ପରିବାରକୁ ଉପାସ ରଖି, ବକେୟା ବିଦ୍ୟୁତ ବିଲ ଭରଣା କଲେ !

ଭଦ୍ରକ: ସେସୁ ପକ୍ଷରୁ ବକେୟା ବିଦ୍ୟୁତ ବିଲ ଉପଭୋକ୍ତାଙ୍କ ଲାଇନ କଟାଯିବା ଘଟଣା ଏବେ ଚର୍ଚ୍ଚା ସୃଷ୍ଟି କରିଛି । ଏହି ନିଷ୍ପତ୍ତି ଆସିବା ପରେ ଏବେ ବିଦ୍ୟୁତ ବିଲ ଭରିବା ପାଇଁ ସେସୁ କାର୍ଯ୍ୟାଳୟରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ ଜଣେ ଅସହାୟ ବ୍ୟକ୍ତି କାର୍ତିକ ନାଥ ଦୁଇ ହଜାର ୫ଶହ ଟଙ୍କାର ବିଦ୍ୟୁତ ବିଲ ପଇଠ କରିଛନ୍ତି । ବଡ଼ ବଡ଼ିଆ ଲୋକ ଠିକ୍ ସମୟରେ ବିଲ ଦେଉନଥିବା ବେଳେ ଗାଁ ଗାଁ ବୁଲି ଭିକ୍ଷା ବୃତ୍ତି କରୁଥିବା ଜଣେ ଅସହାୟ ବ୍ୟକ୍ତି ବିଦ୍ୟୁତ ବିଲ ପୈଠ କରି ଲୋକଙ୍କୁ ସଚେତନ କରାଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଭଦ୍ରକ ସହର ନିକଟସ୍ଥ ଉତ୍ତର ବାହିନୀ ସରିପୁର ଗାଁର କାର୍ତିକ ନାଥ ଭିକ୍ଷା ବୃତ୍ତି କରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । ଗାଁ ଗାଁ ବୁଲି ଭିକ୍ଷା ମାଗି ପରିବାରର ୮ ଜଣଙ୍କ ପେଟ ପୋଷିଥାନ୍ତି | ତେବେ କାର୍ତ୍ତିକଙ୍କର ଅଢେଇ ହଜାର ଟଙ୍କାର ବିଦ୍ୟୁତ ବିଲ ବକେୟା ଥିଲା |

ବିଦ୍ୟୁତ କଟିଯିବା ଭୟରେ ନିଜ ପରିବାର ଲୋକଙ୍କ ପେଟ ଉପାସ ରଖି ଅଢେଇ ହଜାର ଟଙ୍କା ନେଇ ବିଦ୍ୟୁତ କାର୍ଯ୍ୟାଳୟରେ ଜମା କରିଛନ୍ତି । ବିଦ୍ୟୁତ ବିଲ ଭରଣା କରି ଜଣେ ବିଦ୍ୟୁତ ଉପଭୋକ୍ତାଙ୍କର ଧର୍ମ ପାଳନ କରିଛନ୍ତି କାର୍ତ୍ତିକ | କାର୍ତ୍ତିକଙ୍କର ଏଭଳି ପଦକ୍ଷେପକୁ ନେସ୍କୋ କର୍ମଚାରୀ ସ୍ୱାଗତ କରିଥିବା ବେଳେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।

ସମ୍ବନ୍ଧିତ ଖବର

Comments are closed.