ପୁରୀ :କଥିତ ଅଛି ଶ୍ରୀମନ୍ଦିରରେ ଦଶବର୍ଷ ଦର୍ଶନ କଲେ ଯାହା ଫଳ ମିଳେ, ଗୁଣ୍ଡିଚା ମଣ୍ଡପ ତଥା ଆଡ଼ପମଣ୍ଡପରେ ଦିନେ ଦର୍ଶନରେ ସେତିକି ଫଳ ମିଳିଥାଏ। ବିଶେଷକରି ଦିନ ଅପେକ୍ଷା ରାତିରେ ଦର୍ଶନ କଲେ ତାର ୧୦ ଗୁଣ ଅଧିକ ପୁଣ୍ୟ ମିଳିଥାଏ। ଆଡ଼ପ ମଣ୍ଡପରେ ଜଗନ୍ନାଥଙ୍କର ଅବସ୍ଥିତିକୁ ମହାବେଦି ଯୋଗ କୁହାଯାଏ। ଏଥିପାଇଁ ରଥାଯାତ୍ରାରେ ଆଡ଼ପମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସୁଅ ଛୁଟେ।
ସ୍କନ୍ଦ ପୁରାଣରେ ଗୁଣ୍ଡିଚା ମନ୍ଦିରର ମାହାତ୍ମ୍ୟ ସମ୍ପର୍କରେ ୨୯ତମ ଅଧ୍ୟାୟରେ ବର୍ଣ୍ଣନା ରହିଛି। ଆଡ଼ପମଣ୍ଡପରେ ଅଧିଷ୍ଠିତ ହେବା ସ୍ବୟଂ ମହାପ୍ରଭୁଙ୍କ ନିର୍ଦ୍ଦେଶ ରହିଥିବା କୁହାଯାଇଛି। ମହାବେଦି ମହାପ୍ରଭୁଙ୍କର ପୃଥିବୀର ସବୁଠାରୁ ପ୍ରୀତିପଦ ସ୍ଥାନ ବୋଲି ଉକ୍ତ ପୁରାଣରେ ଉଲ୍ଲେଖ ରହିଛି। ମହାପ୍ରଭୁ ରାଜାଙ୍କୁ କହିଛନ୍ତି ଆମ୍ଭକୁ ରଥାରୂଢ଼ ପୂର୍ବକ ମହୋତ୍ସବ କରାଇ ଯେଉଁ ସ୍ଥାନରେ ମୁଁ ପୂର୍ବେ ଆବିର୍ଭୂତ ହୋଇଥିଲି ଓ ଯେଉଁଠାରେ ତୁମର ସହସ୍ର ଅଶ୍ବମେଧ ଯଜ୍ଞର ମହାବେଦି ସେଇ ଆଡ଼ପମଣ୍ଡପକୁ ଆମ୍ଭକୁ ନେଇଯିବ। ତୁମେ ସେଠାରେ ୫ଶହ ବର୍ଷ ପର୍ଯ୍ୟନ୍ତ ଆହୁତି ପ୍ରଦାନ କରିଅଛ। ତେଣୁ ସେ ସ୍ଥାନ ଅପେକ୍ଷା ପ୍ରୀତିକର ସ୍ଥାନ ପୃଥିବୀରେ ଅନ୍ୟତ୍ର ନାହିଁ। ଏହି ସ୍ଥାନଟି ମୋର ଜନ୍ମସ୍ଥାନ ବୋଲି ମୋର ଅଖଣ୍ଡ ଶ୍ରଦ୍ଧା ରହିଛି। ମୁଁ ଏହି ସ୍ଥାନରେ ବହୁକାଳ ବ୍ୟାପୀ ଅବସ୍ଥାନ କରିଅଛି। ଏହି କାରଣରୁ ମୋର ପ୍ରୀତି ରହିଅଛି।
/sambad/media/post_attachments/wp-content/uploads/2023/06/adap-mandap-dd1-750x430.jpg)
ମହାପ୍ରଭୁ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଛନ୍ତି, ମୁଁ ସେଠାରେ ଅବସ୍ଥିତି କାଳରେ ଯେଉଁ ମାନବ ମୋତେ ଦର୍ଶନ କରିବେ ସେମାନେ ମୋର ଆଳୟ ବୈକୁଣ୍ଠ ଧାମକୁ ଗମନ କରିବେ। ଅର୍ଥାତ ନବମ ଦିବସ ଦକ୍ଷିଣାଭିମୁଖ ଯାତ୍ରା କାଳରେ ଯେଉଁମାନେ ମୋତେ ଅବଲୋକନ କରିବେ ସେମାନେ ପ୍ରତି ପଦକ୍ଷେପରେ ଅଶ୍ବମେଧ ଯଜ୍ଞର ଫଳଭାଗୀ ହେବେ। ପାଣ୍ଡବମାନେ ବନବାସ କରିବା ସମୟରେ ଏହି ମହାବେଦି ଦର୍ଶନ କରିଥିଲେ। ସ୍ବୟଂ ବ୍ରହ୍ମା ଆଡ଼ପ ମଣ୍ଡପରେ ନିଜେ ଉପସ୍ଥିତ ରହି ଯାଗ କରାଇଥିଲେ। ଯାଗ ବେଦୀକୁ ମାଡ଼ି ନୃସିଂହ ରହିଥିଲେ। ଆଡ଼ପ ମଣ୍ଡପରେ ଜଗନ୍ନାଥଙ୍କ ମୂତ୍ତି ଗଢ଼ିବା ପାଇଁ ଇନ୍ଦ୍ରଦ୍ୟୁମ୍ନ ରାଜାଙ୍କ ରାଣୀ ଗୁଣ୍ଡିଚା ଦେବୀ ରାଜାଙ୍କୁ ଜଣାଇଥିଲେ।
ଆଡ଼ପମଣ୍ଡପରେ ଦର୍ଶନ ଅଶ୍ବମେଧ ଯଜ୍ଞର ଫଳଭାଗୀ ହେବା ସହ ସମାନ ବିଚାର କରାଯାଉଥିବାରୁ ଏଥିପାଇଁ ପ୍ରବଳ ସମାଗମ ହୁଏ। ଶ୍ରୀବିଗ୍ରହମାନେ ଗୁଣ୍ଡିଚା ମଣ୍ଡପରେ ଥିବା ସମୟରେ ବନ ଜାଗରଣ ବ୍ରତ ପାଳନ କଲେ ମହାପୁଣ୍ୟ ହୁଏ। ସାଧାରଣ ଜନତା ଓ ବ୍ରତଚାରିଣୀମାନେ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ସହ ବ୍ରାହ୍ମଣମାନଙ୍କୁ ମହାପ୍ରସାଦ ଭୋଜନ କରାଇଥାଆନ୍ତି। ସ୍କନ୍ଦ ପୁରାଣର ଉତ୍କଳ ଖଣ୍ଡରେ ବର୍ଣ୍ଣନା ଅନୁସାରେ ଏହି କ୍ଷେତ୍ରରେ ରାଜା ଇନ୍ଦ୍ରଦ୍ୟୁମ୍ନ ନାରଦଙ୍କ ପରାମର୍ଶ ଅନୁସାରେ ନୀଳକଣ୍ଠେଶ୍ବରଙ୍କ ନିକଟରେ ନୃସିଂହ ମନ୍ଦିର ନିର୍ମାଣ କରାଇଲେ। ନିଜେ ନାରଦ ପଞ୍ଚମ ଦିନ ପ୍ରାଣ ପ୍ରତିଷ୍ଠା କରି ମୂର୍ତ୍ତିଙ୍କୁ ଆଣି ମନ୍ଦିରରେ ରଖିଲେ। ବୈଶାଖ ମାସ ଶୁକ୍ଳ ଚତୁର୍ଦ୍ଦଶୀ ଶନିବାର ସ୍ବାତୀ ନକ୍ଷତ୍ର ସନ୍ଧ୍ୟାବେଳେ ନୃସିଂହଙ୍କର ପ୍ରତିଷ୍ଠା ହୋଇଥିବା କଥା ଉଲ୍ଲେଖ ଅଛି। ବିଭିନ୍ନ ପୁରାଣ ଶାସ୍ତ୍ର ଅନୁଯାୟୀ, ଗୁଣ୍ଡିଚା ଘରର ଭିନ୍ନଭିନ୍ନ ନାମ ରହିଛି। ଯଜ୍ଞବେଦି, ମହାବେଦି, ଆଡ଼ପମଣ୍ଡପ, ଗୁଣ୍ଡିଚା ମଣ୍ଡପ, ରାସ ମଣ୍ଡପ, ଆଟୋପ ମଣ୍ଡପ। କବି ଦୀନକୃଷ୍ଣ ଦାସ ତାଙ୍କର ଜଗମୋହନ ଛାନ୍ଦରେ ଗୁଣ୍ଡିଚା ମନ୍ଦିରକୁ ଆଡ଼ମ୍ବର ମଣ୍ଡପ ଭାବେ ବର୍ଣ୍ଣନା କରିଛନ୍ତି। ହିନ୍ଦି ଭାଷାଭାଷୀମାନେ କୁହନ୍ତି ଏହା ଜନକପୁରୀ। ଶ୍ରୀକ୍ଷେତ୍ରର ଅନ୍ୟତମ ପୁଣ୍ୟ ଅଧିଷ୍ଠାନ ହୋଇଥିବାରୁ ଆଡ଼ପମଣ୍ଡପରେ ଦର୍ଶନ ପାଇଁ ଭକ୍ତମାନେ ପ୍ରତୀକ୍ଷା କରି ରହିଥାଆନ୍ତି।