ପୁରୀ: ପୁରୀ ବେଳାଭୂମି ପ୍ଲଟିଂକୁ ବଳ ଦେଇଛି ସିଆର୍‌ଜେଡ୍‌(ଓସିଜେଡ୍‌ଏମ୍‌ଏ)। ସିଆରଜେଡ୍‌ କର୍ତ୍ତୃପକ୍ଷ ପ୍ଲଟିଂ ଜାଗାର ପ୍ରତ୍ୟକ୍ଷ ସ୍ଥିତି ଅନୁଧ୍ୟାନ ନ କରି ଘର ନିର୍ମାଣ ପାଇଁ ଅନୁମତି ଦେଇଛନ୍ତି । ଯାହାକୁ ଆଧାର କରି ଏବେ ପୁରୀ ବେଳାଭୂମି ଉପରେ ସମୁଦ୍ରକୁ ଲାଗି ପ୍ଲଟିଂ ଆରମ୍ଭ କରାଯାଇଛି। ଆଉ ପିକେଡିଏ ଘର ନିର୍ମାଣ ପ୍ଲାନିଂ ଅନୁମତିକୁ ଖାରଜ କରି ଦେଇଥିଲେ ବି ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି ନିର୍ମାଣ କାର୍ଯ୍ୟ ଜାରିରହିଛି। ଅପରପକ୍ଷେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପିକେଡିଏ ପକ୍ଷରୁ ନିର୍ମାଣାଧୀନ ସ୍ଥାନରେ ନୋଟିସ୍‌ ଜାରି କରାଯାଇଛି। ନିର୍ମାଣାଧୀନ ଘର ବେଆଇନ୍‌ ଥିବା ଦର୍ଶାଇ ତୁରନ୍ତ ଘର ନିର୍ମାଣ ବନ୍ଦ ରଖିବାକୁ କୁହାଯାଇଛି। ଗତକାଲି ଏ ସଂପର୍କିତ ଚିଠି ନିର୍ମାଣାଧୀନ ଘରର କାନ୍ଥରେ ବି ଲଗାଯାଇଥିଲା। କିନ୍ତୁ ହାକୁ ଚିରି ଦିଆଯାଇଥିବା ଦେଖିବାକୁ ମିଳିଛି।

Advertisment

ହସ୍ତଗତ ଚିଠି ଅନୁଯାୟୀ, ଓସିଜେଡ୍‌ଏମଏ ଚିଠି ସଂଖ୍ୟା-୫୪/୦୪/୦୬/୨୦୨୨ ବଳରେ ସମୁଦ୍ର କୂଳରେ ବ୍ୟକ୍ତିଗତ ଘର ନିର୍ମାଣ କରିବାକୁ ପୁରୀର ଜଣେ ମହିଳା ନାଁରେ ଏହି ଅନୁମତି ପ୍ରଦାନ କରାଯାଇଛି। ୨୦୨୨ ମେ ମାସ ୧୮ ତାରିଖ ବୈଠକରେ ଓସିଜେଡ୍‌ଏମ୍‌ଏ ଏହି ସିଆରଜେଡ୍‌ କ୍ଲିୟରାନ୍ସ ଅନୁମତି ଦେଇଛି। କିନ୍ତୁ ଏଠାରେ ପ୍ଲଟିଂ ପାଇଁ କୌଣସି ଅନୁମତି ନ ଥିବା ବେଳେ ଏହି ଜାଗାକୁ ପ୍ଲଟିଂ କରାଯାଉଛି। ଅପରପକ୍ଷେ ଚିଠିରୁ ସ୍ପଷ୍ଟ ହେଉଛି, ସିଆରଜେଡ୍‌ର କୌଣସି ଅଧିକାରୀ କ୍ଷେତ୍ର ପରିଦର୍ଶନ କରିନାହାନ୍ତି କି ସ୍ଥିତି ଅନୁଧ୍ୟାନ କରିନାହାନ୍ତି। ଆଉ ସୁଚିନ୍ତିତ ଷଡ୍‌ଯନ୍ତ୍ର ଭାବେ ଏହି ଜାଗାକୁ ସିଆରଜେଡ୍‌ ଅନୁମତି ପ୍ରଦାନ କରିଛନ୍ତି। ଯେଉଁ ଜାଗାରେ କଂକ୍ରିଟ୍‌ ନିର୍ମାଣ ଅସମ୍ଭବ, ସେଠି ଏଭଳି ନିର୍ମାଣକୁ ଅନୁମତି, ସିଆରଜେଡ୍‌ରେ ବେଆଇନ୍‌ କାର୍ଯ୍ୟକଳାପକୁ ପ୍ରଶ୍ରୟ ଦିଆଯାଉଥିବା ଦର୍ଶାଉଛି ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି।

କୌଣସି ପରିସ୍ଥିତିରେ ବି ସ୍ଥିତିବାନ ହୋଇପାରିବନି: ଜିଲ୍ଲାପାଳ
୨୦୧୨ରେ ଭଙ୍ଗା ହୋଇଥିଲା ନିର୍ମାଣ: ପିକେଡିଏ
ନୋଟାରିଙ୍କ ବିରୋଧରେ ହେବ ଆପରାଧିକ ମାମଲା: ଉପଜିଲ୍ଲାପାଳ

ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି, ଜମିକୁ ସ୍ଥିତିବାନ ବୋଲି ଦେଖାଇ ସିଆରଜେଡ୍‌ ଅନୁମତି ନିଆଯାଇଛି। ଯେହେତୁ ଏହି ଜାଗା କୌଣସି ପରିସ୍ଥିତିରେ ସ୍ଥିତିବାନ ହୋଇପାରିବନି, ଏଣୁ ଏହାର ଆବଶ୍ୟକ ସଂଶୋଧନ ଆମେ କରିବୁ।ବେଳାଭୂମି କିଭଳି ସୁରକ୍ଷିତ ରହିପାରିବ ସେ ଉପରେ ଦୃଷ୍ଟି ଦେବୁ ବୋଲି ଜିଲ୍ଲାପାଳ କହିଛନ୍ତି। ଉପଜିଲ୍ଲାପାଳ ଗୋପୀନାଥ କୁଅଁର କହିଛନ୍ତି, ନିଶ୍ଚିତ ଏହି ନିର୍ମାଣ ବେଆଇନ୍‌। ଯେହେତୁ ଏହା ସମୁଦ୍ରକୁ ଲାଗି ରହିଛି, କୌଣସି ପରିସ୍ଥିତିରେ ଏହି ଘର ନିର୍ମାଣ ହୋଇପାରିବନି। ଆଇନ ଆଧାରରେ ଏହି ନିର୍ମାଣକୁ ଭଙ୍ଗାଯିବ। ସିପସରୁବାଲି ମୌଜା ହେଉଛି ନଟ୍‌ ଫାଇନାଲ୍‌ ଜାଗା। ଏଣୁ ଯେଉଁ ନୋଟାରିଙ୍କ ସତ୍ୟପାଠ ବଳରେ ଅବା ଅନ୍ୟ କୌଣସି ଅସାଧୁ ଉପାୟରେ ଏହି ଜମିକୁ ସ୍ଥିତିବାନ ସୂତ୍ରରେ ବିକ୍ରି କରାଯାଉଛି, ସେହି ନୋଟାରିଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ ହେବ। ଅପରପକ୍ଷେ ଅନେକ କ୍ଷେତ୍ରରେ ନୋଟାରି କାଗଜପତ୍ରରେ ଜମି ଜାଲିଆତି ହେବାର ନଜରକୁ ଆସୁଛି। ଏଣୁ କେଉଁମାନେ ଏହି ନୋଟାରି ସତ୍ୟପାଠ ଦେଉଛନ୍ତି, ତାହାର ବିଧିବଦ୍ଧ ଯାଞ୍ଚ ହୋଇ ବିହିତ କାର୍ଯ୍ୟାନୁଷ୍ଠାନ ହେବ।

ପିକେଡିଏ ସଚିବ ମାୟାଧର ବେହେରା କହିଛନ୍ତି, ୨୦୧୨ ମସିହାରେ ବି ଏହି ଜାଗାରେ ଘର ନିର୍ମାଣ ହେଉଥିବା ଆମ ନଜରକୁ ଆସିଥିଲା। ସିଆରଜେଡ୍‌ ନିୟମର ଉଲ୍ଲଂଘନ ପାଇଁ ତତ୍କାଳୀନ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବଙ୍କ ଆଦେଶକ୍ରମ ଏହି ଘରକୁ ପିକେଡିଏ ୨୦୧୨ ଡିସେମ୍ବର ୩୦ ତାରିଖରେ ଭାଙ୍ଗିଥିଲା। ଜାଗାକୁ ଜବରଦଖଲକୁ ମୁକ୍ତ କରାଯାଇଥିଲା। ଏହା ସତ୍ତ୍ବେ ବି ସିଆରଜେଡ୍‌ ଅନୁମତି ଦିଆଯାଇଥିବାରୁ ଏ ସଂପର୍କରେ ବି ସିଆରଜେଡ୍‌ କର୍ତ୍ତୃପକ୍ଷଙ୍କୁ ଚିଠି କରି ଅବଗତ କରାଯାଇଛି। ସମୁଦ୍ର ଜୁଆରଠାରୁ ମାତ୍ର ୫୦ ମିଟର ଦୂରରେ ଏହି ନିର୍ମାଣ କରାଯାଉଛି। ଯାହା ସିଆରଜେଡ୍‌ ନିୟମର ଉଲ୍ଲଂଘନ। ଏଣୁ ଏହି ଅନୁମତି ଓ ନିର୍ମାଣକୁ ବାତିଲ୍‌ କରିବାକୁ ଚିଠି କରାଯାଇଛି। ସଚିବ ଶ୍ରୀ ବେହେରା କହିଛନ୍ତି, ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପିକେଡିଏ ଏହାର ସବିଶେଷ ତଦନ୍ତ ରିପୋର୍ଟ ଦେଇସାରିଛି। ପିକେଡିଏ ଓଡି କେସ୍‌ ବଳରେ ଯାହା କିଛି କାର୍ଯ୍ୟାନୁଷ୍ଠାନ ନେଇପାରିବ। କିନ୍ତୁ ଏହା ପରିବେଶ ସୁରକ୍ଷା ଆଇନ ଅଧୀନରେ ଆସୁଛି। ଏଣୁ ଉପଜିଲ୍ଲାପାଳଙ୍କ କୋର୍ଟ ହିଁ ଏ ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ। ଏ ଉପରେ ଆଇନଗତ ଦିଗର ତର୍ଜମା ଚାଲିଛି ଓ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସଚିବ ଶ୍ରୀ ବେହେରା କହିଛନ୍ତି।