ଆସିକା : ଦକ୍ଷିଣ ଘୁମୁସର ବନଖଣ୍ଡ ଅଧୀନ ଆସିକା, ପୋଲସରା ଓ ବୁଗୁଡ଼ା ବନାଞ୍ଚଳରେ ଆଜିଠୁ ବିରଳ କୃଷ୍ଣସାର ମୃଗ ଗଣନା ଆରମ୍ଭ ହୋଇଛି। ଆସିକା ବନାଞ୍ଚଳ ପାଇଁ ୨୬ଟି, ପୋଲସରା ପାଇଁ ୧୦ଟି ଓ ବୁଗୁଡ଼ା ବନାଞ୍ଚଳ ପାଇଁ ୨୮ଟି ଏଭଳି ଭାବେ ମୋଟ ୬୪ଟି ଟିମ୍‌କୁ ଗଣନା ପାଇଁ ନିୟୋଜନ କରାଯାଇଥିବା ସୂଚନା ମିଳିଛି। ୧୯୭୩ ମସିହାରେ ପ୍ରଥମ ଥର ପାଇଁ କୃଷ୍ଣସାର ମୃଗ ଗଣନା ଆରମ୍ଭ ହୋଇଥିଲା। ବିଶେଷକରି କରି ଆସିକା ବନାଞ୍ଚଳ ଅଧୀନ ଭେଟନଇ, ପାଣ୍ଡିଆପଥର, ବାବନପୁର, ବରଗାଁ ଓ ସିଦ୍ଧନୟୀ ଆଦି ପଞ୍ଚାୟତ ଏହି ସୁନ୍ଦର ପ୍ରାଣୀର ପ୍ରାକୃତିକ ବିଚରଣସ୍ଥଳ ଭାବେ ପରିଚିତ। ୨୦୨୧ ଗଣନା ଅନୁସାରେ ଆସିକା ବନାଞ୍ଚଳରେ ମୋଟ ୧୭୭୩ଟି ମୃଗ ଥିଲେ।
ଅନ୍ୟପକ୍ଷରେ ଆଜି ଆସିକା ବନାଞ୍ଚଳ ଅନ୍ତର୍ଗତ ଚାରିମାଇଲିରେ କୃଷ୍ଣସାର ଗଣନା ପାଇଁ ଏକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା। ଆସିକା ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ପଣ୍ଡାଙ୍କ ସଂଯୋଜନାରେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ଦିଲ୍ଲୀପ କୁମାର ରାଉତ, ଏସିଏଫଓ ପ୍ରଭାକର ନାୟକ, ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର୍ ପ୍ରଫୁଲ୍ଲ କୁମାର ମହାନ୍ତି, ବନ୍ୟପ୍ରାଣୀ ତତ୍ୱାବଧାରକ ଶୂଳପାଣି ଶତପଥୀ, ଆସିକା ମହାବିଦ୍ୟାଳୟର ଅଧ୍ୟାପକ ମେଜର୍ ଶଙ୍କର ପ୍ରସାଦ ଅଧିକାରୀ ଓ ଗଞ୍ଜାମ ଜିଲ୍ଲା କୃଷ୍ଣସାର ମୃଗ ସୁରକ୍ଷା ସମିତିର ସଭାପତି ଅମୂଲ୍ୟ ଉପାଧ୍ୟାୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ କୃଷ୍ଣସାରଙ୍କ ସୁରକ୍ଷା ଉପରେ ଆଲୋଚନା କରିଥିଲେ।