ଝାରସୁଗୁଡା: ପଞ୍ଚାୟତ ନିର୍ବାଚନ ଫଳାଫଳରୁ ଏହା ସ୍ପଷ୍ଟ ହୋଇଛି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଲୋକଙ୍କ ପ୍ରଗାଢ଼ ଆସ୍ଥା, ବିଶ୍ବାସ ଓ ଭରସା ରହିଛି। ଫଳରେ ଜିଲ୍ଲାରେ ୯ ରୁ ୯ ଆସନ ଲୋକେ ବିଜେଡିକୁ ଦେଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି। ସେ ପର୍ଯ୍ୟବେକ୍ଷକ ଥିବା କଳାହାଣ୍ଡିରେ ମଧ୍ୟ ଲୋକ‌େ ବିଜେଡି ଉପରେ ଆସ୍ଥା ପ୍ରକଟ କରିଛନ୍ତି। ବିରୋଧୀ ଦଳର ଅଭିଯୋଗ ଭିତ୍ତିହୀନ ବୋଲି ଭୋଟର୍‌ ତାଙ୍କ ରାୟରେ ଜଣାଇ ଦେଇଥିବା ଏହି ‌ପଞ୍ଚାୟତ ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି।

Advertisment

ତେଣୁ ଲୋକଙ୍କ ବିଶ୍ବାସ ଓ ଆସ୍ଥାକୁ ସମ୍ମାନ ଜଣାଇ ବିଜେଡି ସରକାର ଜିଲ୍ଲା ତଥା ସାରା ଓଡ଼ିଶାର ଲୋକଙ୍କ ସେବା କରିବା ପାଇଁ ଆଗେଇ ଆସିବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିବା ସହିତ ଭୋଟରଙ୍କୁ ନମ୍ରତାର ସହିତ କୃତଜ୍ଞତା ଜଣାଇଛନ୍ତି। ମଙ୍ଗଳବାର ସ୍ଥାନୀୟ ଏକ ହୋଟେଲର ସମ୍ମିଳନୀ କକ୍ଷରେ ବିଜେଡି ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ ଝାରସୁଗୁଡ଼ା ଜିଲ୍ଲାରେ ଲୋକ‌େ ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି, ସରପଞ୍ଚ ସବୁ ଥିରେ ବିଜେଡି ପ୍ରାର୍ଥୀଙ୍କୁ ବିଜୟୀ କରିଥିବାରୁ  ଜିଲ୍ଲାର ବିକାଶ ଧାରା ଆହୁରି ଅଧିକ ହେବ ବୋଲି କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପର୍ଯ୍ୟବେକ୍ଷକ ତଥା ସାଂସଦ ସୁବାସ ସିଂହ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିତ୍ବ, ଅଙ୍ଗୀକାରବଦ୍ଧତା ଓ ଓଡ଼ିଶାକୁ ନୂଆ କରି ‌ଗଢ଼ି ତୋଳିବାର କାର୍ଯ୍ୟ ପାଇଁ ଲୋକ‌େ ଏତେ ବଡ଼ ସମର୍ଥନ ଦେଇଛନ୍ତି।

ଏଭଳି ଜନ ସମର୍ଥନ ତାଙ୍କ ୪୦ ବର୍ଷର ରାଜନୈତିକ ଜୀବନରେ ସେ କେବେ ଦେଖି ନଥିଲେ ବୋଲି କହି ନବୀନଙ୍କ ପ୍ରତି ଲୋକଙ୍କ ଆଶୀର୍ବାଦ କେବେ ଅନ୍ୟଥା ହେବ ନାହିଁ ବୋଲି କହିଥିଲେ। ଝାରସୁଗୁଡ଼ା ଜିଲ୍ଲାକୁ ଏକ ମୋଡେଲ ଜିଲ୍ଲା ଭାବରେ ଗଢ଼ିବା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ଗୁରୁଦାୟିତ୍ବ ନବ ବାବୁଙ୍କୁ ଦେଇଛନ୍ତି ତାକୁ ଲୋକ‌େ ବିପୁଳ ଭୋଟ୍‌ ଦେଇ ସମର୍ଥନ କରିଥିବାରୁ ଜିଲ୍ଲାର ବିକାଶ ଆହୁରି ତ୍ବରାନିତ ହେବ ବୋଲି ସେ କହିଥିଲେ। ଯୁଗ୍ମ ପର୍ଯ୍ୟବେକ୍ଷକ ବିଷ୍ଣୁ ପ୍ରସାଦ କେଡ଼ିଆ ବିଜେଡିର ବିଜୟ ପଛରେ କଥା କମ କାମ ‌ଅଧିକକୁ ବିଶ୍ବାସ କରୁଥିବା ମୁଖ୍ୟମନ୍ତ୍ରୀଙ୍କ ବିଚାର ଓ ବିକାଶ ତଥା ସ୍ଥାନୀୟ ବିଧାୟକ ମନ୍ତ୍ରୀ ଶ୍ରୀ ଦାସଙ୍କ ଜିଲ୍ଲାର ବିକାଶ ପାଇଁ କରୁଥିବା ଉଦ୍ୟମକୁ ଶ୍ରେୟ ଦେଇ ଜିଲ୍ଲା ସଂଗଠନକୁ  ପ୍ରଶଂସା କରିଥିଲେ।

ଆଗାମୀ ପୌର ନିର୍ବାଚନ ପାଇଁ ବିଜେଡି  ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ବେଳେ ୩/୪ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କ ତାଲିବା ପ୍ରକାଶ କରିବ ବୋଲି ସାଧାରଣ ସଂପାଦକ ତାପସରାୟ ଚୌଧୁରୀ ପ୍ରକାଶ କରିଥିଲେ। ଏଥିପାଇଁ ଜିଲ୍ଲା ୩ ପୌରସଂସ୍ଥା ପାଇଁ ତିନୋଟି କମିଟି ଗଠନ କରାଯାଇଥିବା କହିଥିଲେ। ଝାରସୁଗୁଡ଼ା ପୌରସଂସ୍ଥା ପାଇଁ ଗଠନ ହୋଇଥିବା କମିଟିରେ ଆବାହକ ସନ୍ଦୀପ ଅଗସ୍ତି, ହରିଶ ଗଣତ୍ରା, ରାଜୁ ପାଣିଗ୍ରାହୀ, ସୁରେଶ ଲୋକଚନ୍ଦନୀ, ତାପସରାୟ ଚୌଧୁରୀ, ପ୍ରତାପ ନନ୍ଦ, ପପୁ ଶର୍ମା, ନଟୁ ଶର୍ମା, ରଘୁମଣି ପଟେଲ, ଗୋବିନ୍ଦ ସିହାଂଣିଆ, ବେଲପାହାଡ଼ ପୌରସଂସ୍ଥା ପାଇଁ ଆବାହକ କୈଲାସ ନାଏକ, ଶମ୍ଭୁ ମହାନ୍ତି, ଶ୍ୟାମ ଶତପଥୀ, ନଟୁ ଶର୍ମା, ପପ୍ପୁ ଶର୍ମା, ଜୟନ୍ତ ଦୀକ୍ଷିତ, ରବି ସିଂ, ରଘୁମଣି ପଟେଲ, ମନୋରଂଜନ ମହାପାତ୍ର, ପର୍ଶୁରାମ ସାହୁ, ବ୍ରଜରାଜନଗର ପୌରସଂସ୍ଥା ପାଇଁ ଆବାହକ ତପନ ପ୍ରଧାନ, ନନ୍ଦକିଶୋର ଅଗ୍ରୱାଲ, ବିଶ୍ବନାଥ ନାୟକ, ଜୟନ୍ତ ଦୀକ୍ଷିତ, ଗୋପାଲ ସିତାନି, ପି.ରାମମୋହନ ରାଓ, ରଘୁମଣି ପଟେଲ, ପିଣ୍ଟୁ ପାଢ଼ୀ, ନଟୁ ଶର୍ମା, ଦେବେନ ପତି, ସନ୍ଦୀପ ପଟ୍ଟନାୟକ, ଆର୍ଯ୍ୟନଙ୍କ ନାମ ଘୋଷଣା କରିଥିଲେ। ସାଧାରଣ ସଂପାଦକ ବିଶ୍ବନାଥ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ବରିଷ୍ଠ ବିଜେଡ଼ି ନେତା ତ୍ରିନାଥ ଗୁଆଲ ଉପସ୍ଥିତ ଥିଲେ।