ବନ ବିଭାଗ ପରିଚାଳନା ଭାର ନେଇ ମଧ୍ୟ ଅପବ୍ୟବହୃତ ଅବସ୍ଥାରେ ବେଲଘର ପାନ୍ଥନିବାସ

ନିରାଶରେ ଫେରୁଛନ୍ତି ପର୍ଯ୍ୟଟକ,ଟଙ୍କାଟିଏ ମିଳୁନି ରାଜସ୍ବ

ଫୁଲବାଣୀ: ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେଲେ ଦେଶ ଓ ବିଦେଶରୁ ଅଧିକ ପର୍ଯ୍ୟଟକ ଓଡିଶାକୁ ଆସିବେ। ଯାହା ଫଳରେ ସଂପୃକ୍ତ ଅଞ୍ଚଳର ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ହେବ। ଏହି ଲକ୍ଷ୍ୟରେ ସରକାର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ନିମନ୍ତେ ବର୍ଷକୁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ପରିଚାଳନାଗତ ସମସ୍ୟା ଓ ବିଭାଗର ଆନ୍ତରିକତା ଅଭାବରୁ ସରକାରଙ୍କ ଲକ୍ଷ୍ୟ ସାଧିତ ହୋଇ ପାରୁ ନାହିଁ। ଏମିତି ଏକ ଉଦାହରଣ ହେଉଛି କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଳକ ବେଲଘର ପାନ୍ଥନିବାସ।  ପର୍ଯ୍ୟଟକଙ୍କ ସୁବିଧା ଉଦ୍ଦେଶ୍ୟରେ ୩୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ପାନ୍ଥନିବାସ ଗୋଟିଏ ଦିନ ବି କାମରେ ଆସିଲା ନାହିଁ। ନାଁ ପର୍ଯ୍ୟଟନ ବିଭାଗ ରାଜସ୍ବ ପାଇଲା ନାଁ କେହି ପର୍ଯ୍ୟଟକ ଆସିଲେ। ପରିଚାଳନାଗତ ସମସ୍ୟା ଓ ରାଜସ୍ବ ନ ମିଳିବା ଯୋଗୁ ୨ ବର୍ଷ ପୂର୍ବେ ପର୍ଯ୍ୟଟନ ବିଭାଗ ବେଲଘର ପାନ୍ଥନିବାସକୁ ବନ ବିଭାଗକୁ ଟେକି ଦେଇଥିଲା। ଆଶା କରାଯାଉଥିଲା ପାନ୍ଥ ନିବାସକୁ ବନ ବିଭାଗ ନୂଆ ରୂପ ଦେବ। ଆଉ ଏଥି ପ୍ରତି ପର୍ଯଟକ ଆକୃଷ୍ଟ ହେବେ। ହେଲେ ପୂର୍ବରୁ ଯେଭଳି ଅପବ୍ୟବହୃତ ଥିଲା। ଏବେ ବି ପାନ୍ଥ ନିବାସର ଅବସ୍ଥା ସେମିତି।

ବେଲଘରର ପ୍ରାକୃଚିକ ପରିବେଶ ବେଶ ମନୋରମ। ଶୀତ ଦିନେ ଏଠାରେ ପ୍ରାୟତଃ ବରଫ ପଡିଥାଏ। ସଂପୃକ୍ତ ଅଞ୍ଚଳରେ ଆଦିମ ଜନଜାତି କୁଟିଆ କନ୍ଧ ବସବାସ କରୁଛନ୍ତି। ଏହି ସବୁ ଦୃଷ୍ଟିରୁ ଦେଶ ବିଦେଶରୁ କନ୍ଧମାଳକୁ ଆସୁଥିବା ପର୍ଯ୍ୟଟକ ବେଲଘର ଯିବାକୁ କେବେ ଭୁଲନ୍ତି ନାହିଁ। ଆଉ ଗବେଷକମାନେ ଆଦିମ ଜନଜାତି କୁଟିଆକନ୍ଧ ସମ୍ପର୍କରେ ଗବେଷଣା କରିବାକୁ ଆସିଥାନ୍ତି। ପର୍ଯ୍ୟଟକ ହୁଅନ୍ତୁ କି ଗବେଷକ। ସେମାନଙ୍କ ସୁବିଧା ନିମନ୍ତେ ଯଦିଓ ବନ ବିଭାଗ ପକ୍ଷରୁ କିଛିଟା ବ୍ୟବସ୍ଥା ରହିଛି ତାହା ଯଥେଷ୍ଟ ନୁହେଁ। ତେଣୁ ସେମାନଙ୍କ ଉଦ୍ଦେଶ୍ୟରେ  ବେଲଘରଠାରେ ଏକ ପାନ୍ଥନିବାସ ୧୯୯୫-୯୬ରେ ତତ୍କାଳୀନ ସରକାରଙ୍କ ସମୟରେ ୩୦ ଲକ୍ଷ ଟଙ୍କା ବ୍ୟୟରେ ପାନ୍ଥନିବାସ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ୧୨ ବର୍ଷ ଲାଗିଗଲା। ହେଲେ ପରିଚାଳନା ଗତ ସମସ୍ୟା ଓ ପର୍ଯ୍ୟଟନ ବିଭାଗର ଆନ୍ତରିକତା ଅଭାବରୁ ତାହା କାର୍ଯ୍ୟକ୍ଷମ ହୋଇ ପାରିଲା ନାହିଁ। ଦିନେ ବି ଖୋଲି ପାରିଲା ନାହିଁ। ଆଉ ଟଙ୍କାଟିଏ ବି ରାଜସ୍ବ ଆଦାୟ ହେଲା ନାହିଁ। ଶେଷରେ ପରିଚାଳନା ଦାୟିତ୍ବ ବନ ବିଭାଗକୁ ଦିଆଗଲା ସତ।  ହେଲେ ନାଁ ରାଜସ୍ବ ମିଳୁଛି ନାଁ ପର୍ଯ୍ୟଟକଙ୍କ କାମରେ ଲାଗି ପାରୁଛି ବେଲଘର ପାନ୍ଥନିବାସ। ବେଲଘର ପାନ୍ଥ ନିବାସକୁ ପର୍ଯ୍ୟଟନ ବିଭାଗ ପାଖରେ ରଖି ଏହାର ସୁପରିଚାଳନା କରିବା ପାଇଁ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

ସମ୍ବନ୍ଧିତ ଖବର