ହିତାଧିକାରୀଙ୍କୁ ମିଳୁନି ଆବାସ ଯୋଜନା ଅନୁଦାନ

ହାଟଡିହି: ହାଟଡିହି ବ୍ଲକ୍‌ ପଢ଼ିଆରିପଲ୍ଲୀ ପଞ୍ଚାୟତରେ ଆବାସ ଯୋଜନାରେ ଘର ନିର୍ମାଣ କରିଥିବା ହିତାଧିକାରୀମାନେ ଅନୁଦାନ ପାଉନଥିବା ଅଭିଯୋଗ କରିଛନ୍ତି। ଧାରକରଜ କରି ଘର କାମ ସମ୍ପୂର୍ଣ୍ଣ କରିଥିବା ହିତାଧିକାରୀମାନେ ଏବେ ଲୋକଙ୍କଠାରୁ ନେଇ ଋଣ ପରିଶୋଧ ନ କରିପାରି ଅଡ଼ୁଆରେ ପଡ଼ିଛନ୍ତି। ୩ବର୍ଷ ହେଲା ହିତାଧିକାରୀମାନେ ଆବାସ ଅନୁଦାନ ପାଇଁ ବ୍ଲକ୍‌ କାର୍ଯ୍ୟାଳୟକୁ ଦୌଡ଼ୁଥିଲେ ମଧ୍ୟ କେହି ସେମାନଙ୍କ କଥା ଶୁଣୁନାହାନ୍ତି।

ପଢ଼ିଆରିପଲ୍ଲୀ ପଞ୍ଚାୟତକୁ ୨୦୧୫-୧୬ ଆର୍ଥିକ ବର୍ଷରେ ୭୫୦ଟି ଖଣିକ୍ଷତିଗ୍ରସ୍ତ ବିଜୁ ପକ୍କାଘର ଯୋଗାଇ ଦିଆଯାଇଥିଲା। ଏଥିରୁ ୬୨୩ଟି ଘର କାମ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଆଉ ୧୨୭ଟି ଅସମ୍ପୂର୍ଣ୍ଣ ରହିଛି। ଅନେକ ହିତାଧିକାରୀ ଆର୍ଥାଭାବରୁ ଘର କାମ ସମ୍ପୂର୍ଣ୍ଣ କରିପାରି ନାହାନ୍ତି। ଘର କାମ ସମ୍ପୂର୍ଣ୍ଣ କରିବାକୁ ବ୍ଲକ୍‌ ପକ୍ଷରୁ ପ୍ରଥମେ ରୁଙ୍ଗଟା ଓ ପରେ ଓଏମ୍‌ସିକୁ ନିର୍ଦେଶ ଦିଆଯାଇଥିଲା। କିନ୍ତୁ କୌଣସି ସଂସ୍ଥା ଏହି ଘର କାମ କରିନଥିଲେ। ପରବର୍ତ୍ତୀ ସମୟରେ ଅସମ୍ପୂର୍ଣ୍ଣ ଥିବା ୧୨୭ଟି ଘର ମଧ୍ୟରୁ କିଛି ହିତାଧିକାରୀ ଧାରକରଜ କରି କାମ ସମ୍ପୂର୍ଣ୍ଣ କଲେ। କାମ ସରିବା ବ୍ଲକ୍‌ ପକ୍ଷରୁ ଅନୁଦାନ ରାଶି ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା। ତିନିବର୍ଷ ବିତିଯାଇଥିଲେ ମଧ୍ୟ ଘର ବାବଦ ଅନୁଦାନ କିମ୍ବା ନିଅଁ ଖୋଳିବା ପାଇଁ ମନରେଗା ଯୋଜନାରେ ଆସୁଥିବା ଅନୁଦାନ ହିତାଧିକାରୀମାନେ ପାଇଲେ ନାହିଁ।

ଆତୁରିକୋଣା ଗ୍ରାମର ଅହଲ୍ୟା ପଲେଇ ତିନିବର୍ଷ ହେଲା ଘର କାମ ସମ୍ପୂର୍ଣ୍ଣ କରିଥିଲେ ବି ଅନୁଦାନ ରାଶି ୩୦ ହଜାର ଓ ମନରେଗା ଯୋଜନା ଅନୁଦାନ ୧୬ ହଜାର ଏପରି ୪୬ ହଜାର ଯଙ୍କା ପାଇନାହାନ୍ତି। ଏହି ଗରିବ ପରିବାର ପାଇଁ ପକ୍କାଘର ସ୍ୱପ୍ନ ଥିବାବେଳେ ସରକାର ଘର ଯୋଗାଇଦେଲେ। କିନ୍ତୁ ତାହା ଏବେ ତାଙ୍କପାଇଁ ଅଡ଼ୁଆ ସୃଷ୍ଟି କରିଛି ବୋଲି ଅହଲ୍ୟା କହିଛନ୍ତି। ଋଣ ଦେଇଥିବା ସାହୁକାରମାନେ ଆସି ଟଙ୍କା ମାଗୁଥିବା ବେଳେ ମୂଲ ଲାଗି ପରିବାର ଚଳାଉଥିବା ଅହଲ୍ୟା ଟଙ୍କା କେଉଁଠୁ ଆଣିବେ ତାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି। ସେହିପରି ଏହି ଗାଁର ତନୁ ପାତ୍ର, ବଙ୍ଗାଳି ପାତ୍ର,  ବିଶ୍ୱନାଥ ସାହୁ, ରମ୍ଭା ପାତ୍ର, ଗୀତାଞ୍ଜଳି ରାଉତଙ୍କ ମଧ୍ୟ ସମାନ ଅବସ୍ଥା। ସେମାନେ ଘର କାମ ସମ୍ପୂର୍ଣ୍ଣ କରିବା ପରେ କନିଷ୍ଠ ଯନ୍ତ୍ରୀ ବିଲ୍‌ କରିଦେଇଛନ୍ତି। ହେଲେ ଆବାସ ଯୋଜନା ସେକ୍ସନରେ କାମ କରୁଥିବା ଜଣେ କର୍ମଚାରୀ ଏହି ଫାଇଲ୍‌ ଗୁଡିକ ପକାଇଦେଇ ସମୟ ଗଡ଼ାଇ ଚାଲିଛନ୍ତି ବୋଲି ହିତାଧିକାରୀମାନେ ଅଭିଯୋଗ କରିଛନ୍ତି। ସେହିପରି ପଢ଼ିଆରିପଲ୍ଲୀ ଗ୍ରାମର ରଣଜିତ ରାଉତ ଘର କାମ ସମ୍ପୂର୍ଣ୍ଣ କରିଥିଲେ ବି ଲକ୍ଷେ ଟଙ୍କା ପାଇଛନ୍ତି। ବଳକା ୩୦ ହଜାର ଟଙ୍କା ପାଇଁ ବାରମ୍ବାର ବ୍ଲକ୍‌ କାର୍ଯ୍ୟାଳୟକୁ ଦୌଡ଼ିଦୌଡ଼ି ନୟାନ୍ତ ହେହେଣି। ପୂର୍ବରୁ ଆଜିକାଲି ହେବ ବୋଲି କର୍ମଚାରୀ ଜଣଙ୍କ କହୁଥିଲେ। ଏବେ ଫାଇଲ୍‌ ମିଳୁ ନଥିବା କହୁଛନ୍ତି।

ସେହିପରି ଗ୍ରାମର ପଦ୍ମାବତୀ ପଲେଇ ଆବାସ ଯୋଜନାରେ ଘର ପାଇବା ପରେ କାମ ଆରମ୍ଭ କରିଥିଲେ। ନିମଟାଲ୍‌ ପର୍ଯ୍ୟନ୍ତ ସେ କାମ କରିଛନ୍ତି। ତାଙ୍କୁ ମାତ୍ର ଦୁଇଟି କିସ୍ତିରେ ୫୫ ହଜାର ଟଙ୍କା ଦିଆଯାଇଛି। ସରକାରୀ ନିୟମ ଅନୁସାରେ ନିମଟାଲ୍‌ ପକାଇବା ପରେ ତାଙ୍କୁ ଆଉ ୪୫ହଜାର ଟଙ୍କା ଦିଆଗଲେ ସେ ଛାତ ପକାଇବେ। ସେ ଟଙ୍କା ପାଉନଥିବାରୁ ଘରର ଛାତ ପକାଇପାରୁ ନାହାନ୍ତି। ଏକ ଭଙ୍ଗା ଚାଳିଆରେ ରହୁଛନ୍ତି। ଏହି ପଞ୍ଚାୟତର ୫୦ରୁ ଊର୍ଦ୍ଧ୍ବ ବ୍ୟକ୍ତି ଏପରି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।  ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ହିତାଧିକାରୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର