ଝାରସୁଗୁଡ଼ା/ରାଇରଙ୍ଗପୁର/ଜାମଦା: ବହୁଚର୍ଚ୍ଚିତ ବେଲପାହାଡ଼ ମ୍ୟୁନିସିପାଲିଟି ଦୁର୍ନୀତି ଘଟଣାରେ କ୍ରାଇମ୍ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ପୌରପାଳିକାର ପୂର୍ବତନ ନିର୍ବାହୀ ଅଧିକାରୀ ତଥା ବର୍ତ୍ତମାନର ମୟୂରଭଞ୍ଜଜିଲ୍ଲା ଜାମଦାର ନିଲମ୍ବିତ ତହସିଲଦାର ମଧୁସ୍ମିତା ସିଂହଙ୍କୁ ଗିରଫ କରିଛି। ଆଜି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ମାଙ୍କଡ଼ାକେଣ୍ଡିଆସ୍ଥିତ ଘରୁ ତାଙ୍କୁ ଗିରଫ କରାଯାଇଛି। ଆସନ୍ତାକାଲି ତାଙ୍କୁ ସମ୍ବଲପୁର ଓପିଆଇଡି କୋର୍ଟରେ ହାଜର କରାଯିବ ବୋଲି ଇଓଡବ୍ଲ୍ୟୁ ପକ୍ଷରୁ ଏକ ପ୍ରେସ୍ ବିବୃତିରେ ସୂଚନା ଦିଆଯାଇଛି।
ସୂଚନା ଅନୁସାରେ, ମଧୁସ୍ମିତା ୨୦୨୩ ଅକ୍ଟୋବର ୪ରୁ ୨୦୨୫ ମେ’ ୩୧ ଯାଏଁ ବେଲପାହାଡ଼ ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ। ୨୦୨୪-୨୦୨୫ ଆର୍ଥିକ ବର୍ଷରେ ବେଲପାହାଡ଼ ମ୍ୟୁନିସିପାଲିଟି ଆକାଉଣ୍ଟରେ ଥିବା ଉନ୍ନତି ଯୋଜନାର ୨ କୋଟିରୁ ଅଧିକ ଟଙ୍କା ହେରଫେର୍ ହୋଇଥିବା ଜଣାପଡ଼ିଥିଲା। ଉନ୍ନତି ଯୋଜନାର ପାଣ୍ଠିକୁ ବିନା କୌଣସି ମଞ୍ଜୁରିରେ ସେ ଅନ୍ୟ ପ୍ରକଳ୍ପ କାମରେ ଲଗାଇ ଦେଇଥିଲେ। ଏପରିକି ଲାଇଟ୍ କିଣା ଘଟଣାରେ ସେ ୨୨ ଲକ୍ଷ ୬୨ ହଜାର ଟଙ୍କା ଆତ୍ମସାତ୍ କରିଥିବା ନେଇ ତଦନ୍ତରୁ ଜଣାପଡ଼ିଥିଲା। ସେପଟେ, ପଞ୍ଚଦଶ ଅର୍ଥ କମିସନ ଗ୍ରାଣ୍ଟରୁ ମଳ ଉପଚାର କେନ୍ଦ୍ର ପାଇଁ ରସାୟନ କିଣାରେ ୮୩.୮୭ ଲକ୍ଷ ଟଙ୍କା ଅନ୍ନଦା ସପ୍ଲାଏର୍ସକୁ ଦିଆଯାଇଛି। କିନ୍ତୁ ଏହାର ପର୍ଚେଜ ଅର୍ଡର, ଷ୍ଟକ୍ ଏଣ୍ଟ୍ରି ରେଜିଷ୍ଟର, ଖର୍ଚ୍ଚ ହୋଇଥିବା ରସାୟନର ବିବରଣୀ ନାହିଁ। ୧୮.୨୮ ଲକ୍ଷ ଟଙ୍କା ଲାଡଲି ଏଣ୍ଟରପ୍ରାଇଜେସ୍କୁ ଦିଆଯାଇଥିବାବେଳେ ଏହାର ବି କୌଣସି ଦସ୍ତାବିଜ ନାହିଁ। ଗତ ଅଗଷ୍ଟ ୧୪ ତାରିଖରେ ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ମ୍ୟୁନିସିପାଲିଟିର ବର୍ତ୍ତମାନର ନିର୍ବାହୀ ଅଧିକାରୀ ଗୌରବଚନ୍ଦ୍ର ପ୍ରଧାନ ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଥିଲେ। ଜିଲ୍ଲା ପ୍ରଶାସନର ଏକ ଟିମ୍ ମ୍ୟୁନିସିପାଲିଟିରେ ପହଞ୍ଚି ସମସ୍ତ ଫାଇଲ୍ ଯାଞ୍ଚ କରିଥିଲା।
ଷ୍ଟକ୍ ଯାଞ୍ଚ ବେଳେ ଟିମ୍କୁ ଷ୍ଟୋର୍ରେ ମାତ୍ର ୧୪.୯୬ କିଗ୍ରା ଓଜନର ରସାୟନ ମିଳିଥିଲା। ଏହି ଘଟଣାରେ ଟଙ୍କା ହେରଫେର ହୋଇଥିବା ନେଇ ପ୍ରଶାସନକୁ ପ୍ରମାଣ ମିଳିବାପରେ ରାଜ୍ୟ ସରକାର ସ୍ବତନ୍ତ୍ର ଅଡିଟ୍ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗତ ଅଗଷ୍ଟ ୧୮ ତାରିଖରୁ ସ୍ବତନ୍ତ୍ର ଅଡିଟ୍ ଟିମ୍ ଆସି ବେଲପହାଡ଼ ମ୍ୟୁନିସିପାଲିଟିର ୨୦୨୪-୨୦୨୫ ବର୍ଷର ଆୟବ୍ୟୟର ତନଖି କରିଥିଲା। ସେପଟେ, ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଧାନଙ୍କ ଏତଲା ଆଧାରରେ ବେଲପାହାଡ଼ ପୁଲିସ୍ ଏକ ମାମଲା ରୁଜୁ କରି ଆକାଉଣ୍ଟାଣ୍ଟ ବିଭୂତି ସାହୁଙ୍କୁ ଗିରଫ କରିଥିବା ବେଳେ ସାନିଟେସନ୍ ଏକ୍ସପର୍ଟ ସୌମ୍ୟ ମାହାଲି ଫେରାର୍ ହୋଇଯାଇଥିଲେ। ଗତ ୨୭ ତାରିଖରେ ମାମଲା ଇଓଡବ୍ଲ୍ୟୁକୁ ହସ୍ତାନ୍ତର ହେବାପରେ ୩୦ ତାରିଖରେ ପୂର୍ବତନ ନିର୍ବାହୀ ଅଧିକାରୀ ମଧୁସ୍ମିତା ସିଂହଙ୍କୁ ନିଲମ୍ବିତ କରାଯାଇଥିଲା। ଏହାରି ଭିତରେ ଇଓଡବ୍ଲ୍ୟୁ ବର୍ତ୍ତମାନର ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଧାନଙ୍କୁ ଡାକି ଗୋଟିଏ ରାଉଣ୍ଡ ପଚରାଉଚରା କରିଥିବାବେଳେ ତାଙ୍କୁ ପୁଣିଥରେ ଡକରା ହୋଇଛି। ଆସନ୍ତା ୪ ତାରିଖରେ ଜିଲ୍ଲା ପ୍ରଶାସନର ୩ ଜଣ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ଇଓଡବ୍ଲ୍ୟୁ ଡାକିଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/09/03/adaadzxx-2025-09-03-04-13-23.jpg)