ଓଡ଼ଗାଁ: ଓଡ଼ଗାଁ ବ୍ଲକ୍‌ ଗୋଲଗାଁ ଗ୍ରାମପଞ୍ଚାୟତ ଅଧୀନସ୍ଥ ପାଣିଭଣ୍ଡାର ଗ୍ରାମର ପ୍ରକାଶ ସ୍ବାଇଁଙ୍କ ସ୍ତ୍ରୀ ବାସନ୍ତୀ ସ୍ୱାଇଁ ପ୍ରଧାନମନ୍ତ୍ରୀ ଆବାସ କରି ବାରଦୁଆର ବୁଲୁଛନ୍ତି। ଆବାସ ଟଙ୍କା ନ ଦେଇ ଧୁଆଁବାଣ ମାରୁଛି ବ୍ଲକ୍ ପ୍ରଶାସନ। ଜଣେ ବାସହୀନ ମହିଳା ଭାବେ ବ୍ଲକ୍‌ରୁ ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନାରେ ଏକ ଗୃହ ନିର୍ମାଣ ପାଇଁ ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଜଣାଇବା ପରେ ବାସନ୍ତୀ ତାଙ୍କୁ ଗୃହ ନିର୍ମାଣର କାର୍ଯ୍ୟାଦେଶ ପ୍ରମାଣପତ୍ର ମାଗିଥିଲେ। ମାତ୍ର କାର୍ଯ୍ୟନିର୍ବାହୀ ଅଧିକାରୀ କାର୍ଯ୍ୟାଦେଶ ନ ଦେଇ ‘‘ଅନଲାଇନ୍‌ରେ ତୁମର କାର୍ଯ୍ୟାଦେଶ ହୋଇଯାଇଛି; ତୁମର ପ୍ରଥମ କିସ୍ତିର ୪୦ ହଜାର ଟଙ୍କା ଆକାଉଣ୍ଟକୁ ବିଡିଓ ଛାଡ଼ିଦେବେ’’ ବୋଲି ଜଣାଇଥିଲେ ଓ ପ୍ରଥମ କିସ୍ତିର ୪୦ ହାଜର ଟଙ୍କା ବ୍ୟାଙ୍କ ଖାତାକୁ ଆସିଥିଲା। ଦ୍ୱିତୀୟ କିସ୍ତିରେ ୬୫ ହଜାର, ତୃତୀୟ କିସ୍ତିରେ ୨୫ ହଜାର ମିଳିବା ସହିତ ତିନି ମାସ ଭିତରେ ଘର ସଂପୂର୍ଣ୍ଣ କଲେ ଆଉ ୨୨ ହଜାର ୫ ଶହ ଟଙ୍କା ଓ ତିନିମାସ ଭିତରେ ସାରିଲେ ବୋନସ ୨୦ ହଜାର ଟଙ୍କା ଏହିପରି ସର୍ବମୋଟ ୧ ଲକ୍ଷ ୭୨ ହଜାର ୫ ଶହ ଟଙ୍କା ମିଳିବ ବୋଲି ପିଇଓ ଜଣାଇଥିଲେ। ପ୍ରଥମ କିସ୍ତି ଟଙ୍କା ଆସିବା ପରେ ବାକି ଟଙ୍କା ଆଉ ଆସିନଥିଲା।

Advertisment

ଏପଟେ ତିନି ମାସ ଭିତରେ ଘରକାମ ସାରିବାକୁ ମାସିକ ୩ ପ୍ରତିଶତ ସୁଧରେ ୧ ଲକ୍ଷ ୫୦ ହଜାର ଟଙ୍କା ଆଣି ଘର କାମ ପୂର୍ଣ୍ଣାଙ୍ଗ କରି ଫଟୋ ସହ ଆବଶ୍ୟକ କାଗଜପତ୍ର ବ୍ଲକ୍‌ରେ ଦାଖଲ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବୋନସ ସହିତ ଅବଶିଷ୍ଟ ୧ ଲକ୍ଷ ୩୨ ହଜାର ୫ ଶହ ଟଙ୍କା ନ ପାଇ ନିରାଶ ହୋଇପଡ଼ିଛନ୍ତି। ବାରମ୍ବାର ପିଇଓଙ୍କୁ ଭେଟିଥିଲେ ମଧ୍ୟ କିଛି ଲାଭ ହୋଇନାହିଁ। ବିଡିଓଙ୍କୁ ଜଣାଇଛୁ ଟଙ୍କା ମିଳିଯିବ ଓ ପୁଣି ତୁମ ଆକାଉଣ୍ଟକୁ ଆଧାର ଲିଙ୍କ କରାଯିବ କହି ଦିନ ଗଡ଼ାଇ ଚାଲିଛନ୍ତି। ଦୀର୍ଘ ସାତ ମାସ ଧରି ଘରକାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଅବଶିଷ୍ଟ ଟଙ୍କା ନ ପାଇବା ଓ ଦେଢ଼ ଲକ୍ଷ ଟଙ୍କା ସୁଧକୁ ଆଣି ପରିଶୋଧ କରିବା ବାସନ୍ତୀଙ୍କ ପକ୍ଷେ କଷ୍ଟସାଧ୍ୟ ହୋଇପଡ଼ିଛି। ସେ ବିଡିଓଙ୍କ ସମେତ ଉପରିସ୍ଥ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଯଦି ସେ ଏକମାସ ମଧ୍ୟରେ ଟଙ୍କା ନ ପାଆନ୍ତି ତେବେ ବ୍ଲକ୍ ସମ୍ମୁଖରେ ପରିବାର ସହିତ ଅନଶନରେ ବସିବେ ବୋଲି ଜଣାଇଛନ୍ତି । ଏହି ଘଟଣାରେ ବିଡିଓ ଜିତେନ୍ଦ୍ର କୁମାର ନାୟକ, ମତେ ତାଙ୍କର ସମସ୍ତ କାଗଜପତ୍ର ଦିଅନ୍ତୁ ମୁଁ ଟଙ୍କା ପାଇବାର ବ୍ୟବସ୍ଥା କରିବି ବୋଲି କହିଛନ୍ତି।