ବରପାଲି: ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ମହାରାଜ ଗୋପାଳ ସାହୁ (ଏଲି)ଙ୍କର ମଙ୍ଗଳବାର ପରଲୋକ ଘଟିଛି। ତାଙ୍କୁ ୬୯ ବର୍ଷ ହୋଇଥିଲା। ସେ ଦୀର୍ଘ ୨୩ ବର୍ଷ ଧରି ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ନିଖୁଣ ଅଭିନୟ କରି ଅନେକ ପ୍ରଶଂସା ସାଉଁଟିଥିଲେ। ଗତ କିଛି ଦିନ ଧରି ସେ ଝାରସୁଗୁଡ଼ାରେ ତାଙ୍କ ସାନପୁଅ ସଞ୍ଜୀବଙ୍କ ପାଖରେ ରହୁଥିଲେ। ସୋମବାର ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର ୪ଟା ସମୟରେ ସେ ଶେଷନିଶ୍ବାସ ତ୍ୟାଗ କରିଥିଲେ। ଜନ୍ମମାଟି ବରପାଲିରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି।
ବଲାଙ୍ଗୀର ଜିଲ୍ଲାରେ ଜନ୍ମିତ ସ୍ବର୍ଗତ ସାହୁ ବରଗଡ଼ ଧନୁଯାତ୍ରାର ସପ୍ତମ କଂସ ଭାବରେ ଅଭିନୟ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତାଙ୍କ ନାମ ଗୋପାଳ (ଶ୍ରୀକୃଷ୍ଣ) ହେଲେ ମଧ୍ୟ ତାଙ୍କୁ କଂସ ମହାରାଜ ଭାବେ ସମସ୍ତେ ଜାଣୁଥିଲେ। ୧୯୮୪ ମସିହାରୁ ୨୦୦୮ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ସେ ୨୩ ଥର ଅଭିନୟ କରିବାର ସୁଯୋଗ ପାଇଥିଲେ। ପେସାରେ ଜଣେ ପୁଲିସ ଅଧିକାରୀ ଥିଲେ ହେଁ ନିଶା ଥିଲା ତାଙ୍କର ଅଭିନୟ। ତାଙ୍କ ଅଭିନୟ ରାଜ୍ୟ ତଥା ରାଜ୍ୟ ବାହାରର ଦର୍ଶକମାନଙ୍କୁ ବେଶ ମନ୍ତ୍ରମୁଗ୍ଧ କରୁଥିଲା। ଖାସ କରି ତାଙ୍କ ଅଭିନୟ ଚାତୁର୍ଯ୍ୟ ଦେଖିବା ପାଇଁ କଂସ ଦରବାରରେ ପ୍ରବଳ ଭିଡ଼ ଜମୁଥିଲା। ନଗର ପରିକ୍ରମା ସମୟରେ ହାତୀ ଉପରେ ବସି ନିଜ ଉପସ୍ଥିତ ବାକ୍ଚାତୁରି ଦ୍ବାରା ବିଭିନ୍ନ ପ୍ରସଙ୍ଗରେ ସେ ଜରିମାନା ହାଙ୍କି ଦର୍ଶକଙ୍କର ମନ ଜିଣୁଥିଲେ। ଏହାଛଡ଼ା ବିଭିନ୍ନ ସିନେମାରେ ଅଭିନୟ କରିବା ସହିତ ହାସ୍ୟ ଅଭିନେତା ଭାବେ ଜଣାଶୁଣା ଥିଲେ। ତାଙ୍କ ସମୟର ଅନେକ କଥା ଆଜି ବି କିଂବଦନ୍ତି ହୋଇରହିଛି। ନିଖୁଣ ଅଭିନୟ ପାଇଁ ସେ ଅନେକ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ ହୋଇଛନ୍ତି। ତାଙ୍କ ବିୟୋଗ ଖବର ପାଇ ବରଗଡ଼ ଧନୁଯାତ୍ରା କମିଟିର ସଂପାଦକ ସୁରେଶ୍ବରୀ ଶତପଥୀ, ବରପାଲି ଏନ୍ଏସିର ପୂର୍ବତନ ଉପାଧ୍ୟକ୍ଷ ପ୍ରଦ୍ୟୁମ୍ନ ତ୍ରିପାଠୀଙ୍କ ସମେତ ବହୁ କଳାକାର, ମାନ୍ୟଗଣ୍ୟ ବ୍ୟକ୍ତି ବରପାଲି ଜଗନ୍ନାଥନଗରସ୍ଥିତ ବାସଭବନରେ ପହଞ୍ଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବରପାଲି ନିକଟ ବାରଙ୍ଗପାଲି ଯୋରଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା। ବଡ଼ପୁଅ ପ୍ରମୋଦ ମୁଖାଗ୍ନି ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/fhfsfhhfs-1.jpg)