ଲୋକାର୍ପଣ ଅପେକ୍ଷାରେ ବେଜ୍‌ବରୁଆଙ୍କ ସାଧନା ପୀଠ

ବାସଭବନର ବି ହେବ ପୁନରୁଦ୍ଧାର

ସମ୍ବଲପୁର : ଆସାମର ଆଧୁନିକ ସାହିତ୍ୟର ଜନକ ବୋଲି କହାଯାଉଥିବା ଲକ୍ଷ୍ମୀନାଥ ବେଜବରୁଆଙ୍କ ସମ୍ବଲପୁରରେ ଥିବା ସାଧନା ପୀଠର ପୁନଃରୁଦ୍ଧାର କାର୍ଯ୍ୟ ସଂପୂର୍ଣ୍ଣ ପ୍ରାୟ। ଏଠାରେ ୫ଟି ପ୍ରକୋଷ୍ଠ ଥିବା ବେଳେ ଏଥିରୁ ‌ଗୋଟିଏ ପ୍ରକୋଷ୍ଠରେ କାର୍ଯ୍ୟାଳୟ, ଅନ୍ୟ ଗୋଟିଏ ପ୍ରକୋଷ୍ଠରେ ମିନି ଲାଇବ୍ରେରି ଓ ଅନ୍ୟ ୩ଟି ପ୍ରକୋଷ୍ଠରେ ବେଜବରୁଆ ଓ ତାଙ୍କ ପରିବାର ସଦସ୍ୟଙ୍କ ଫଟୋଚିତ୍ର ପ୍ରଦର୍ଶିତ ହେବ। ସେହିପରି ବାସଭବନରେ ଏକ ବଡ଼ ଲାଇବ୍ରେରି, କର୍ମଶାଳା, ଆଲୋଚନାଚକ୍ର ଆଦି ସାହିତ୍ୟ କାର୍ଯ୍ୟକଳାପ ଆୟୋଜନ ନିମନ୍ତେ ଏକ ବଡ଼ ସମ୍ମଳିନୀ କକ୍ଷ ନିର୍ମାଣ କରାଯିବାର ଯୋଜନା ରହିଛି। ଆସନ୍ତା ସେପ୍‌ଟେମ୍ବର ମାସରେ ସାଧାନ ପୀଠର ଲୋକାର୍ପଣ ହେବ ବୋଲି ଗବେଷକ ଦୀପକ କୁମାର ପଣ୍ଡା ସୂଚନା ଦେଇଛନ୍ତି।

ଉଲ୍ଲେଖ‌ଯୋଗ୍ୟ ଯେ, ସମ୍ବଲପୁରର ନେଲ୍‌ସନ ମଣ୍ଡେଲା ଛକର ସଂପ୍ରସାରଣ ପାଇଁ ବେଜବରୁଆ ଭବନ ବଳି ପଡ଼ିବା ଆଶଙ୍କା ସୃଷ୍ଟି ହୋଇଥିଲା। ଏହା ଆସାମରେ ପ୍ରଚାର ହେବା ପରେ ଆସାମରେ ହଇଚଇ ସୃଷ୍ଟି ହୋଇଥିଲା। ସେଠାକାର ଗଣମାଧ୍ୟମରେ ଏ ବାବଦରେ ଦିନତମାମ ସମ୍ବାଦ ପ୍ରସାରିତ ହେବା ସହ ଆଲୋଚନା ମଧ୍ୟ ଚାଲିଥିଲା। ଆସାମର ତତ୍କାଳୀନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଫୋନ କରି ଏ ସଂପର୍କରେ ଆଲୋଚନା କରିଥିଲେ। ପରବର୍ତ୍ତୀ ସମୟରେ ଆସାମର ତତ୍କାଳୀନ ସଂସ୍କୃତି ମନ୍ତ୍ରୀ ନବକୁମାର ଡୋଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ମିଡ଼ିଆ ପରାମର୍ଶଦାତା ହୃଷିକେଶ ଗୋସ୍ୱାମୀ ସମ୍ବଲପୁର ଆସିଥିଲେ। ଏହା ପରେ ଓଡ଼ିଶା ଓ ଆସାମ ସରକାରଙ୍କ ମିଳିତ ଆର୍ଥିକ ଅନୁଦାନ ବଳରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ଜରିଆରେ ଇନ୍‌ଟାକ୍ ପକ୍ଷରୁ ୧ କୋଟି ୫ ଲକ୍ଷ ଟଙ୍କା ବ୍ୟୟରେ ପୁନରୁଦ୍ଧାର କାର୍ଯ୍ୟ ହାତକୁ ନିଆଯାଇଥିଲା। ତେବେ, ପୂରା ଅର୍ଥ ଖର୍ଚ୍ଚ ନହୋଇ କାମ ସଂପୂର୍ଣ୍ଣ ହୋଇଯାଇଥିବା ବେଳେ ବଳକା ଅର୍ଥରେ ତାଙ୍କ ବାସଭବନ ନବୀକରଣ କାର୍ଯ୍ୟ କରାଯିବ ବୋଲି ଇନ୍‌ଟାକ ପକ୍ଷରୁ କହାଯାଇଛି।

ଲକ୍ଷ୍ମୀନାଥ ବେଜବରୁଆଙ୍କୁ ଆସାମର ଲୋକେ ଅତ୍ୟନ୍ତ ଶ୍ରଦ୍ଧା ଓ ସମ୍ମାନ କରନ୍ତି। ଆସାମ ତାଙ୍କ ଜନ୍ମଭୂମି ଥିବା ବେଳେ କଲିକତା ଶିକ୍ଷାଭୂମି ଏବଂ କର୍ମଭୂମି ଥିଲା ସମ୍ବଲପୁର। ଦୀର୍ଘ ୨୦ ବର୍ଷ ପର୍ଯ୍ୟନ୍ତ ସମ୍ବଲପୁରରେ ଅବସ୍ଥାନ କରିଥିବା ବେଜବରୁଆଙ୍କ ଆତ୍ମଜୀବନୀ ‘ମୋର ଜୀବନ ସ୍ମରଣ’ ତାଙ୍କର ସାହିତ୍ୟରେ ସମ୍ବଲପୁର ସଂପର୍କରେ ବହୁଳ ଉଲ୍ଲେଖ ରହିଛି। ଏହି ଦୃଷ୍ଟିରୁ ସମ୍ବଲପୁର ସହିତ ଆସାମର ଲୋକଙ୍କ ଭାବାବେଗ ଜଡ଼ିତ ରହିଛି।

ସମ୍ବନ୍ଧିତ ଖବର