ଆତ୍ମବିଶ୍ବାସୀ ଓ ଉଚ୍ଚାଭିଳାଷୀ ହେବା, ଅହଙ୍କାରୀ ହେବାନାହିଁ: ସୌମ୍ୟ

ସୌରୀବନ୍ଧୁ କରଙ୍କ ପୁସ୍ତକ ‘ସ୍ବାମୀ ବିବେକାନନ୍ଦ’ ଉନ୍ମୋଚିତ

ଭୁବନେଶ୍ବର: ଜାତୀୟ ଯୁବ ଦିବସ ଅବସରରେ ସ୍ବର୍ଗତ ଡକ୍ଟର ସୌରୀବନ୍ଧୁ କରଙ୍କ ରଚିତ ସ୍ବାମୀ ବିବେକାନନ୍ଦଙ୍କ ଜୀବନ ଆଧାରିତ ପୁସ୍ତକ ‘ସ୍ବାମୀ ବିବେକାନନ୍ଦ’ର ଉନ୍ମୋଚନ ଏକ ଉଲ୍ଲେଖନୀୟ ଘଟଣା। ଜୀବନୀ ସାହିତ୍ୟରେ ନିଜକୁ ପ୍ରତିପାଦିତ କରିଆସିଥିବା ସ୍ରଷ୍ଟା ସ୍ବର୍ଗତ କର ଉଭୟ ସଂଗ୍ରାମ ଓ ଆଧ୍ୟାତ୍ମିକ ଚେତନାର ସୁନ୍ଦର ସମନ୍ବୟ ଥିଲେ। ତାଙ୍କ ବିସ୍ମୟକର ଜୀବନ ଯେପରି ସ୍ମରଣୀୟ ତାଙ୍କ ସାରସ୍ବତ ସାଧନା ମଧ୍ୟ ସେପରି ଉଲ୍ଲେଖଯୋଗ୍ୟ ବୋଲି ସମ୍ବାଦ ଭବନରେ ‘ଆମ ଓଡ଼ିଶା’ ପକ୍ଷରୁ ପ୍ରକାଶିତ ଏହି ପୁସ୍ତକର ଉନ୍ମୋଚନ ଉତ୍ସବରେ ଅତିଥିମାନେ କହିଛନ୍ତି।

ଏହି ପୁସ୍ତକକୁ ଉନ୍ମୋଚନ କରି ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ ଯେ ବୟସର ମାପକାଠିରେ ଜୀବନ ଓ ଯୌବନକୁ ମା‌ପିବା ଠିକ୍ ନୁହେଁ। ଚାଳିଶ ବର୍ଷ ବୟସରେ ସ୍ବାମୀ ବିବେକାନନ୍ଦ ସାରା ବିଶ୍ବରେ ଭାରତୀୟ ଧର୍ମ ଦର୍ଶନକୁ ପ୍ରଚାର ପ୍ରସାର କରି ଭାରତ ପାଇଁ ଓ ନିଜ ପାଇଁ ଯେଉଁ ପରିଚୟ ସୃଷ୍ଟି କରିଥିଲେ ତାହା ଅତୁଳନୀୟ। ବି‌େବକାନନ୍ଦଙ୍କଠାରୁ ଶିକ୍ଷା ମିଳେ ଯେ ଆମେ ପ୍ରଚଣ୍ଡ ଆତ୍ମବିଶ୍ବାସୀ ଓ ଉଚ୍ଚାଭିଳାଷୀ ହେବା, ଅହଙ୍କାରୀ ହେବାନାହିଁ। ସୌରୀବନ୍ଧୁ କର ଓ ତାଙ୍କ ଭାଇ ବାଉରୀବନ୍ଧୁ କର ଥିଲେ ଅଦ୍‌ଭୁତ ମଣିଷ, ଯେଉଁମାନେ କୌଣସି ସ୍ବାର୍ଥ ନ ଥାଇ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଥିଲେ। ଉତ୍ସବରେ ଅତିଥି ଭାବରେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ତଥା ଲେଖକ ସୁଭାଷ ଶତପଥୀ ସୌରୀବନ୍ଧୁ କରଙ୍କ ସ୍ମୃତିଚାରଣ କରି କହିଥିଲେ ଯେ ସ୍ବାମୀ ବିବେକାନନ୍ଦ ପୁସ୍ତକରେ ବିବେକାନନ୍ଦଙ୍କ ଆତ୍ମାକୁ ଯେ କେହି ଅନୁଭବ କରିପାରିବେ। ଜଣେ ଲେଖକ ଭାବେ ଶ୍ରୀ କରଙ୍କ ଏହା ବଡ଼ ସଫଳତା।

ଉତ୍ସବରେ ଯୋଗଦେଇ ଅନ୍ୟତମ ଅତିଥି ସଂଜୟ ପାତ୍ର କହିଲେ ଯେ ବିବେକାନନ୍ଦ ଯୁବମାନସକୁ ସର୍ବଦା ପ୍ରେରଣା ଦେଇଆସିଛନ୍ତି। ତାଙ୍କ ସମ୍ପର୍କରେ ରଚିତ ଏହି ପୁସ୍ତକଟି ଯୁବବର୍ଗଙ୍କୁ ମାର୍ଗଦର୍ଶନ କରିବ। ‘ସମ୍ବାଦ’ର ଫିଚର ବିଭାଗର ସଂପାଦକ ତଥା‌ ବିଶିଷ୍ଟ କଥାକାର ଡକ୍ଟର ଗୌରହରି ଦାସ ସୌରୀବନ୍ଧୁ କର ଏବଂ ବାଉରୀବନ୍ଧୁ କରଙ୍କ ସମ୍ବାଦ ପରିବାର ସହ ଥିବା ନିବିଡ଼ ସମ୍ପର୍କକୁ ସ୍ମରଣ କରି କହିଥିଲେ ଯେ କରୋନା ଯୋଗୁ ଦୁଇ ସାରସ୍ବତ ସାଧକଙ୍କ ବିୟୋଗ ପ୍ରକୃତରେ ଦୁଃଖଦାୟକ। ମହାତ୍ମାଗାନ୍ଧୀ, ରାମକୃଷ୍ଣ ପରମହଂସ, ଡକ୍ଟର ହରେକୃଷ୍ଣ ମହତାବ ଆଦିଙ୍କ ଜୀବନୀ ରଚନା କରି ଥିବା ସୌରୀବନ୍ଧୁବାବୁଙ୍କ ସ୍ବାମୀ ବିବେକାନନ୍ଦ ଜୀବନୀ ପୁସ୍ତକ ପାଇଁ ସ୍ମରଣୀୟ ହୋଇ ରହିବେ। ଏହି ପୁସ୍ତକ ଉନ୍ମୋଚନ କରି ଆମେ ତାଙ୍କୁ ସ୍ମରଣ କରୁଛୁ। ସୌରୀବନ୍ଧୁ କରଙ୍କ ପୁତ୍ର ସିଦ୍ଧାର୍ଥ କର ପିତା-ପୁତ୍ର ସଂପର୍କର ସ୍ମୃତିଚାରଣ କରିଥିଲେ। ଆମ ଓଡ଼ିଶା ପ୍ରକାଶନ ସଂପାଦକ ଅସିତ ମହାନ୍ତି ପୁସ୍ତକର ପ୍ରସ୍ତୁତି ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ସେ କହିଥିଲେ, ଓଡ଼ିଆ ଜୀବନୀ ସାହିତ୍ୟରେ ଏହା ଏକ ଉଚ୍ଚକୋଟୀର କୃତି। ‘ଆମ ଓଡ଼ିଶା’ର ସଂପାଦକ ସ୍ବରାଜ ମିଶ୍ର ଉତ୍ସବ ପରିଚାଳନା କରିଥିଲେ। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ନାଟ୍ୟକାର ଲାଲା ବୀରେନ୍‌ ରାୟ, ଧୃତିକାମ ମହାନ୍ତି, ସୁବ୍ରତ ବଳ ପ୍ରମୁଖ ଉପସ୍ଥିତ ଥିଲେ। ଗୋବିନ୍ଦ ଚନ୍ଦ୍ର ଚାନ୍ଦ ପ୍ରାରମ୍ଭିକ ସୂଚନା ଦେଇଥିବାବେଳେ ଧନ୍ୟବାଦ ପ୍ରଦାନ କରିଥିଲେ କ୍ଷେତ୍ରବାସୀ ନାଏକ।

ସମ୍ବନ୍ଧିତ ଖବର