ନିଶା ପାଇଁ ଭିକ୍ଷା, ବାୟା କରିଛି ସୋଲ୍ୟୁସନ

ଝାରସୁଗୁଡ଼ା: ସୋଲ୍ୟୁସନ ଏକ ପ୍ରକାର ଆଡେସିଭ ବା କେମିକାଲଯୁକ୍ତ ଅଠା । ଏହାକୁ ଗ୍ଲୁ ମଧ୍ୟ କୁହାଯାଏ। ଏହି ଅଠା ଅଣଧାତବ ପଦାର୍ଥକୁ ଯୋଡ଼ିବାରେ ସାହାଯ୍ୟ କରିଥାଏ। ବିଶେଷ କରି ଏହା ସାଇକେଲ, ଗାଡ଼ି, ମଟରରେ ଲାଗୁଥିବା ଟ୍ୟୁବ କଣାକୁ ମଧ୍ୟ ବନ୍ଦ କରାଯିବାରେ ବ୍ୟବହାର ହୋଇଥାଏ। ଏହା ମଧ୍ୟ କାରପେଣ୍ଟର, ଫୁଟୱେର, ଅଟୋମୋବାଇଲସ, ଏଗ୍ରିକଲଚର ମେସିନେରି ଶିଲ୍ପରେ ଏହାର ବହୁଳ ବ୍ୟବହାର ହୋଇଥାଏ। ଏଥିରୁ ବାହାରୁ ଥିବା ଗନ୍ଧରେ ବହୁ ବ୍ୟକ୍ତି ଆକୃଷ୍ଟ ହୋଇଥାନ୍ତି ଓ ଏହି ଗନ୍ଧ ଆଘ୍ରାଣ କରିବା ଏକ ନିଶାରେ ପରିଣତ ହୋଇଥାଏ। ଏହି ସୋଲ୍ୟୁସନ ଗନ୍ଧର ନିଶା ଏତେ ପ୍ରଖର ହୋଇଥାଏ ଯେ, ବହୁ ଯୁବକ, ଯୁବତୀ ଏହି ଗନ୍ଧ ଆଘ୍ରାଣ କରିବା ପାଇଁ ସବୁବେଳେ ବ୍ୟାକୁଳ ହୋଇଥାନ୍ତି। ଏହି ଗନ୍ଧର ନିଶା ଏତେ ଭୟଙ୍କର ଯେ ଏହି ନିଶା ସେବନ କରୁଥିବା ବ୍ୟକ୍ତି ନିଜର ହିତାହିତ ଜ୍ଞାନ ଭୁଲି ଅପରାଧ ପୃଷ୍ଠଭୂମିକୁ ଚାଲି ଯାଇଥାଏ। କିଛି ବର୍ଷ ତଳେ ବ୍ରଜରାଜନଗର ପୁଲିସ ଅଧିନରେ ଜଣେ ରାଜସ୍ବ ଅଧିକାରୀଙ୍କୁ  ହତ୍ୟା କରାଯାଇଥିଲା। ଦୁଇଜଣ ସୋଲ୍ୟୁସନ ନିଶାଶକ୍ତ ଯୁବକ ଏହି ରାଜସ୍ବ ଅଧିକାରୀ ଏଟିଏମ୍‌ରୁ ଟଙ୍କା ଉଠାଣ କରୁଥିବା ବେଳେ ତାଙ୍କୁ ପିଛା କରିଥିଲେ ଓ ଛୁରିଭୁସି ନୃଶଂସ ଭାବରେ ହତ୍ୟା କରିବା ପରେ ଆମଦରହ ଜଙ୍ଗଲରେ ଘୋଷାଡ଼ି ନେଇ ଫିଙ୍ଗି ଦେଇଥିଲେ।

ଏହି ହତ୍ୟାକାରୀ ମାନେ ଏତେ ସୋଲ୍ୟୁସନ ନିଶାରେ ଚୁରଉ ଥିଲେ ଯେ, ପୁଲିସ ଏମାନଙ୍କୁ ଧରିବା ପରେ ମଧ୍ୟ ଦୁଇଦିନ ପର୍ୟ୍ୟନ୍ତ ଏମାନଙ୍କ ନିଶା କମିନଥିଲା। ଝାରସୁଗୁଡ଼ା ଜିଲ୍ଲା ଏକ ଶିଳ୍ପ ଓ ଖଣି ଖାଦାନ ଭରା ଅଞ୍ଚଳ ହୋଇଥିବା ବେଳେ ପର୍ୟ୍ୟାପ୍ତ ରେଳ ସଂଯୋଗ ଏହି ନିଶାଶକ୍ତ ଲୋକଙ୍କୁ ଖୁବ ସହାୟ ହୋଇଥାଏ। ଜିଲ୍ଲାରେ ବାହାର ରାଜ୍ୟରୁ ଆସୁଥିବା ଅସଂଖ୍ୟ ପରିଚୟହୀନ ଯୁବକ ଯୁବତୀ ରେଳ ଷ୍ଟେସନ ଅଞ୍ଚଳରେ ଦଳ ଦଳ ହୋଇ ବୁଲୁଥିବା ଦେଖା ଯାଇଥାଏ। ଏମାନେ  ୨୪ ଘଣ୍ଟା ସୋଲ୍ୟୁସନ ଗନ୍ଧ ଆଘ୍ରାଣ କରୁଥିବା ଦେଖା ଯାଇଥାଏ। ଏହି ଶ୍ରେଣୀର ବହୁ ବ୍ୟକ୍ତି ଭିକାରି ବା ଭିକ୍ଷାବୃତ୍ତି କରୁଥିବା ବେଳେ ସୋଲ୍ୟୁସନ ଟ୍ୟୁବ କିଣି ଏହାକୁ ଏକ ଗାମୁଛାରେ ଲଗାଇ ତାକୁ ନାକ ଓ ପାଟି ଦ୍ବାରା ଆଘ୍ରାଣ କରି ନିଶାଶକ୍ତ ହୋଇଥାନ୍ତି। ଏହି ନିଶା ସେବନ ଦ୍ବାରା ଭୋକ ହୋଇନଥାଏ। ଏହି ନିଶାଶକ୍ତ ଯୁବକ ମାନେ ବହୁ ଅପରାଧିକ କାର୍ୟ୍ୟରେ ସଂଶ୍ଳିଷ୍ଟ ରହୁଥିବା ପୁଲିସ ପାଖରେ ଅନେକ ଅଭିଯୋଗ ରହିଛି। ସୋଲ୍ୟୁସନ କିଣିବା ପାଇଁ ଏମାନେ ଟ୍ରେନ୍‌ ଓ ବସ୍‌ ଯାତ୍ରୀଙ୍କ ଠାରୁ ବହୁ ମୂଲ୍ୟବାନ ସାମଗ୍ରୀ ଲୁଟ କରୁଥିବା ବେଳେ ସୋଲ୍ୟୁସନ ନେବା ପରେ ଅଧିକ ଅପରାଧିକ କାର୍ୟ୍ୟ କରୁଥିବା ଦେଖା ଯାଉଛି।

ରାତି ହେଲେ ଏମାନେ ମୁଖ୍ୟ ସଡ଼କରେ ଥିବା ଦୋକାନ ବଜାର ପିଣ୍ଡା‌ରେ ଶୋଇ ପଡ଼ିଥାନ୍ତି। କେବଳ ଯେ ଯୁବକ ଯୁବତୀ ଏହି ସୋଲ୍ୟୁସନ ନିଶାରେ ବ୍ୟାକୁଳ ତାହା ନୁହେଁ ବହୁ ନାବାଳକ ମଧ୍ୟ ଏହି ନିଶାର ଶିକାର ହୋଇଛନ୍ତି। ଏହି ଶ୍ରେଣୀର ନାବାଳକ ମାନେ ଟ୍ରେନ୍‌ ବଗିରେ ଦୁଇ ତିନି ଜଣରେ ବିଭକ୍ତ ହୋଇ ହାତରେ ଛୋଟ ଝାଡ଼ୁ ଖଣ୍ଡେ  ଧରି ସଫେଇ ବାହାନାରେ ଟଙ୍କା ମାଗିବା ଓ ପରେ ସୁଯୋଗ ଉଣ୍ଡି ଲୁଟ କରୁଥିବା ମଧ୍ୟ ଅନେକ ଅଭିଯୋଗ ପୁଲିସରେ ରହିଛି।  ଏହି ସୋଲ୍ୟୁସନ ନିଶାଖୋର ଏବେ ସହରରେ ପ୍ରାୟ ଅପରାଧିକ କାର୍ୟ୍ୟକଳାପରେ  ସାମିଲ ରହୁଥିବା ପୁଲିସ ପକ୍ଷରୁ ସୂଚନା ମିଳୁଛି। ବହୁ ସ୍ଥାନରେ ଏବେ ବଢ଼ିଥିବା ଛୋଟବଡ଼ ଚୋରି ଘଟଣାରେ ମଧ୍ୟ ଏହି ନିଶାଶକ୍ତଙ୍କ ହାତ ରହିଥିବା ସ୍ପଷ୍ଟ ହୋଇଛି। ପୁଲିସ ପ୍ରଶାସନ ଏହି ସୋଲ୍ୟୁସନ ନିଶାଶକ୍ତ ଲୋକଙ୍କୁ ସାବାଡ଼ କରିବା ପାଇଁ ଏକ ଦୃଢ଼ ପଦକ୍ଷେପ ନେବା ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର