ବିଦେଶୀ ଖେଳାଳିଙ୍କ ମନ ମୋହୁଛି ସୁଆଦିଆ ଓଡିଆ ଖାଦ୍ୟ : ବଟର ନାନ୍ ଓ ରସଗୋଲା ପାଲଟିଛି ଖେଳାଳିଙ୍କ ପ୍ରିୟ ଖାଦ୍ୟ!

ସେପଟେ ଫିଟନେସ୍ ପାଇଁ ହୋଟେଲରେ ପାକ୍ ଖେଳାଳି କରିଛନ୍ତି ଝାଳବୁହା ପରିଶ୍ରମ

ଭୁବନେଶ୍ୱର : ହକି ବିଶ୍ୱକପ୍‌ ପାଇଁ ଭୁବନେଶ୍ୱରରେ ବିଦେଶୀ ଖେଳାଳୀମାନଙ୍କର ଭିଡ଼ ଲାଗିଛି। ଆଜି ଜର୍ମାନୀ, ବେଲଜିୟମ ଓ ଆୟର୍ଲାଣ୍ଡ ଟିମ୍ ପହଁଚିଛନ୍ତି । ଓଡିଶାର ସଂସ୍କୃତି, ପରମ୍ପରା ଓ ସ୍ୱାଗତ ସମ୍ବର୍ଦ୍ଧନାରେ ଅଭିଭୂତ ହୋଇଛନ୍ତି ଖେଳାଳି । ବିଶେଷ କରି ସୁଆଦିଆ ଓଡିଆ ଖାଦ୍ୟ, ଖେଳାଳିଙ୍କ ମନ ମୋହିନେଇଛି । ବଟର ନାନ୍ ଓ ରସଗୋଲା ପାଲଟିଛି ଖେଳାଳିଙ୍କ ପ୍ରିୟ ଖାଦ୍ୟ । ସେପଟେ ଫିଟନେସ୍ ପାଇଁ ହୋଟେଲରେ ପାକ୍ ଖେଳାଳି କରିଛନ୍ତି ଝାଳବୁହା ପରିଶ୍ରମ।

ହୋଟେଲରେ ଚାଲିଛି ୱାର୍ମଅପ୍ । ପ୍ରଥମେ ହାଇଜିନିକ୍ ବ୍ରେକଫାଷ୍ଟ ଆଉ ତାପରେ ବଡି ଫିଟନେସ୍ ପାଇଁ ୱର୍କଆଉଟ୍ । ପ୍ରାୟ ଘଂଟାଏ ଧରି ହୋଟେଲ ପରିସରରେ ଝାଳ ବୁହାଇଛନ୍ତି ପାକ୍ ହକି ଖେଳାଳି । ଏଥର ବିଶ୍ୱକପ୍ ହକିର ଅନ୍ୟତମ ଦାବିଦାର ରହିଛି ଏହି ଏସୀୟ ଦଳ । କଡା ସୁରକ୍ଷା ବଳୟରେ ରହିଛି ପାକିସ୍ତାନ ଟିମ୍ । ଖେଳାଳି ରହୁଥିବା ହୋଟେଲକୁ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ପୁରା ହୋଟେଲକୁ ପୁଲିସ ଘେରି ରହିଛନ୍ତି । ଗ୍ରୁପ୍ ଡିରେ ଜର୍ମାନୀ ବିପକ୍ଷରେ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ପାକ୍ ଟିମ୍ ।

ଅନ୍ୟପଟେ ପାରମ୍ପରିକ ବାଦ୍ୟରେ ଫାଟି ପଡୁଛି ହୋଟେଲ ପରିସର । ଆଉ ତାସହ ତାଳ ଦେଇ ଖୁସି ଜାହିର କରୁଛନ୍ତି ଖେଳାଳି । ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱରରେ ପହଁଚିସାରିଛି ବେଲଜିୟମ୍ ଟିମ୍ । ଫୁଲମାଳ ଓ ଉତରୀୟ ଦେଇ ହୋଟେଲକୁ ସ୍ୱାଗତ କରିବା ବେଳେ ଢୋଲ ତାଳର ମଜା ଉଠାଇଥିଲେ ଖେଳାଳି । ଆଉ ଏହି ଦୃଶ୍ୟକୁ ରେକର୍ଡ ବି କରିଥିଲେ । ହୋଟେଲରେ ଖେଳାଳି, ଭାରତୀୟ ଖାଦ୍ୟର ମଜା ବି ଉଠାଇଛନ୍ତି । ଆଉ ଅଧିକାଂଶ ଖେଳାଳିଙ୍କ ପସନ୍ଦ ପାଲଟିଛି ସୁଆଦିଆ ନାନ୍ ଓ ରସଗୋଲା ।

ଏପଟେ ରବିବାର ପହଁଚିଛି ଜର୍ମାନୀ ଓ ଆୟର୍ଲାଣ୍ଡ ଟିମ୍ । ରାତିରେ ଆସିବ ମାଲେସିଆ । ହକି ବିଶ୍ୱକପକୁ ଆଉ ମାତ୍ର ୨ଦିନ । ପ୍ରାୟ ଟିମ୍ ଭୁବନେଶ୍ୱର ଆସି କଡା ଅଭ୍ୟାସ ଚଲାଇଛନ୍ତି । ଏସବୁ ଭିତରେ ହକିକୁ ନେଇ କ୍ରେଜ୍ ବଢିବାରେ ଲାଗିଛି ।

ସମ୍ବନ୍ଧିତ ଖବର