ପ୍ରେମିକ ଘର ଆଗରେ ଯୁବତୀଙ୍କ ଉନ୍ମତ୍ତକାଣ୍ଡ : ୩ ଗାଡ଼ି ପୋଡ଼ି ଦେଲା!

ବାଲିଗୁଡା : ପ୍ରତିଶୋଧପରାୟଣା ପ୍ରେମିକା ଦେଖାଇଲା ଉଗ୍ର ରୂପ। ଆଉ ପ୍ରେମିକର ଘର ଆଗରେ ଥିବା ଦୁଇଟି ବାଇକ୍‌ ଓ ସ୍କୁଟିକୁ ପୋଡ଼ି ଦେଲା। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରର ସୁନାପାଙ୍ଗା ସାହିରେ ଏଭଳି ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

ମିଳିଥିବା ସୂଚନାନୁସାରେ, ବାଲିଗୁଡ଼ା ସୁନାପାଙ୍ଗା ସାହିର ଦିଲ୍ଲୀପ ନାୟକଙ୍କ ପୁଅ ଡିଏନ୍‌ ଦିନେଶଙ୍କ ସହ କ.ନୂଆଗାଁ ଥାନା କଂଜାମେଣ୍ଡିର ଜଣେ ଯୁବତୀଙ୍କ ପ୍ରେମ ସଂପର୍କ ଥିଲା। ଦୁହେଁ ସହମତିରେ (ଲିଭ୍‌-ଇନ୍‌-ରିଲେସନ୍‌) ମିଶି ଏକ ଭଡା ଘରେ ମଧ୍ୟ କିଛି ଦିନ ରହିଥିଲେ। କିଛିଦିନ ପରେ ଦିନେଶ ସଂପୃକ୍ତ ଯୁବତୀଙ୍କ ଚରିତ୍ରକୁ ନେଇ ସନ୍ଦେହ କରିବା ଆରମ୍ଭ କରି ଦେଇଥିଲେ। ଉଭୟଙ୍କ ମଧ୍ୟରେ ମତାନ୍ତର ହୋଇଥିଲା। ଏହାପରଠୁୁ ଉଭୟ ଅଲଗା ହୋଇ ଯାଇଥିଲେ ।

ତେବେ ଏହା ମଧ୍ୟରେ ଯୁବତୀଜଣକ ପ୍ରତିଶୋଧପରାୟଣ ହୋଇ ଉଠିଥିଲେ। ଯୁବତୀ ଜଣକ ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀପ ନାୟକଙ୍କ ଘର ଆଗରେ ଥିବା ଗୋଟିଏ ହିରୋହୋଣ୍ଡା ପେସନ୍‌ ପ୍ରୋ (ଓଡି ୧୨ବି-୨୦୨୧), ଟିଭିଏସ ସ୍କୁଟି(ଓଡି୧୨ବି-୨୧୫୭) ଏବଂ ତାଙ୍କ ପଡୋଶୀ ଶିକ୍ଷକ ପ୍ରଦୀପ ମଳିକଙ୍କ ହିରୋହୋଣ୍ଡା ପେସନ ପ୍ଲସ (ଓଡି୧୨-୨୨୪୨) ବାଇକକୁ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ଏନେଇ ବାଲିଗୁଡ଼ା ଥାନାରେ ଏତଲା ଦିଆଯିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଘଟଣାର ସତ୍ୟାସତ୍ୟ ବିଷୟରେ ଜାଣିବାକୁ ପୁଲିସ ତନାଘନା ଚଳାଇଛି।

ସମ୍ବନ୍ଧିତ ଖବର