ଭୁବନେଶ୍ବର, (କେଶବ ପାଣି): କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ୍‌ ରୢାଙ୍କିଙ୍ଗ୍‌ ଫ୍ରେମଵାର୍କ(ଏନ୍‌ଆଇଆରଏଫ୍‌) ତାଲିକାରେ ଓଡ଼ିଶାର ସରକାରୀ ଶିକ୍ଷାନୁଷ୍ଠାନ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି। ବିଶ୍ବବିଦ୍ୟାଳୟଠାରୁ ଆରମ୍ଭ କରି ଇଞ୍ଜିନିୟରିଂ, ମେଡିକାଲ, କଲେଜ, ଫାର୍ମାସି, ସାଧାରଣ କଲେଜ ବିଭାଗରେ ଭଲ ରୢାଙ୍କ ପାଇପାରି ନାହାନ୍ତି। କେବଳ ଯାହା ଦେଶର ଶହେ ବିଶ୍ବବିଦ୍ୟାଳୟ ଭିତରେ ଉତ୍କଳ ଏବଂ ୨୦୦ ଭିତରକୁ ଫକୀର ମୋହନ ଓ ସମ୍ବଲପୁର ବିଶ୍ବବିଦ୍ୟାଳୟ ପ୍ରବେଶ କରିଛନ୍ତି। ଇଞ୍ଜିନିୟରିଂ ବର୍ଗରେ ଭିସୁଟ୍‌ କିଛିଟା ସଫଳ ହୋଇଛି। ଆଉ କୌଣସି ବି ଶିକ୍ଷାନୁଷ୍ଠାନର ପ୍ରଦର୍ଶନ ଉନ୍ନତଧରଣର ହୋଇନାହିଁ। ଗୋଟିଏ ପଟେ ରାଜ୍ୟ ଓ କେନ୍ଦ୍ର ସରକାର ଶିକ୍ଷାନୁଷ୍ଠାନକୁ ପ୍ରତିବର୍ଷ କୋଟି କୋଟି ଟଙ୍କାର ପାଣ୍ଠି ଯୋଗାଉଥିବା ବେଳେ ଅନ୍ୟପଟେ ଶିକ୍ଷାନୁଷ୍ଠାନର ଏଭଳି ନୈରାଶ୍ୟଜନକ ରୢାଙ୍କ୍‌ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। କିଛି ସରକାରୀ ବିଶ୍ବବିଦ୍ୟାଳୟ ପାଣ୍ଠି ଅଭାବକୁ ଦର୍ଶାଇ ନିଜ ଅପାରଗତାକୁ ଘୋଡ଼ାଇବାକୁ ଉଦ୍ୟମ କରୁଛନ୍ତି। ସେମାନଙ୍କ ଯୁକ୍ତି ହେଉଛି ଯେ ଘରୋଇ ବିଶ୍ବବିଦ୍ୟାଳୟ ପାଖରେ ପ୍ରଚୁର ଅର୍ଥ ଥିବାରୁ ସେମାନେ ଭିତ୍ତିଭୂମି ବିକାଶ କରି ଭଲ ରୢାଙ୍କ ପାଉଛନ୍ତି। ଆମ ପାଖରେ ଅର୍ଥ ନାହିଁ। ତେଣୁ ଭିତ୍ତିଭୂମି ବିକାଶ କରିପାରୁ ନାହୁଁ। ଅର୍ଥ ମିଳିଲେ ଆମେ ବି ଭଲ ପ୍ରଦର୍ଶନ କରିବୁ ବୋଲି କହୁଛନ୍ତି।

Advertisment

୧୦ ବର୍ଷରେ ପାଇଛନ୍ତି ୩୮୫୮ କୋଟି
କେବଳ ଉତ୍କଳ ପାଇଛି ୧୧୮୬ କୋଟି
ସମ୍ବଲପୁରରେ ପଡ଼ିରହିଛି ୨୦୧ କୋଟି

ତେବେ ‘ସମ୍ବାଦ’କୁ ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ ଗତ ୧୦ ବର୍ଷ ଅର୍ଥାତ୍‌ ୨୦୧୩-୧୪ ଆର୍ଥିକବର୍ଷରୁ ଗତ ଜୁନ୍‌ ୩୦ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗ ଅଧୀନ ୧୪ଟି ବିଶ୍ବବିଦ୍ୟାଳୟକୁ ବିଭିନ୍ନ ପାଣ୍ଠିରୁ ୩ ହଜାର ୮୫୮ କୋଟି ୪୭ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ୩ ହଜାର ୪୦୯ କୋଟି ୭୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଆହୁରି ୪୪୮ କୋଟି ୬୮ ଲକ୍ଷ ଟଙ୍କା ପଡ଼ିରହିଛି। ଏହି ସମୟ ଅବଧି ମଧ୍ୟରେ ଉତ୍କଳ ବିଶ୍ବବିଦ୍ୟାଳୟକୁ ବିଭିନ୍ନ ପାଣ୍ଠିରୁ ଅର୍ଥ ଅଜାଡ଼ି ଦିଆଯାଇଛି। ଅନ୍ୟ ୧୩ଟି ବିଶ୍ବବିଦ୍ୟାଳୟକୁ ଯେତିକି ଅର୍ଥ ମିଳିଛି ତାହାର ଏକ ତୃତୀୟାଂଶ କେବଳ ଉତ୍କଳ ବିଶ୍ବବିଦ୍ୟାଳୟକୁ ଦିଆଯାଇଛି। ୧୩ଟି ବିଶ୍ବବିଦ୍ୟାଳୟକୁ ୧୦ ବର୍ଷ ମଧ୍ୟରେ ବିଭିନ୍ନ ପାଣ୍ଠିରୁ ୨୬୭୨.୩୪ କୋଟି ଟଙ୍କା ମିଳିଛି। ସେଥିମଧ୍ୟରୁ ସେମାନେ ୨୨୯୧.୭୯ କୋଟି ଖର୍ଚ୍ଚ କରିଛନ୍ତି। ବାକି ଅର୍ଥ ପଡ଼ି ରହିଛି। ଯଦି କେବଳ ଉତ୍କଳ ବିଶ୍ବବିଦ୍ୟାଳୟ କଥା ଦେଖିବା ୧୦ ବର୍ଷରେ ୧୧୮୬ କୋଟି ୧୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ୧୧୧୮ କୋଟି ଟଙ୍କା ଏବେ ସୁଦ୍ଧା ଖର୍ଚ୍ଚ ହୋଇଛି। ବାକି ଅର୍ଥ ପଡ଼ି ରହିଛି।

publive-image

ଉତ୍କଳ ବିଶ୍ବବିଦ୍ୟାଳୟ ବ୍ଲକଗ୍ରାଣ୍ଟରୁ କେବଳ ୯୫୯ କୋଟି ୩୩ ଲକ୍ଷ ଟଙ୍କା ହାତେଇଛି। ଏହାବାଦ୍‌ ଆଇଡି(ଇନ୍‌ଷ୍ଟିଚ୍ୟୁସନାଲ ଡେଭଲ୍‌ପମେଣ୍ଟ) ଗ୍ରାଣ୍ଟରୁ ୧୩୦ କୋଟି ଓ ରୁସାରୁ ୯୬ କୋଟି ୮ ଲକ୍ଷ ଟଙ୍କା ପାଇଛି। ୧୦ ବର୍ଷରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ବ୍ଲକଗ୍ରାଣ୍ଟରୁ ୬୦୧.୨୫, ରୁସାରୁ ୧୮ ଓ ଆଇଡି ଗ୍ରାଣ୍ଟରୁ ୬୬.୮୧ କୋଟି ଟଙ୍କା ପାଇଛି। ମାତ୍ର ଖର୍ଚ୍ଚ କରିବାରେ ଏହି ବିଶ୍ବବିଦ୍ୟାଳୟ ଅନ୍ୟମାନଙ୍କଠାରୁ ବହୁ ପଛରେ ପଡ଼ିଛି। ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ୨୦୧.୪୮ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରି ନାହାନ୍ତି। ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କିନ୍ତୁ ଅର୍ଥ ଖର୍ଚ୍ଚ କରିବାରେ ପୁରାତନ ବିଶ୍ବବିଦ୍ୟାଳୟ ତୁଳନାରେ ଆଗରେ ରହିଛି। ଏହି ବିଶ୍ବବିଦ୍ୟାଳୟକୁ ବ୍ଲକ୍‌ଗ୍ରାଣ୍ଟରେ ୬୧୦ କୋଟି ୬୯ ଲକ୍ଷ, ରୁସାରେ ୧୭.୯୯ କୋଟି ଓ ଆଇଡି ଗ୍ରାଣ୍ଟରେ ୮୯.୦୪ କୋଟି ଟଙ୍କା ମିଳିଥିଲା। ସେଥିରୁ ୭୨୧.୫୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।

ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ, ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟକୁ ମିଳିଥିବା ସମସ୍ତ ପାଣ୍ଠି ଖର୍ଚ୍ଚ ହୋଇସାରିଛି। ସମ୍ବଲପୁର, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ଓ ମୁକ୍ତ ବିଶ୍ବବିଦ୍ୟାଳୟକୁ ୟୁଜିସି ପକ୍ଷରୁ ପାଣ୍ଠି ଯୋଗାଇ ଦିଆଯାଇଛି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ(ଡବ୍ଲୁଓଡିସି)ରୁ ସମ୍ବଲପୁର ବିଶ୍ବବିଦ୍ୟାଳୟ ୨୮.୬୯ କୋଟି ଟଙ୍କା ହାତେଇଛି। ସରକାରୀ ବିଶ୍ବବିଦ୍ୟାଳୟଗୁଡ଼ିକ ଏତେ ସବୁ ଅର୍ଥ ପାଇବା ପରେ ମଧ୍ୟ ନିଜର ଭିତ୍ତିଭୂମି ସୁଦୃଢ଼ କରିପାରି ନାହାନ୍ତି କି ଦେଶର ଶ୍ରେଷ୍ଠ ଶହେ ମଧ୍ୟକୁ ଆସିପାରି ନାହାନ୍ତି। ଯେତେବେଳେ କି ସୋଆ, କିଟ୍‌ ପରି ଶିକ୍ଷାନୁଷ୍ଠାନ ଲଗାତାର ଭାବେ ଭଲ ପ୍ରଦର୍ଶନ କରିଚାଲିଛନ୍ତି।

publive-image