। ଏହା ପୂର୍ବରୁ ୬ ବର୍ଷ ପାରାଳାଖେମୁଣ୍ଡିରେ ନିର୍ବାହୀ ଅଧିକାରୀ ଭ‌ାବେ କାର୍ଯ୍ୟ କରିଥିଲେ। ବ୍ୟାସନଗରରେ ଯୋଗଦାନ ପରଠାରୁ ସେ ସହର ବିକାଶମୂଳକ କାର୍ଯ୍ୟ ପ୍ରତି ଦୃଷ୍ଟି ଦେଉଥିଲେ। ସଫେଇ କର୍ମଚାରୀ ଠିକ ଭାବେ କାମ କରୁନଥିବାର ବାରମ୍ବାର ଅଭିଯୋଗ ପରେ ସେମାନଙ୍କ ଉପସ୍ଥାନ ପାଇଁ ବାୟୋମେଟ୍ରିକ ବ୍ୟବସ୍ଥା କରିଥିଲେ। ଏହାକୁ ବିରୋଧ କରି ପୌରାଧ୍ୟକ୍ଷା ତାଙ୍କୁ ଗାଳିଗୁଲଜ କରିଥିଲେ। ଏହାପରଠାରୁ ବିଭିନ୍ନ ସମୟରେ ସେ ପୌରାଧ୍ୟକ୍ଷାଙ୍କ ଆକ୍ରୋଶର ଶିକାର ହୋଇଆସୁଥିଲେ ବୋଲି କହିଛନ୍ତି। ନୀଳାଚଳ କଲୋନିରେ ମୋବାଇଲ ନେଟୱର୍କ ସମସ୍ୟା ଥିବାରୁ ପିଲାଙ୍କ ପାଠପଢ଼ାରେ ଅସୁବିଧା ହେଉଥିବାର ସ୍ଥାନୀୟ ଲୋକଙ୍କ ହସ୍ତଖତ ସମ୍ବଳିତ ଅଭିଯୋଗ ଆସିବା ପରେ ଏକ ଟେଲିକମ ସଂସ୍ଥାକୁ ଟାୱାର ବସାଇବାକୁ ଅନୁମତି ଦେଇଥିଲେ। ତାଙ୍କର ଏପରି ଉଦ୍ୟମ ପାଇଁ ଓ ପୁରୁଣା ରାଗ ସୁଝାଇବାକୁ ଗତ ଅକ୍ଟୋବର ୧୫ ତାରିଖରେ ପୌରାଧ୍ୟକ୍ଷା ତାଙ୍କୁ ପୁଣି ଗାଳିଗୁଲଜ କରିଥିଲେ। ୮ ଜଣ କାଉନସିଲର ଓ ୨ ଜଣ ପୌର କର୍ମଚାରୀଙ୍କ ଉପସ୍ଥିତିରେ ପୌରାଧ୍ୟକ୍ଷା ଫାଇଲ ଫିଙ୍ଗିଥିଲେ। ଫାଇଲଟି ଛାତିରେ ବାଜିଥିଲେ ମଧ୍ୟ ନିରବରେ ସବୁ ସହିଯାଇଥିଲି ବୋଲି କହିଛନ୍ତି।​

ବ୍ୟାସନଗର ପୌରପାଳିକାରେ ଅନେକ ଦୁର୍ନୀତି ଉଦ୍ୟମ କରାଯାଉଥିବାରୁ ସେ ତାକୁ ବିରୋଧ କରି ଆସିଛନ୍ତି। ଏଣୁ ତାଙ୍କୁ ଆକ୍ରୋଶର ଶିକାର ହେବାକୁ ପଡ଼ିଛି। ୩୧ ବର୍ଷର ସରକାରୀ ଚାକିରି ଜୀବନରେ ସେ ସବୁବେଳେ ନିୟମ ଅନୁସାରେ କାର୍ଯ୍ୟ କରିଛନ୍ତି। ଏପରି ଘଟଣା ତାଙ୍କୁ ମର୍ମାହତ କରିଥିବା ଶ୍ରୀ ରାଉତ କହିଛନ୍ତି। ଦାୟିତ୍ବ ହସ୍ତାନ୍ତର ପୂର୍ବରୁ ଆଜି ତାଙ୍କୁ ପୌର କାର୍ଯ୍ୟାଳୟ କିମ୍ବା ସରକାରୀ ଗାଡ଼ି ବ୍ୟବହାର କରିବାକୁ ଦିଆଯାଇନାହିଁ। ଅଫିସରେ ତାଲା ପଡ଼ିଥିବାବେଳେ ସେ ନିଜର ବ୍ୟକ୍ତିଗତ ଗାଡ଼ିରେ ଆସି ଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲେ। ଏଠାରେ ଯୋଗଦେବା ପୂର୍ବରୁ ତାଙ୍କୁ ପୂର୍ବତନ ପୌର ନିର୍ବାହୀ ଅଧିକାରୀ ସତର୍କ କରିଦେଇଥିଲେ। ବ୍ୟାସନଗର ଭଲ ଜାଗା ନୁହେଁ, ଯାଜପୁର ଜିଲ୍ଲାରେ ସଚ୍ଚୋଟର ସହ କାମ କରିବା ସହଜ ନୁହେଁ, ତେଣୁ ଦେଖିଚାହିଁ କାମ କରିବାକୁ ସେ ପରାମର୍ଶ ଦେଇଥିଲେ। ଆଜି ସେ ପୁନର୍ବାର ଏହି କଥାକୁ ଦୋହରାଇ ତୁରନ୍ତ ଉକ୍ତ ସ୍ଥାନ ଛାଡ଼ି ନୂତନ ଜାଗାରେ ଯୋଗଦେବାକୁ ବାର୍ତ୍ତା ପଠାଇଥିବା କହିଛନ୍ତି। ଏହି ବାର୍ତ୍ତା ‘ସମ୍ବାଦର ହସ୍ତଗତ ହୋଇଛି। ନିଷ୍ଠାର ସହ ୩୧ ବର୍ଷର ଚାକିରି କରିଥିବା ବେଳେ ସରକାରଙ୍କ ନିର୍ଦେଶ ଅନୁସାରେ ନୂତନ ସ୍ଥାନରେ କାର୍ଯ୍ୟ କରିବି ବୋଲି ଶ୍ରୀ ରାଉତ କହିଛନ୍ତି।

ସମ୍ବନ୍ଧିତ ଖବର