ବ୍ରହ୍ମପୁର: ବ୍ରହ୍ମପୁର ସହରବାସୀଙ୍କ ଆରାଧ୍ୟା ଦେବୀ ମା’ ବୁଢ଼ୀ ଠାକୁରାଣୀ। ମା’ଙ୍କ ମନ୍ଦିର ପରିସରରେ କାହିଁ କେଉଁ କାଳରୁ ଶାଖା ପ୍ରଶାଖା ମେଲାଇ ଛିଡ଼ା ହୋଇ ରହିଥିଲା ବିଶାଳ ନିମ୍ବ ବୃକ୍ଷ। ମୂଳରେ ପୂଜା ପାଉଛନ୍ତି ମା’ ଶୀତଳା। ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ଆସ୍ଥା ଓ ବିଶ୍ବାସ ସହ ଯୋଡ଼ି ହୋଇ ରହିଥିବା ଏହି ପ୍ରାଚୀନ ବୃକ୍ଷରେ ପ୍ରାୟ ୪ମାସ ହେବ ଗୋଟିଏବି ପତ୍ର କଅଁଳୁନି। ଡାଳଗୁଡ଼ିକ ଶୁଖିଗଲାଣି। ଗଛଟି କାହିଁକି ଶୁଖି ଯାଉଛି, ତାର ରକ୍ଷଣାବେକ୍ଷଣ ପାଇଁ ମନ୍ଦିର ପୂଜକ ଓ ପରିଚାଳନା କମିଟି ବିଏମ୍ସି କମିସନରଙ୍କ ସହଯୋଗ ଲୋଡ଼ିବାରୁ, ଭୁବନେଶ୍ବରରୁ ଏକ ବିଶେଷଜ୍ଞ ଦଳ ଆସି ପରୀକ୍ଷାନିରୀକ୍ଷା କରି ଫେରିଥିଲେ। ଗଛରେ ଆଉ ପ୍ରାଣ ନଥିବା ସେମାନେ ରିପୋର୍ଟ ଦେବାରୁ, ମନ୍ଦିର ପରିଚାଳନା କମିଟି ପକ୍ଷରୁ ଏହାକୁ ବିସର୍ଜନ କରାଯାଇଛି। ହଠାତ୍ ଏହି ଶତାୟୁ ନିମ୍ବ ବୃକ୍ଷର କାଳ ପୂରିଯିବାକୁ ଶ୍ରଦ୍ଧାଳୁମାନେ ସହଜେ ଗ୍ରହଣ କରିପାରୁନାହାନ୍ତି।
ପ୍ରତି ମଙ୍ଗଳବାର, ସଂକ୍ରାନ୍ତି ଠାରୁ ଆରମ୍ଭ କରି ବିଶେଷ ଦିନମାନଙ୍କରେ ଓ ମାନସିକ ପୂରଣ ପାଇଁ ଶ୍ରଦ୍ଧାଳୁମାନେ ଏହି ନିମ୍ବ ଗଛ ମୂଳରେ ହଳଦୀ ପାଣି ଏବଂ ପଣା ଭୋଗ ଦେଇ ପୂଜାର୍ଚ୍ଚନା କରିଥାନ୍ତି। ଏହାର ମୂଳ ଯେତିକି ପାଣି ପାଇବ, ମା’ ବୁଢ଼ୀ ଠାକୁରାଣୀ ସେତିକି ସନ୍ତୁଷ୍ଟ ହେବେ। ଘରେ ଧନ, ଜନ, ଗୋପ ଲକ୍ଷ୍ମୀ ବୃଦ୍ଧି ପାଇବ ବୋଲି ସାଧାରଣରେ ବିଶ୍ବାସ ଅଛି। ଏପରିକି ମା’ଙ୍କ ପୂଜାବିଧି ସହ ସହ ଏହି ବୃକ୍ଷ ଜଡ଼ିତ। ଗର୍ଭଗୃହରେ ମା’ଙ୍କ ପାଖରେ କେବଳ ରାଜଭୋଗ ଏବଂ ଶୁଖିଲା ଭୋଗ ଲାଗୁଥିବା ବେଳେ ଭକ୍ତଙ୍କ ଦ୍ବାରା ପ୍ରସ୍ତୁତ ମା’ଙ୍କ ଲାଗି ସଙ୍ଖୁଡ଼ି ଭୋଗ ଏହି ନିମ୍ବ ବୃକ୍ଷ ମୂଳରେ ଅର୍ପଣ କରାଯାଇଥାଏ। କେବେଠାରୁ ଏହି ବୃକ୍ଷଟି ରହିଛି, ସେ ସମ୍ପର୍କରେ ସଠିକ୍ ତଥ୍ୟ କାହା ପାଖରେ ନାହିଁ। ଗତକାଲି ଅପରାହ୍ନରେ ମା’ଙ୍କ ପ୍ରତୀକ ଭାବେ ପୂଜିତ ଏହି ନିମ୍ବ ବୃକ୍ଷଙ୍କୁ ସଂସ୍କାର କରାଯାଇ ବିସର୍ଜନ କରାଯାଇଛି ବୋଲି ପୂଜକ ତଥା କମିଟି ସଦସ୍ୟ ମନୋଜ ଗନ୍ତାୟତ ସୂଚନା ଦେଇଛନ୍ତି। ଅନ୍ୟ ଜଣେ ପୂଜକ ଦୁର୍ଗା ବେହେରାଙ୍କ କହିବା ଅନୁଯାୟୀ ସେହି ସ୍ଥାନରେ ବିଧି ମୁତାବକ, ଆଉ ଏକ ନିମ୍ବ ଗଛ ଲଗାଯିବ।