ଦଶରଥପୁର: ଦଶରଥପୁର ବ୍ଲକ୍ ଦତ୍ତପୁର ପଞ୍ଚାୟତ ତାରିଣୀ ମନ୍ଦିରଠାରୁ ଡଙ୍ଗାଘାଟକୁ ସଂଯୋଗ କରୁଥିବା ବୈତରଣୀ ନଦୀବନ୍ଧର ପ୍ରାୟ ୧୦୦ ଫୁଟରୁ ଅଧିକ ଧସିଯାଇଛି। ବନ୍ଧ ପାର୍ଶ୍ବରେ ଥିବା ପଥର ଓ ବଡ଼ବଡ଼ ଗଛ ନଦୀ ଭିତରକୁ ଖସି ପଡ଼ିଛି। ବନ୍ଧର ଏପରି ଅବସ୍ଥା ଦେଖିବା ପରେ ଆଖପାଖ ଅଞ୍ଚଳର ୧୦ରୁ ଊର୍ଦ୍ଧ୍ବ ଗ୍ରାମବାସୀ ଆଶଙ୍କାରେ ରହିଛନ୍ତି। ନିମ୍ନମାନର କାର୍ଯ୍ୟ କରାଯାଇଥିବାରୁ ଏଭଳି ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଚଳିତ ବର୍ଷ ବୈତରଣୀ ନଦୀବନ୍ଧ ସୁଦୃଢ଼ୀକରଣ ପାଇଁ ଜଳସଂପଦ ବିଭାଗ ପ୍ରାୟ ୧୩ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ନଦୀରେ ପ୍ରଥମ ବଢ଼ି ଆସିବା ପରେ ହିଁ କିଭଳି ବନ୍ଧ ଧସିଗଲା ବୋଲି ଲୋକମାନେ ପ୍ରଶ୍ନ କରିଛନ୍ତି।

Advertisment

ଏ ସଂପର୍କରେ ବିଭାଗୀୟ ସହକାରୀ ଯନ୍ତ୍ରୀ ଅରୁଣ କୁମାର ତ୍ରିପାଠୀଙ୍କୁ  ଯୋଗାଯୋଗ କରିବାରୁ କହିଥିଲେ, ଭୟଭୀତ ହେବାର କୌଣସି କାରଣ ନାହିଁ। ସଂପୃକ୍ତ ସ୍ଥାନରେ ନଦୀବନ୍ଧ ବହୁ ଅଧିକ ପ୍ରଶସ୍ତ ଥିବା ସହିତ ସୁରକ୍ଷିତ ରହିଛି। କେବଳ ବନ୍ଧରେ ଫାଟ ସୃଷ୍ଟି ହୋଇଛି। ବନ୍ଧରେ ହୋଇଥିବା କ୍ଷତିକୁ ଖୁବ୍ ଶୀଘ୍ର ମରାମତି କରାଯିବ ବୋଲି ସେ କହିଛନ୍ତି।