ଯାଜପୁରସଦର : କେନ୍ଦୁଝରର ଗୋନାସିକାରୁ ବାହାରିଥିବା ବୈତରଣୀ କେନ୍ଦୁଝର, ଯାଜପୁର ଏବଂ ଭଦ୍ରକ ଜିଲ୍ଲାରେ ପ୍ରବାହିତ ହେଉଛି। ଏହି ନଦୀର ଜଳ କୃଷି ବଦଳରେ ସିଂହଭାଗ ଶିଳ୍ପ ପାଇଁ ବ୍ୟବହାର ହେଉଥିବା ଅଭିଯୋଗ ହୋଇଆସୁଛି। ଏବେ ବୈତରଣୀ ନଦୀଜଳକୁ ଭଦ୍ରକ ଜିଲ୍ଲାର ଶିଳ୍ପକୁ ଦେବାକୁ ସରକାର ଅନୁମତି ଦେଇଛନ୍ତି। ଆଖୁଆପଦା ଠାରେ ଇନ୍‌ଟେକ୍‌ ୱେଲ୍‌ ଖୋଳି ପାଣି ନେବାକୁ ଯୋଜନା ହୋଇଥିବାରୁ ଯାଜପୁର ଜିଲ୍ଲାର ଚାଷଜମିକୁ ପାଣି ମିଳିବାରେ ସମସ୍ୟା ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି।

Advertisment

ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲାର ଧାମନଗରରେ ଟେକ୍ସଟାଇଲ ଏବଂ ଫୁଡ୍‌ସ ପାର୍କ ପାଇଁ ବୈତରଣୀ ଜଳ ବ୍ୟବହାର ନେଇ ସରକାର ଅନୁମତି ଦେଇଛନ୍ତି। ଆଖୁଆପଦା ବ୍ୟାରେଜର ଡାଉନ୍‌ଷ୍ଟ୍ରିମରୁ  ଇନଟେକ୍‌ ୱେଲ ଖୋଳି ୪.୫ କ୍ୟୁସେକ୍ ଜଳ ନିଆଯିବ। ଏ ସଂପର୍କରେ ଜଳସଂପଦ ବିଭାଗ ଇଡ୍‌କୋକୁ ମଞ୍ଜୁରି ପ୍ରଦାନ କରିଛନ୍ତି। ବୈତରଣୀରୁ ୨୦୨୪ରେ ୧.୮୨ କ୍ୟୁସେକ୍, ୨୦୨୫‌ରେ ୩.୮ କ୍ୟୁସେକ୍ ଏବଂ ଏହାପରେ ୨୦୩୦ ମସିହା ପର୍ଯ୍ୟନ୍ତ ୪.୫ କ୍ୟୁସେକ ଜଳ ନେବାକୁ ଅନୁମତି ଦିଆଯାଇଛି। ଇନ୍‌ଟେକ ୱେଲ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ୬ ମାସର ଜଳ ଅଭାବ ସମୟରେ ପାର୍କ ପରିସର‌ରେ ଜଳ ସଂରକ୍ଷଣ ବ୍ୟବସ୍ଥା କରିବାକୁ କୁହାଯାଇଛି।  ବୈତରଣୀରେ ବର୍ଷର ଅଧିକାଂଶ ଦିନ ପାଣି ରହୁନଥିବା ବେଳେ ଇନ୍‌ଟେକ୍‌ ୱେଲ୍‌ ଖୋଳି ଶିଳ୍ପକୁ ପାଣି ଦେବା ଦ୍ବାରା କୃଷିକ୍ଷେତ୍ର ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି। ପ୍ରାକୃତିକ ଉତ୍ସରୁ ଚାଷୀ ଜଳପାଇବାରୁ ବଞ୍ଚିତ ହେଲେ ଜୋରଦାର ଆନ୍ଦୋଳନ ହେବ ବୋଲି ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସହସଂଯୋଜକ ନିମାଇଁ ଚରଣ ରାୟ ଚେତାବନୀ ଦେଇଛନ୍ତି।