କଟକ: କଟକ ସହରର ଉତ୍ପତି, ଇତିହାସ ଓ ସଂସ୍କୃତି ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇ ରହିଛି କାଠଯୋଡ଼ି। ନରାଜ ନିକଟରେ ଯେଉଁ ସ୍ଥାନରେ ମହାନଦୀରୁ ବାହାରି କାଠଯୋଡ଼ି ସୃଷ୍ଟି ହୋଇଛି, ସେଇଠୁ ଆରମ୍ଭ ହୋଇଛି କଟକ ସହର। କଟକ ସହର ପାର୍ଶ୍ବକୁ ଲାଗି ରହି ସହରର ସୀମା ଶେଷ ପର୍ଯ୍ୟନ୍ତ କାଠଯୋଡ଼ି ବୋହି ଯାଇଥିବା ବେଳେ ତା ପରେ ତାର ନାମ ବଦଳିଛି। ଏଥିପାଇଁ ମାତ୍ର ୯ କିଲୋମିଟର ଯାଏ ଲମ୍ବିଥିବା କାଠଯୋଡ଼ି ଏକ ଛୋଟ ନଦୀ ହେଲେ ବି ତାର ଉପନଦୀ ଓ ଶାଖା ନଦୀ ଯୋଗୁଁ କଟକ ଏବଂ କଟକ ତଳକୁ ରହିଥିବା ଜଗତସିଂହପୁର ଓ ପୁରୀ ଜିଲ୍ଲାର କୃଷି, ବ୍ୟବସାୟ ଓ ସାଂସ୍କୃତିକ ଇତିହାସରେ ଅନେକ ଗୁରୁତ୍ବ ରଖି ଆସିଛି। କଟକ ପାର୍ଶ୍ବ ଦେଇ ବହି ଯାଇଥିବା କାଠଯୋଡ଼ିର ପ୍ରସ୍ଥ ବିଭିନ୍ନ ଅଞ୍ଚଳରେ ୨ରୁ ୩ କିଲୋମିଟର ପର୍ଯ୍ୟନ୍ତ ରହିଛି। କିନ୍ତୁ କାଠଯୋଡ଼ିକୁ ମାରି ଦେବାର ପ୍ରୟାସ ଆଗାମୀ ଦିନରେ କେବଳ କଟକ ସହର ନୁହେଁ, କଟକ, ଜଗତସିଂହପୁର ଓ ପୁରୀ ଜିଲ୍ଲାର ଗ୍ରାମାଞ୍ଚଳକୁ ବ୍ୟାପକ ଭାବେ ପ୍ରଭାବିତ କରିବାକୁ ଯାଉଛି।

Advertisment

କାଠଯୋଡ଼ିକୁ ମାରି ଦେବା ପାଇଁ ଆରମ୍ଭ ହୋଇଥିବା ପ୍ରୟାସ ଗଲା କିଛି ବର୍ଷ ଭିତରେ ତ୍ବରାନ୍ବିତ ହୋଇଛି। କାଠଯୋଡ଼ିରେ ବନ୍ୟା ଆସିଲେ ଯେଉଁ ସ୍ଥାନରେ ଲୋକେ ପାଣିର ମାପଖୁଣ୍ଟର ଜଳସ୍ତର ଦେଖିବାକୁ ଭିଡ଼ ଜମାଉଥିଲେ, ବେଲଭ୍ୟୁର ସେହି ଅଞ୍ଚଳକୁ ପ୍ରଥମେ ନିଶ୍ଚିହ୍ନ କରି ଦିଆଗଲା। ଇଂରେଜ ଅମଳର ସେହି ମାପଖୁଣ୍ଟ ଆଉ ନାହିଁ କି ନଈର ଏକ ଅଂଶ ଭାବେ ସେହି ଅଞ୍ଚଳ ଆଉ ନାହିଁ। ନେତାଜୀ ସୁଭାଷ ସେତୁ ନିର୍ମାଣ ପରେ ସୁରକ୍ଷା ଆଳରେ କାଠଯୋଡିର ସେହି ଅଞ୍ଚଳକୁ ସଂପୂର୍ଣ୍ଣ ପୋତି ଦିଆଯାଇଛି। ବେଲଭ୍ୟୁ ବର୍ତ୍ତମାନ ଇତିହାସ ହୋଇଯାଇଛି। କାଠଯୋଡିର ଦ୍ବିତୀୟ ଐତିହାସିକ ସ୍ଥାନ ହେଉଛି ​ପୁରୀଘାଟ ନିକଟ ଦେବୀଗଡ଼ା। ଦୁଇଟି କାରଣରୁ ଏହା ଐତିହାସିକ। ସେହି ସ୍ଥାନରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ବରେ ହୋଇଥିଲା ସ୍ବାଧୀନତା ସଂଗ୍ରାମର ଐତିହାସିକ ସମାବେଶ। କୁହାଯାଏ ଯେ ସେହି କାର୍ଯ୍ୟକ୍ରମ ପରେ ପରେ ମହାତ୍ମା ଆଣ୍ଠୁ ଲୁଚୁ ନଥିବା ଲୁଗା ପିନ୍ଧିବା ଆରମ୍ଭ କରିଥିଲେ। ସେହି ଦେବୀଗଡ଼ା କଟକର ଗଣପର୍ବ ଦଶହରାର ମୂର୍ତ୍ତି ଭସାଣ କାର୍ଯ୍ୟକ୍ରମ ପାଇଁ ପ୍ରସିଦ୍ଧ। କିନ୍ତୁ ସେହି ଦେବୀଗଡ଼ାକୁ ଏବେ ବିନା ବାଧାରେ ପୋତା ଚାଲିଛି। ବର୍ଜ୍ୟବସ୍ତୁଠାରୁ ଆରମ୍ଭ କରି ଭଙ୍ଗା ଇଟା, ପଥର ସଂପୂର୍ଣ୍ଣ ବେଫିକର ଭାବେ ଆଣି ଫିଙ୍ଗି ଦିଆଯାଉଛି କାଠଯୋଡ଼ିର ଦେବୀଗଡ଼ାରେ। ପ୍ରଶାସନର ପରୋକ୍ଷ ପ୍ରୋତ୍ସାହନରେ ଏ କାର୍ଯ୍ୟ ସଂପୂର୍ଣ୍ଣ ବେଫିକର ଭାବେ ଚାଲିଥିବା ବେଳେ କୂଳ ଠାରୁ ଦୁଇ ଶହ ମିଟରରୁ ଅଧିକ ଅଞ୍ଚଳ ଯାଏ ପୋତି ହେଇଗଲାଣି କାଠଯୋଡ଼ି। ବେଲଭ୍ୟୁ, ଦେବୀଗଡ଼ା ପରେ ଏବେ ଆରମ୍ଭ ହୋଇଛି ମଲାଚଣ୍ଡିଆ ଛକ ବୁରୁଜ ନିକଟରୁ ନଈ ପୋତା କାର୍ଯ୍ୟ। ଆଉ କିଛି ଦିନ ଭିତରେ ମଲାଚଣ୍ଡିଆ ଛକ ବୁରୁଜ ବି ଇତିହାସ ପାଲଟି ଯିବ। ମାତ୍ର ୩/୪ ବର୍ଷ ପୂର୍ବରୁ କଟକ ଛାଡି ଦେଶବିଦେଶରେ ରହୁଥିବା ବ୍ୟକ୍ତି ଯଦି କଟକ ଫେରନ୍ତି, ତେବେ ସେହି ଅଞ୍ଚଳକୁ ଚିହ୍ନିବା ହୁଏତ ଆଉ ସେମାନଙ୍କ ପାଇଁ ସମ୍ଭବ ନଥିବ।

କାଠଯୋଡ଼ି ନଈର ଆରମ୍ଭରୁ ଶେଷ ଯାଏ ନଈ ଭିତରେ ଏଭଳି ଅତ୍ୟାଚାର ଯୋଗୁଁ ଏବେ ସତେ ଯେମିତି ନିଜର ଅସ୍ତିତ୍ବ ପାଇଁ କାନ୍ଦୁଛି କାଠଯୋଡ଼ି। ପରିବେଶବିତ ତଥା ବୈଜ୍ଞାନିକ ଡକ୍ଟର ସଂଜୟ ସାମନ୍ତରାୟ କାଠଯୋଡ଼ିର ପ୍ରାକୃତିକ ସ୍ରୋତ ବା ଗତିପଥର ଏଭଳି ଅବରୋଧକୁ ନେଇ ଆଗକୁ ହୁଏତ ଭୟଙ୍କର ବିପଦ ଆସିପାରେ ବୋଲି ଚେତାଇ ଦେଇଛନ୍ତି। ଏଭଳି କାର୍ଯ୍ୟ ଆଦୌ ଉଚିତ ନୁହେଁ। କୌଣସି ନଈର ପ୍ରାକୃତିକ ଗତିପଥକୁ ସବୁ ଦିନ ପାଇଁ ବନ୍ଦ କରାଯାଇ ପାରିବ ନାହିଁ। ଭବି​ଷ୍ୟତରେ ନଈର ଗତିପଥ କେଉଁ ଦିଗରେ ବି ମାଡ଼ି ଯାଇପାରେ। ଯାହାକି କଟକ ପାଇଁ ଅତ୍ୟନ୍ତ ବିପଜ୍ଜନକ। ଏଭଳି ଅଘଟଣ ଦେଶର ଅନେକ ଅଞ୍ଚଳରେ ଦେଖା ଯାଉଛି। ଏହା ଦ୍ବାରା କେତେବେଳେ କୃତ୍ରିମ ବନ୍ୟା ହୋଇପାରେ। ଭୂମିକମ୍ପ ଭଳି ବିପଦ ବଢି ପାରେ। ନିର୍ମାଣ ହୋଇଥିବା ସ୍ଥାନ ପ୍ରତି ବି ବିପଦ ପହଞ୍ଚି ପାରେ। ତେଣୁ କଟକ ସହରକୁ ଲାଗି କରି ବୋହି ଯାଇଥିବା କାଠଯୋଡ଼ି ଭଳି ଏକ ନଈର ପ୍ରାକୃତିକ ଗତିପଥ ଅବରୋଧ କୌଣସି ଦୃଷ୍ଟିରୁ ଉଚିତ ନୁହେଁ ବୋଲି ଡକ୍ଟର ସାମନ୍ତରାୟ କହିଛନ୍ତି।