୧୦ ବର୍ଷ ପରେ ବେଲପଡ଼ା ଗଣହତ୍ୟା ମାମଲାର ରାୟ: ପତ୍ନୀ, ପୁଅଝିଅ ହତ୍ୟାକାରୀକୁ ଆଜୀବନ ଜେଲ୍

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟରେ ଆଜି ୧୦ ବର୍ଷ ପୁରୁଣା ଏକ ଗଣହତ୍ୟା ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ୨୦୧୨ ମସିହା ସୋରଡ଼ା ବ୍ଲକ୍ ଓ ବଡ଼ଗଡ଼ ଥାନା ଅଧୀନ ବେଲପଡ଼ା ଗ୍ରାମରେ ପତ୍ନୀ ଓ ଦୁଇ ପୁଅଝିଅକୁ ନିର୍ମମ ଭାବେ ହତ୍ୟା କରିଥିବା ସୀମାଞ୍ଚଳ ନାଇକକୁ ଦୋଷୀ ସାବ୍ୟସ୍ତ ସହ ଆଜୀବନ ଜେଲ୍‌ଦଣ୍ଡରେ ଦଣ୍ଡିତ କରାଯାଇଛି। ୨୪ ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତିକରି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଦେବଦତ୍ତ ପଟ୍ଟନାୟକ ଏହି ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି। ଏହାସହ ସୀମାଞ୍ଚଳକୁ ୧୦ହଜାର ଟଙ୍କା ଜରିମାନା ଦଣ୍ଡ ହୋଇଥିବା ବେଳେ ଅନାଦେୟ ଅଧିକ ଏକବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବାକୁ ବୋଲି ରାୟରେ ଦର୍ଶାଯାଇଛି। ଏ ନେଇ ସରକାରୀ ଓକିଲ ଏମ୍‌.ତାଜ୍.ଆଦେନୀ ସୂଚନା ଦେଇଛନ୍ତି।
ସୂଚନାନୁସାରେ, ୨୦୧୨ ମସିହା ଫେବ୍ରୁଆରି ୧୭ ତାରିଖରେ ଅଭିଯୁକ୍ତ ସୀମାଞ୍ଚଳ ପାରିବାରିକ କଳହ ଯୋଗୁଁ ପତ୍ନୀ ଲକ୍ଷ୍ମୀ ନାଇକ, ଝିଅ ଶିବାନୀ (୧୨) ଓ ପୁଅ ଦୀପକ (୧୦)ଙ୍କୁ କାତିରେ ଅତ୍ୟନ୍ତ ବୀଭତ୍ସ ଭାବେ ହାଣି ହତ୍ୟା କରିଥିଲା।

ପୁଲିସ କେସ୍ ନମ୍ବର ୧୨/୨୦୧୨ ଅନୁସାରେ ମାମଲା ରୁଜୁ ସହ ସୀମାଞ୍ଚଳକୁ ଗିରଫ କରି ସୋରଡ଼ା ଜେଏମ୍‌ଏଫ୍‌ସି କୋର୍ଟକୁ ଚାଲାଣ କରା ଯାଇଥିଲା। ଭଞ୍ଜନଗର ଏଡିଜେ କୋର୍ଟରେ (କେସ୍ ନମ୍ବର ଏସ୍‌ଟି ୪୩/୧୨) ମାମଲାର ଶୁଣାଣି ଚାଲିଥିଲା। ଆଜି ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତିକରି ବିଚାରପତି ସୀମାଞ୍ଚଳକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି। ମୁଦାଲା ପକ୍ଷରୁ ଷ୍ଟେଟ୍ ଡିଫେନ୍ସ୍ କାଉନସିଲ୍‌ରୁ ରମେଶ ଚନ୍ଦ୍ର ପଣ୍ଡା ମକଦ୍ଦମା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର