ରାଜନଗର: ଗଭୀର ସମୁଦ୍ରରେ ଚାଲୁଛି ବେନାମୀ ଟ୍ରଲର୍। ଗୋଟିଏ ଗୋଟିଏ ରେଜିଷ୍ଟ୍ରେସନ୍ ନମ୍ବର୍ରେ ଏକାଧିକ ଟ୍ରଲର୍ ଚାଲୁଛି। ଚଳିତମାସ ୧୦ ତାରିଖ ଦିନ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରୁ ମା ଧାମରାଇ ଟ୍ରଲର୍ ଜବତ ହେବା ପରେ ଏହି ବେନାମୀ ଟ୍ରଲର୍ ଚଳାଚଳର ପୋଲ ଖୋଲିଛି। ବନବିଭାଗ ପାଟ୍ରୋଲିଂ ଟିମ୍ ମା ଧାମରାଇ ଟ୍ରଲର୍ ଜବତ କରିଥିବା ବେଳେ ଜେଏମ୍ଏଫ୍ସି କୋର୍ଟଙ୍କୁ ସି କିଙ୍ଗ-୨ ନାମକ ଟ୍ରଲର୍ ଜବତ ହୋଇଥିବା ଦର୍ଶାଇଛନ୍ତି। ଜବତ ମା ଧାମରାଇ ଟ୍ରଲର୍ରେ ଯେଉଁ ରେଜିଷ୍ଟ୍ରେସନ୍ ନମ୍ବର ରହିଛି, ସି କିଙ୍ଗ–୨ ଟ୍ରଲର୍ରେ ସେହି ସମାନ ରେଜିଷ୍ଟ୍ରେସନ୍ ନମ୍ବର ରହିଛି। ଟ୍ରଲର୍ରେ ଗୋଟିଏ ନାଁ ଲେଖା ହୋଇଥିବା ବେଳେ ଅନ୍ୟ ଏକ ନାଁରେ ରେଜିଷ୍ଟ୍ରେସନ୍ ନମ୍ବର ବାହାରିବା ଘଟଣା, ବେନାମୀ ଟ୍ରଲର୍ ଚଳାଚଳ ନେଇ ହୋଇଆସୁଥିବା ଅଭିଯୋଗର ସତ୍ୟତାକୁ ଧୀରେ ଧୀରେ ସ୍ପଷ୍ଟ କରୁଛି।
ବିରଳ ଅଲିଭ୍ରିଡ୍ଲେ କଇଁଛଙ୍କ ଅନ୍ତୁଡ଼ିଶାଳ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ସାରା ବିଶ୍ବରେ ଉପଲବ୍ଧ ପ୍ରାୟ ୫୦ ପ୍ରତିଶତ ଅଲିଭ୍ରିଡ୍ଲେ ସମାଗମ ହୋଇଥାନ୍ତି। ବିରଳ କଇଁଛଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ନଭେମ୍ବର୍ ୧ ରୁ ମଇ ୩୧ ଯାଏ ୭ମାସ ଧରି ଧାମରା ମୁହାଣରୁ ଦେବୀ ମୁହାଣ ଯାଏ କୂଳ ଠୁଁ ୨୦ କିଲୋମିଟର ଯାଏ ଟ୍ରଲର୍ ଚଳାଚଳ ଉପରେ ରୋକ୍ ଲଗାଯାଇଛି। ଏଥିସହ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବର୍ଷତମାମ ମାଛଧରା ଓ ଟ୍ରଲର୍ ଚଳାଚଳ ଉପରେ କଟକଣା ରହିଛି। ନିଷିଦ୍ଧାଂଚଳ ମଧ୍ୟରେ ଧରା ପଡୁଥିବା ଟ୍ରଲର୍ ମାଲିକମାନେ ଗୋଟିଏ ଗୋଟିଏ ନମ୍ବରରେ ଏକାଧିକ ଟ୍ରଲର୍ ଚଳାଇ ବନବିଭାଗକୁ ଚକ୍ମା ଦେଖାଇବାକୁ ଯୋଜନା ଆରମ୍ଭ କରିଛନ୍ତି। ଚଳିତମାସ ୧୦ ତାରିଖ ରାତିରେ ବନବିଭାଗ ପାଟ୍ରୋଲିଂ ଟିମ୍ ଗଭୀର ସମୁଦ୍ରର ଚିଂଚିରି ମୁହାଣ ନିକଟରେ ମା ଧାମରାଇ ନାମକ ଟ୍ରଲର୍କୁ ଜବତ କରିଥିଲା। ଟ୍ରଲର୍ରେ ଥିବା ୧୦ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରି ୧୧ ତାରିଖ ଦିନ କୋର୍ଟ ଚାଲାଣ କରାଯାଇଛି। ଜବତ ଟ୍ରଲର୍ରେ ମା ଧାମରାଇ, ରେଜିଷ୍ଟ୍ରେସ୍ନ ନଂ ଆଇଏନ୍ଡି-ଓଆର୍-୦୧-ଏମ୍ଏମ୍-୪୭୦ ଉଲ୍ଲେଖ ରହିଛି। ଟ୍ରଲର୍ର ୪ଟି ସ୍ଥାନରେ ମା ଧାମରାଇ ନାମ ଉଲ୍ଲେଖ ରହିଛି। କିନ୍ତୁ ବନବିଭାଗ ପକ୍ଷରୁ ଟ୍ରଲର୍ରୁ ଗିରଫ ମତ୍ସ୍ୟଜୀବୀଙ୍କୁ କୋର୍ଟ ଚାଲାଣ ବେଳେ ଦିଆଯାଇଥିବା ଇଂଟିମେସନ୍ ଫର୍ମରେ ଟ୍ରଲର୍ର ନାଁ ସି କିଙ୍ଗ–୨ ରେଜିଷ୍ଟ୍ରେସନ୍ ନଂ-ଆଇଏନଡି- ଓଆର-୦୧-ଏମ୍ଏମ୍-୪୭୦ ଉଲ୍ଲେଖ ରହିଛି। ଜବତ ଟ୍ରଲର୍ରେ ଲେଖାଯାଇଥିବା ନାଁ ସହିତ କୋର୍ଟରେ ଦିଆଯାଇଥିବା ରେକର୍ଡରେ ନାଁ ଅଲଗା ଆସୁଥିବା ବେଳେ ଦୁଇଟି ନାଁରେ ଟ୍ରଲର୍ର ରେଜିଷ୍ଟ୍ରେସନ୍ ନମ୍ବର ସମାନ ରହିଛି। ଗୋଟିଏ ରେଜିଷ୍ଟ୍ରେସନ୍ ନମ୍ବରରେ ଦୁଇ ଦୁଇଟି ନାଁରେ ଟ୍ରଲର୍ କିପରି ଗଡୁଛି, ତାହାକୁ ନେଇ ପ୍ରଶ୍ନ ଉଠିଛି।
ଏ ସଂପର୍କରେ ରେଂଜ୍ ଅଫିସର୍ ପ୍ରଦୋଷ କୁମାର ମହାରଣାଙ୍କୁ ପଚାରିବାରୁ ଜବତ ଟ୍ରଲର୍ରୁ ମିଳିଥିବା ଆର୍.ସି ବୁକ୍ରେ ଟ୍ରଲର୍ର ନାଁ ସି କିଙ୍ଗ-୨ ରହିଛି, କିନ୍ତୁ ଟ୍ରଲରରେ ମା ଧାମରାଇ ଲେଖାଯାଇଛି। ନାଁ ପୃଥକ ଥିଲେ ମଧ୍ୟ ରେଜିଷ୍ଟ୍ରେସନ୍ ନମ୍ବର ସମାନ ରହିଛି ବୋଲି ସେ କହିଛନ୍ତି। ଏ ସଂପର୍କରେ ସହକାରୀ ମତ୍ସ୍ୟ ଅଧିକାରୀ ରାଜନ ବେହେରାଙ୍କୁ ପଚାରିବାରୁ ଆର୍.ସି ବୁକ୍ରେ ଯେଉଁ ନାଁରେ ରେଜିଷ୍ଟ୍ରେସନ୍ ରହିଛି, ସେହି ନାଁରେ ହିଁ ଟ୍ରଲର୍ ଚାଲିବ। ଗୋଟିଏ ନାଁରେ ରେଜିଷ୍ଟ୍ରେସନ୍ ଓ ଟ୍ରଲର୍ରେ ଆଉ ଗୋଟିଏ ନାଁ ଲେଖାଯାଇ ପାରିବ ନାହିଁ। ଟ୍ରଲର୍ ମାଲିକ ସେମାନଙ୍କ ସୁବିଧା ଦୃଷ୍ଟିରୁ ଟ୍ରଲର୍ ନାଁ ବଦଳାଇବା ପୂର୍ବରୁ ପ୍ରଥମେ ରେଜିଷ୍ଟ୍ରେସନ୍ କାର୍ଯ୍ୟାଳୟରେ ଆବେଦନ କରିବାକୁ ପଡିବ। ଏହା ମଂଜୁର ହେବା ପରେ ସେ ନାଁକୁ ଟ୍ରଲର୍ରେ ଲେଖିପାରିବେ। ନାଁ ଆର୍.ସି ବୁକ୍ରେ ନ ବଦଳିବା ଯାଏ ଟ୍ରଲର୍ରେ ନାଁ ବଦଳାଯାଇ ପାରିବ ନାହିଁ ବୋଲି କହିଛନ୍ତି। ଗୋଟିଏ ଟ୍ରଲର୍ ଦୁଇଟି ନାଁରେ ଚାଲୁଛି, ନାଁ ଗୋଟିଏ ରେଜିଷ୍ଟ୍ରେସନ୍ ନମ୍ବର୍ରେ ଦୁଇଟି ଟ୍ରଲର୍ ଚାଲୁଛି, ତାହାକୁ ନେଇ ତର୍ଜମା କଲେ ଗଭୀର ସମୁଦ୍ରରେ ଚାଲୁଥିବା ବେଆଇନ ଟ୍ରଲରର ପର୍ଦ୍ଧାଫାସ ହୋଇ ପାରନ୍ତା।