ବେଗୁନିଆ ‘ସମ୍ବାଦ ସାହିତ୍ୟ ଘର’ ଦ୍ୱିତୀୟ ବାର୍ଷିକ ଉତ୍ସବ : ସାହିତ୍ୟ ଲୋକଙ୍କୁ ଯୋଡ଼ିଥାଏ – ସୌମ୍ୟରଞ୍ଜନ

ବେଗୁନିଆ : ସାହିତ୍ୟ ସମାଜର ପ୍ରତି ବର୍ଗର ଲୋକଙ୍କୁ ଯୋଡ଼ିବାକୁ ଚେଷ୍ଟା କରିଥାଏ । ପୁଞ୍ଜିବାଦୀ ସମାଜରେ ମଣିଷ ଆତ୍ମକୈନ୍ଦ୍ରିକ ହୋଇ ପଡୁଥିବା ବେଳେ ତା’ଭିତରେ ସୃଷ୍ଟି ହେଉଥିବା ବିଷମତାକୁ ସାହିତ୍ୟ ଦୂର କରିଥାଏ ବୋଲି ‘ସମ୍ବାଦ’ର ସମ୍ପାଦକ ତଥା ଖଣ୍ତପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି। ଆଜି ବେଗୁନିଆ ‘ସମ୍ବାଦ ସାହିତ୍ୟ ଘର’ର ଦ୍ବିତୀୟ ବାର୍ଷିକ ଉତ୍ସବ ପାଳନ ଅବସରରେ ଦୁଇ ଦିନିଆ ସାରସ୍ବତ ସମାରୋହକୁ ଉଦ୍‌ଘାଟନ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବେଗୁନିଆ ସାହିତ୍ୟ ଘର କେବଳ ସାହିତ୍ୟ ଚର୍ଚ୍ଚାରେ ସୀମିତ ରହି ନାହିଁ। ଭାଷା ସାହିତ୍ୟର ସୁରକ୍ଷା ସହିତ ବୃକ୍ଷରୋପଣ, ରକ୍ତଦାନ ଶିବିର ଓ ସ୍ବାସ୍ଥ୍ୟ ସେବା ଶିବିର ଭଳି ଜନକଲ୍ୟାଣକାରୀ ପଦକ୍ଷେପ ଗ୍ରହଣ କରି ବେଗୁନିଆ ‘ସମ୍ବାଦ ସାହିତ୍ୟ ଘର’ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ସାହିତ୍ୟ ଘରର ସଭାପତି ରାଜକିଶୋର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ବିଶେଷ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ସାହିତ୍ୟିକ ତଥା ସ୍ତମ୍ଭକାର ଦାଶ ବେନହୁର ସାହିତ୍ୟ କେବଳ ଅକ୍ଷରର ପରିପ୍ରକାଶ ନୁହେଁ, ଏହା ଗୋଟିଏ ଜାତିକୁ ଆୟୁଷ୍ମାନ କରିବାର ସଂକଳ୍ପ ନେଇଥାଏ ବୋଲି କହିଥିଲେ। ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷାବିତ୍ ବାବାଜୀ ଚରଣ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାହିତ୍ୟର ସୌକୁମାର୍ଯ୍ୟ ଓ ନିରୁତା ପଣିଆର ବହୁ ଉଦାହରଣ ଦେଇଥିଲେ। ‘ସମ୍ବାଦ ସାହିତ୍ୟ ଘର’ର ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସାହିତ୍ୟ ମାନବୀୟ ମୂଲ୍ୟବୋଧର ବିକାଶରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥାଏ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ସାହିତ୍ୟ ଘରର ମୁଖପତ୍ର ‘ସ୍ବୟଂସିଦ୍ଧା’କୁ ଅତିଥିମାନେ ଉନ୍ମୋଚନ କରିଥିଲେ।

ପ୍ରାରମ୍ଭରେ ଗାୟକ ଖଗେଶ୍ବର ମାର୍ଥା ମଙ୍ଗଳାଚରଣ ପାଠ କରିଥିଲେ। ପରେ ଅନୁଷ୍ଠାନର ଉପଦେଷ୍ଟା ପ୍ରାଧ୍ୟାପକ ରବୀନ୍ଦ୍ର ନାଥ ପାଣିଗ୍ରାହୀଙ୍କ ରଚନା ଓ ସ୍ବର ସଂଯୋଜନାରେ ଛାତ୍ରଛାତ୍ରୀମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ଏଥିରେ ସମ୍ପାଦକ ଦିବାକର ସାହୁ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ପ୍ରାଧ୍ୟାପକ ଶ୍ରୀ ପାଣିଗ୍ରାହୀ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଅତିଥିମାନଙ୍କୁ ସାହିତ୍ୟଘର ପକ୍ଷରୁ ଉପଢୌକନ ସହ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଉପଦେଷ୍ଟା ଡା. ଅମରେନ୍ଦ୍ର ନାଥ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମର ଦ୍ବିତୀୟ ଅଧିବେଶନରେ ଆୟୋଜିତ ସାରସ୍ବତ ସଭାକୁ ସାହିତ୍ୟ ଘରର ସଭ୍ୟ କବି ଗୋପୀନାଥ ସେଠୀ ସଂଯୋଜନା କରିଥିଲେ। ଏଥିରେ ଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ଡ. ହରିହର କାନୁନଗୋ ମୁଖ୍ୟ ଅତିଥି ଓ ସାହିତ୍ୟିକ ତଥା ‘ଆମ ଓଡିଶା’ର ସମ୍ପାଦକ ସ୍ବରାଜ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ପ୍ରକୃତ ସାହିତ୍ୟ ମଣିଷ ମନରୁ ‘ମୁଁ’ ଭାବକୁ ଦୂର କରି ‘ଆମେ’ ଭାବନାକୁ ସଂଚରଣ କରି ଏକ ସନ୍ତୁଳିତ ସମାଜ ଗଠନ କରିବାରେ ସହାୟକ ହୋଇଥାଏ ବୋଲି କହିଥିଲେ। ଏହି ଅବସରରେ ବିଶିଷ୍ଟ ଶିଶୁ କଳାକାର ବର୍ଷା ପ୍ରିୟଦର୍ଶିନୀ ବିଷୋୟୀଙ୍କ ଓଡ଼ିଶୀ ନୃତ୍ୟ ପରିବେଷଣ ସମସ୍ତଙ୍କୁ ଆମୋଦିତ କରିଥିଲା। ଶେଷରେ ଅନୁଷ୍ଠାନର ବରିଷ୍ଠ ସଭ୍ୟ ତଥା ଅବସରପ୍ରାପ୍ତ ପ୍ରଶାସକ ସୁଧାକର ସାମନ୍ତରାୟ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମକୁ ସହସମ୍ପାଦକ ମନୋଜ କୁମାର ମହାପାତ୍ର, ଉପସଭାପତି ପତିତପାବନ ବଳବନ୍ତରାୟ, ସଭ୍ୟା ପ୍ରତିମା ପ୍ରଧାନ, ସଭ୍ୟ ସୁରେନ୍ଦ୍ର ସୁବୁଦ୍ଧି, ପ୍ରସନ୍ନ କୁମାର ବାରିକ, ବିଜୟ କୁମାର ପ୍ରଧାନ ଓ ଓମ୍‌ପ୍ରକାଶ ବାହୁବଳେନ୍ଦ୍ର ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର