ଅତୁଲ କୁମାର ତିୱାରୀ
କାର୍ଯ୍ୟର ଭବିଷ୍ୟତ ଶୈଳୀ ବଦଳିବାକୁ ଯାଉଛି। ପ୍ରଯୁକ୍ତି, ଊର୍ଜା ଓ ଯୋଗାଯୋଗର ନୂଆ ସ୍ୱରୂପ ଦ୍ୱାରା ଭବିଷ୍ୟତର କାର୍ଯ୍ୟ ପରିଚାଳିତ ହେବ। ମାନବୀୟ ଚେତନା ସହିତ ପ୍ରଯୁକ୍ତିର ସମ୍ମିଶ୍ରଣ ଦ୍ୱାରା ଭବିଷ୍ୟତର କାର୍ଯ୍ୟପଦ୍ଧତି ଅସୀମ ସମ୍ଭାବନା ସୃଷ୍ଟି କରିବ ଏବଂ ମାନବ ଇତିହାସରେ ଏକ ନୂଆ ଅଧ୍ୟାୟ ହେବ। ଅମୃତ କାଳର ପରବର୍ତ୍ତୀ ଦୁଇ ଦଶନ୍ଧିରେ ଏହି ପରିବର୍ତ୍ତନ ସହିତ ୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ର ରୂପେ ଉଭା ହେବା ପାଇଁ ବର୍ତ୍ତମାନର ଜନସାଂଖ୍ୟିକ ସ୍ଥିତିକୁ ନେଇ ନିଜର ସାମାଜିକ-ଆର୍ଥିକ ସୂଚକାଙ୍କରେ ସୁଧାର ଆଣିବା ନିମନ୍ତେ ଭାରତ ପାଖରେ ଏକ ବଡ଼ ସୁଯୋଗ ରହିଛି।
ଅନୁକୂଳ ଜନସାଂଖ୍ୟିକ ସ୍ଥିତିର ଲାଭ ଉଠାଇବା ପାଇଁ ଭାରତର ଯୁବକମାନଙ୍କୁ ଉପଯୁକ୍ତ ଦକ୍ଷତା ଓ ଦୃଷ୍ଟିକୋଣ ସହ ସଶକ୍ତ କରିବା ଜରୁରି। ଜାତୀୟ ଶିକ୍ଷା ନୀତି ୨୦୨୦ ଅଧୀନରେ ପ୍ରଗତିଶୀଳ ଅତ୍ୟାଧୁନିକ ପ୍ରଯୁକ୍ତି ସହିତ ଦକ୍ଷତା ବିକାଶକୁ ସମ୍ମିଶ୍ରଣ କରି ଯୁବକମାନଙ୍କୁ ଉପଯୁକ୍ତ ଦକ୍ଷତା ପ୍ରଦାନ କରିବା ପାଇଁ ଏକ ପ୍ରୟାସ ଆରମ୍ଭ ହୋଇଛି।
ନୂଆ ପ୍ରତିଭା ମଡେଲ, ସଂଜ୍ଞାନାତ୍ମକ ଉପକରଣ ଏବଂ ବର୍ଦ୍ଧିତ ଯୋଗାଯୋଗକୁ ଆପଣାଇବା କାରଣରୁ କାର୍ଯ୍ୟ କ୍ଷେତ୍ରରେ ବିପ୍ଳବ ଆସିଛି। ମାନବ-ମେସିନ ସହଭାଗିତାର ଏହି ଚରିତ୍ରକୁ ବୁଝିବାର ଆବଶ୍ୟକତା ରହିଛି। ଏଥି ସହିତ ଆମକୁ ବ୍ୟକ୍ତିବିଶେଷଙ୍କୁ ୫୦-୬୦ ବର୍ଷର ଲମ୍ବା କ୍ୟାରିଅର ପାଇଁ ପ୍ରସ୍ତୁତ କରିବାକୁ ହେବ କାରଣ ପ୍ରଯୁକ୍ତି କେତେକ ନିର୍ଦ୍ଦିଷ୍ଟ ଚାକିରିକୁ ବିସ୍ଥାପିତ କରିଦେବ। ଏହା ନୂଆ ଭୂମିକା ମଧ୍ୟ ସୃଷ୍ଟି କରିବ ଯାହା ପାଇଁ ଉନ୍ନତ ଦକ୍ଷତା ସେଟ୍ ଆବଶ୍ୟକ ହେବ। ଶାରୀରିକ ଦକ୍ଷତା ଏବଂ ମୌଳିକ ସଂଜ୍ଞାନାତ୍ମକ ଦକ୍ଷତାର ଆବଶ୍ୟକତା ଦିନକୁ ଦିନ ହ୍ରାସ ପାଇବା ନେଇ ମ୍ୟାକିନସେ ଫ୍ୟୁଚର ଅଫ୍ ୱାର୍କ ରିପୋର୍ଟରେ ଆକଳନ କରାଯାଇଛି। ଅନ୍ୟପଟେ ବୈଷୟିକ, ସାମାଜିକ, ଭାବଗତ ଓ ଉଚ୍ଚ ସଂଜ୍ଞାନାତ୍ମକ କ୍ଷମତାର ଚାହିଦା ବଢ଼ୁଥିବା ଏଥିରେ କୁହାଯାଇଛି।
ସଂରକ୍ଷଣବାଦ ଏବଂ ଅଣ-ଜଗତୀକରଣର ବିପଦ କାରଣରୁ ଦକ୍ଷତା ବିକାଶର ଆହ୍ୱାନ ବୃଦ୍ଧି ପାଇଥିବା ସମୟରେ ଭାରତକୁ ଜି୨୦ ଅଧ୍ୟକ୍ଷତା ଦାୟିତ୍ୱ ମିଳିଛି। ସେଥିପାଇଁ ଆମକୁ ଦୁନିଆରେ ନୂଆ ପରିବର୍ତ୍ତନ ଆଣିବା ଏବଂ ଜି୨୦ ଦେଶରେ ଶ୍ରମ ବଜାରକୁ ପ୍ରଭାବିତ କରିବା ଲାଗି ପ୍ରସ୍ତୁତ ନୂଆ ଧାରା ପାଇଁ ବିଚାରବିମର୍ଶ କରିବା ଓ ସମାଧାନ ଖୋଜିବା ନିମନ୍ତେ ଏକ ଅତୁଟ ଲକ୍ଷ୍ୟ ନିର୍ଦ୍ଧାରଣ କରିବାର ଆବଶ୍ୟକତା ରହିଛି। ଏକ ସହଭାଗୀ ଦୃଷ୍ଟିକୋଣକୁ ସକ୍ଷମ କରିବା ଏବଂ ବିଭିନ୍ନ ଦେଶରେ ଦକ୍ଷତା ଶୂନ୍ୟସ୍ଥାନକୁ ପୂରଣ କରିବା ଲାଗି, ଜି୨୦ ଦେଶମାନଙ୍କୁ ଏକ ସାର୍ବଜନୀନ ଦକ୍ଷତା ବର୍ଗୀକରଣର ଆବଶ୍ୟକତା ଦେଖାଦେବ, ଯାହାକି ଅନେକ ସାମାଜିକ-ଆର୍ଥିକ ସନ୍ଦର୍ଭରେ ଲାଗୁ ହେବା ପାଇଁ ଯଥେଷ୍ଟ ବ୍ୟାପକ ହୋଇଥିବ।
ଭାରତ ପୂର୍ବରୁ ଦକ୍ଷତା ଆବଶ୍ୟକତାକୁ ମାପିବା, ବିଶ୍ୱ ସହିତ ଭାରତୀୟ କୌଶଳ ମାନକଗୁଡ଼ିକର ବେଞ୍ଚମାର୍କ କରିବା ଏବଂ ନିଜର ଦକ୍ଷତା ବିକାଶ ଇକୋସିଷ୍ଟମ୍ରେ ବର୍ତ୍ତମାନର ପ୍ରତିଷ୍ଠାନଗୁଡ଼ିକର କ୍ଷମତା ବଢ଼ାଇବା ଲାଗି ପ୍ରୟାସ ଆରମ୍ଭ କରିସାରିଛି। ଏସବୁ ପ୍ରୟାସ ଉନ୍ନତ ଦକ୍ଷତା ବିକାଶ ଇକୋସିଷ୍ଟମ୍ ଦ୍ୱାରା ଅନୁପ୍ରାଣିତ ଏବଂ ଗ୍ଲୋବାଲ୍ ସାଉଥ୍ ବା ତୃତୀୟ ବିଶ୍ୱର ଅନେକ ରାଷ୍ଟ୍ରଙ୍କୁ ପ୍ରୋତ୍ସାହିତ କରିବ, କାରଣ ଏକ ବଡ଼ ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ଏସବୁ ଦେଶ ପ୍ରାସଙ୍ଗିକ ଅଟନ୍ତି। ନୂଆ ଯୁଗର ବାସ୍ତବିକତା ଅନୁସାରେ ନିଜର ପ୍ରଶିକ୍ଷଣ ଇକୋସିଷ୍ଟମ୍କୁ ବଦଳାଇବା ଲାଗି ଏମାନେ ଉଦ୍ୟମ କରୁଛନ୍ତି। ଭବିଷ୍ୟତ କାର୍ଯ୍ୟର ସବୁଠୁ ଉଲ୍ଲେଖନୀୟ ବୈଶିଷ୍ଟ୍ୟ ହେଉଛି ପ୍ରଯୁକ୍ତି ଏବଂ ଏହା ସହ ଜଡ଼ିତ ଦକ୍ଷତା ଓ କାର୍ଯ୍ୟଶୈଳୀରେ ଦେଖା ଦେଉଥିବା ନିରନ୍ତର ତଥା ଦ୍ରୁତ ପରିବର୍ତ୍ତନ। ଏହି ବିକାଶକୁ ଆଗେଇ ନେବା ଏବଂ କାର୍ଯ୍ୟଶକ୍ତି ସ୍ତରରେ ନମନୀୟତା ବଜାୟ ରଖିବା ଲାଗି ଆଜୀବନ ଶିକ୍ଷା ଲାଭ କରିବା ହିଁ ସର୍ବୋତ୍କୃଷ୍ଟ ଉପାୟ। କିଛି ପର୍ଯ୍ୟବେକ୍ଷକଙ୍କ କହିବା ଅନୁଯାୟୀ, ଏହା ପୂର୍ବ ଶିକ୍ଷା ନୁହେଁ ବରଂ ଭବିଷ୍ୟତରେ କ୍ୟାରିଅର ଏବଂ ୱାର୍କ ପ୍ରୋଫାଇଲକୁ ପରିଭାଷିତ କରୁଥିବା ଭୁଲିଯିବା ଓ ପୁନଃଶିକ୍ଷା ଲାଭ କରିବାର କ୍ଷମତା। ୟୁନେସ୍କୋ ଚାରିଟି ମହତ୍ତ୍ବପୂର୍ଣ୍ଣ ସ୍ତମ୍ଭକୁ ଚିହ୍ନଟ କରିଛି – ତିଷ୍ଠି ରହିବା ଲାଗି ଶିକ୍ଷା ଲାଭ କରିବା, ଜାଣିବା ଲାଗି ଶିଖିବା, କାମ କରିବା ଲାଗି ଶିଖିବା ଏବଂ ମିଳିତ ଭାବେ ରହିବା ଲାଗି ଶିକ୍ଷା ଲାଭ କରିବା – ‘ଜନସାଧାରଣଙ୍କ ତିଷ୍ଠି ରହିବା ପାଇଁ ଏହା ହେଉଛି ଶିକ୍ଷାର ଚାରିଟି ସ୍ତମ୍ଭ’। ଏହି ସ୍ତମ୍ଭଗୁଡ଼ିକ ଭାରତ ପାଇଁ ବିଶେଷ ଭାବେ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ନିଜ ଶିକ୍ଷା-ଦକ୍ଷତା ଇକୋସିଷ୍ଟମ୍ରେ ଆଜୀବନ ଅଧ୍ୟୟନ ମଡେଲକୁ ସାମିଲ କରିବା ପାଇଁ ପ୍ରୟାସ କରୁଛି।
ବିଘଟନକାରୀ ବୈଷୟିକ ପ୍ରଗତି, ଜନସାଂଖିକ ପରିବର୍ତ୍ତନ, ଜଳବାୟୁ ପରିବର୍ତ୍ତନ, ସହରୀକରଣ ଏବଂ କାର୍ଯ୍ୟର ଦୁନିଆକୁ ନୂଆ ରୂପ ଦେଉଥିବା ସାମାଜିକ-ଆର୍ଥିକ ସନ୍ଦର୍ଭକୁ ବଦଳାଇବା ଭଳି ମେଗାଟ୍ରେଣ୍ଡସ୍ ବା ନୂଆଧାରା ସହିତ ବିଶ୍ୱସ୍ତରୀୟ ନେତାମାନେ ଶିକ୍ଷା ଓ ଦକ୍ଷତାର ବାଧାମୁକ୍ତ ମିଶ୍ରଣ ଦ୍ୱାରା ଏକ ସମାବେଶୀ ଆଜୀବନ ଶିକ୍ଷା ପଦ୍ଧତି ପ୍ରସ୍ତୁତ କରିବା ଲାଗି ସହମତି ସୃଷ୍ଟି କରୁଛନ୍ତି। ବିଶ୍ୱ ଦକ୍ଷତା ବିକାଶ କ୍ଷେତ୍ରରେ ରହିଥିବା ବ୍ୟବଧାନକୁ ଦୂର କରିବା ଏବଂ ସାମାଜିକ ଇକ୍ୟୁଟି ଓ ଦୀର୍ଘସ୍ଥାୟୀ ବିକାଶରେ ସୁଧାର ପାଇଁ ଭାରତ ଜି୨୦ ଦେଶମାନଙ୍କ ମଧ୍ୟରେ ଏହି ସହଯୋଗ ସ୍ଥାପନ କରିବାରେ ସହାୟକ ହୋଇପାରେ। ‘ବସୁଧୈବ କୁଟୁମ୍ବକମ୍’ (ବିଶ୍ୱ ଏକ ପରିବାର)ର ପ୍ରାଚୀନ ଭାରତୀୟ ଦର୍ଶନ ଉପରେ ଆଧାରିତ ଭାରତ ନିକଟରେ ଅନେକ ନୂଆଧାରାର ସମ୍ମିଶ୍ରଣ ମାଧ୍ୟମରେ ସଫଳତାପୂର୍ବକ ଆଗକୁ ବଢ଼ିବା ଏବଂ କାର୍ଯ୍ୟର ନୂଆ ଦୁନିଆକୁ ଆକାର ଦେବା ଲାଗି ଅଭିନବ ସୁଯୋଗ ରହିଛି।
ସଚିବ,
ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ