ଶ୍ରୀଜଗନ୍ନାଥ ମନ୍ଦିର ମରାମତି ମାମଲା : ବେହେରଣ ଦ୍ୱାର କାମ ୪ ମାସରେ ସରିବ

ଅନ୍ୟ ମନ୍ଦିର ମରାମତି ନେଇ ଏଏସ୍‌ଆଇକୁ ସତ୍ୟପାଠ ମାଗିଲେ

କଟକ : ପୁରୀ ଶ୍ରୀ ମନ୍ଦିର ପରିସରରେ ଥିବା ଅନ୍ୟ ମନ୍ଦିର ଗୁଡିକର ମରାମତି ପାଇଁ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ସଂପର୍କରେ ସତ୍ୟପାଠ ଦାଖଲ କରିବ ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)। ଶ୍ରୀ ମନ୍ଦିର ମରାମତି ମାମଲାର ଶୁଣାଣି ସମୟରେ ହାଇକୋର୍ଟ ଆଜି ଏ ପ୍ରକାର ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀମନ୍ଦିର ପରିସରରେ ଥିବା ଛୋଟ ବଡ଼ ୫୧ଟି ମନ୍ଦିର ଓ ଅନ୍ୟ କେତେକ ପୁରୁଣା ପଥର ଢାଞ୍ଚାର ତୁରନ୍ତ ମରାମତି ଆବଶ୍ୟକ। ବିଭିନ୍ନ ସମୟରେ ବୈଷୟିକ ଦଳ ଏହି ସବୁ ସ୍ଥାନର ଯାଞ୍ଚ କରି ଦୁର୍ବଳ ସ୍ଥିତି ସଂପର୍କରେ ରିପୋର୍ଟ ଦେଇଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଏ ପ୍ରକାର ତଥ୍ୟ ହାଇକୋର୍ଟରେ ଦାଖଲ ହୋଇଥିବା ବେଳେ ଏହା ଉପରେ ଜବାବ ରଖିବା ପାଇଁ ଏଏସଆଇକୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଆଜି ମାମଲାର ଶୁଣାଣି ସମୟରେ ଏଏସଆଇର ସୁପରିଟେଣ୍ଡିଂ ଆର୍କିଓଲୋଜିଷ୍ଟ ଏଚ୍‌.ଏ. ନାୟକଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଦର୍ଶାଯାଇଥିଲା ଯେ ବେହେରଣ ଦ୍ୱାର ନିକଟସ୍ଥ ଦୁର୍ବଳ ସ୍ଥାନର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ଏଏସଆଇ ବୈଷୟିକ କୋର୍‌ କମିଟିର ପରାମର୍ଶ ଓ ଏଏସଆଇ ନିର୍ଦ୍ଦେଶକ (କନଜରଭେସନ୍‌)ଙ୍କ ପକ୍ଷରୁ ଜାରି ନିୟମାବଳୀ ଅନୁସାରେ ମରାମତି କାର୍ଯ୍ୟ ଚାଲିଛି। ଏଥି ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଆବଶ୍ୟକ ସ୍ଥାନ ପ୍ରଦାନ କରାଯାଇଛି। ଏହି କାମ ସରିବା ପାଇଁ ୪ ମାସ ସମୟ ଲାଗିବ। କିନ୍ତୁ ଜୟବିଜୟ ଦ୍ୱାର ନିକଟରେ ଦୁର୍ବଳ ହୋଇ ପଡିଥିବା ଛାତର ମରାମତି ପାଇଁ ଯୋଜନା ପ୍ରସ୍ତୁତ ହୋଇ ସାରିଥିବା ବେଳେ କାମ ଆରମ୍ଭ ହୋଇ ପାରି ନାହିଁ। କୋର କମିଟି ଏଥି ପାଇଁ ବୈଷୟିକ ପରାମର୍ଶ ପ୍ରଦାନ କରି ସାରିଥିବା ବେଳେ ଏଏସଆଇ ନିର୍ଦ୍ଦେଶକ(କନଜରଭେସନ୍‌) ମରାମତି ସ୍ଥଳ ପରିଦର୍ଶନ କରି ଆବଶ୍ୟକ ନିୟମାବଳୀ ଜାରି କରି ସାରିଛନ୍ତି।

ମରାମତି କାମ ପାଇଁ ନିରୂପଣ କରାଯାଇଥିବା ସ୍ଥାନ ଏଏସ୍‌ଆଇକୁ ପ୍ରଦାନ ପାଇଁ ମନ୍ଦିର ପ୍ରଶାସନକୁ ଅନୁରୋଧ କରାଯାଇଛି। ୧୮୦ ଦିନ ମଧ୍ୟରେ କାମ ସାରିବାକୁ ଯୋଜନା ରହିଛି। ସେହିଭଳି ଗରୁଡ ସ୍ତମ୍ଭ ନିକଟରେ ଥିବା ଦୁର୍ବଳ ସ୍ଥାନର ମରାମତି ପାଇଁ ୩୦ ଦିନ ଲାଗିବ ବୋଲି ଏଏସଆଇ ପକ୍ଷରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଛି।  ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୨ ତାରିଖକୁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀ ଅଭିଷେକ ଦାସଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର, ସୂର୍ଯ୍ୟ ପ୍ରକାଶ ଆର୍ତ୍ତ ବିଦ୍ୟାଧର ମଙ୍ଗରାଜ, ତ୍ରିଲୋଚନ ଦାଶ, ଏଏସଆଇ ପକ୍ଷରୁ ସିଜିସି ଚନ୍ଦ୍ରକାନ୍ତ ପ୍ରଧାନ ଓ ଶ୍ରୀଜଗନ୍ନାଥ ମନ୍ଦିର ତରଫରୁ ଆଇନଜୀବୀ ସୁବ୍ରତ ଶତପଥୀ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର