ପୁରୀ: କାଳିଆର ବଡ଼ଦାଣ୍ଡ, ନା ଧନୀ ନା ଗରିବ ସମସ୍ତଙ୍କ ପାଇଁ ଏହି ଦାଣ୍ଡ ସବୁବେଳେ ଖୋଲା ଥାଏ | କିଛି ଦିନ ତଳେ ପୁରୀ ବଡଦାଣ୍ଡରେ ବିଟେକ ଇଂଜିନିୟରିଂ ପଢି ଭିକ୍ଷାବୃତି କରୁଥିବା ଗିରିଜା ଶଙ୍କର ମିଶ୍ରଙ୍କ କାହାଣୀ ଆପଣ ଜାଣିଥିଲେ | ଆଜି ବଡଦାଣ୍ଡରୁ ଆସିଛି ସେହିଭଳି ଆଉ ଏକ ଉଚ୍ଚ ଶିକ୍ଷିତ ଭିକାରିଙ୍କ କାହାଣୀ । ନାମ ସୁଜିତ ପାଢ଼ୀ, ପାଠପଢ଼ାରେ ସବୁବେଳେ ଆଗରେ ରହୁଥିବା ଏହି ବ୍ୟକ୍ତି କିନ୍ତୁ ଓଏଏସ ମୁଖ୍ୟ ପରୀକ୍ଷା ଦେଇ ପାସ ହୋଇଛନ୍ତି ହେଲେ ମୌଖିକରେ କୃତକାର୍ଯ୍ୟ ହୋଇପାରିନଥିଲେ । ପରେ ଓଏଏସ ପାଇବା ନିଶାରେ ମାନସିକ ଭାରସାମ୍ୟ ହରାଇ ବସିଥିଲେ ସୁଜିତ | ଥରେ, ଦୁଇ ଥର ଆଉ ତା’ପରେ ତୃତୀୟ ଥର ଓଏଏଏସ୍ ପରୀକ୍ଷା ଦେବାପରେ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ସୁଜିତ । ହେଲେ ଭାଇବା ପରୀକ୍ଷାରେ ଅକୃତକାର୍ଯ୍ୟ ହେବାପରେ ମାନସିକ ସନ୍ତୁଳନ ହରାଇ ବସିଥିଲେ ସୁଜିତ। ଆଉ ବାପାଙ୍କ ଦେହାନ୍ତ ପରେ ଦୀର୍ଘ ୧୫ ବର୍ଷ ହେବ ନିଜର ପେଟ ପୋଷିବା ପାଇଁ ବଡଦାଣ୍ଡରେ ଭିକ୍ଷାବୃତ୍ତି କରୁଛନ୍ତି ପୁରୀ ବଡଶଙ୍ଖ ତଳନୂଆ ସାହିର ୫୩ ବର୍ଷୀୟ ଏହି ବ୍ୟକ୍ତି ।
ବାପାଙ୍କ ହେହାନ୍ତ ପରେ ପରିବାର ଲୋକ ସୁଜିତଙ୍କୁ ପଚରାରିନଥିଲେ । ପରିବାରରେ ୩ ଭଉଣୀ , ୩ ଭାଇ ଥିଲେ ମଧ୍ୟ କେହି ଆଉ ସୁଜିତଙ୍କର ଦେଖାଶୁଣା କରିନଥିଲେ । ଶେଷରେ ପରିସ୍ଥିତିରେ ପଡି ପେଟ ପୋଷିବା ପାଇଁ ଭିକ୍ଷାବୃତ୍ତିକୁ ଆପଣାଇନେଇଥିଲେ ସୁଜିତ । ତେବେ ପିଲାବେଳୁ ସୁଜିତଙ୍କୁ ଦେଖିଥିବା ଲୋକମାନେ କହନ୍ତି ସୁଜିତ୍ ଜଣେ ମେଧାବୀ ଛାତ୍ର । ପିଲାଟି ବେଳୁ ପାଠ ପାଇଁ ପାଗଳ, ଯଦି ତାଙ୍କର ଉପଯୁକ୍ତ ଚିକିତ୍ସା କରାଯାଏ ତେବେ ସେ ସୁସ୍ଥ ହୋଇପାରିବେ ।
ବଡ଼କଥା ଯେ ଅନ୍ୟ ଭିକାରୀଙ୍କ ପରି କାହାକୁ ଗାଳିଗୁଲଜ କରନ୍ତିନି ସୁଜିତ । ବେଶ୍ ମାର୍ଜିତ ତାଙ୍କ ବ୍ୟବହାର । ଅନର୍ଗଳ ଇଂରାଜୀ ଓ ଜ୍ୟୋତିଷ ଶାସ୍ତ୍ରକୁ ମନେ ମନେ ଗୁଣି ହୁଅନ୍ତି । ଆଭିଜାତ୍ୟ ସମ୍ପନ୍ନ ପରିବାରର ସୁଜିତଙ୍କ ପାଇଁ ଏବେ ବଡ଼ଦାଣ୍ଡ ପାଲଟିଛି ଶେଷ ଠିକଣା । କିଛି ଦିନ ପୂର୍ବରୁ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ଦେହାନ୍ତ ଖବର ଶୁଣି ଘରକୁ ଯାଇଥିଲେ ସୁଜିତ । ହେଲେ ମାନସିକ ସନ୍ତୁଳନ ହରାଇଥିବା ସୁଜିତକୁ କେହି ଆଦର ଯତ୍ନ କଲେନି । ତେବେ ଉଚିତ ଚିକିତ୍ସା କରାଇଲେ ସେ ଭଲ ହୋଇପାରନ୍ତେ ବୋଲି ସୁଜିତଙ୍କ ସାଙ୍ଗସାଥୀ କୁହନ୍ତି ।