ରାଉର‌କେଲା: ସୁନ୍ଦରଗଡ଼ ଜିଲ୍ଲାରେ ଥମୁନି ଯୋଗାଣ ବିଭାଗ କେଳେଙ୍କାରୀ। ଭୂତକାର୍ଡ ତ ଅନ୍ୟ କେତେବେଳେ ପିଡିଏସ୍‌ ଚାଉଳ ହେରଫେରକୁ ନେଇ ହରଡ଼ଗଣାରେ ପଡିଛନ୍ତି ବିଭାଗୀୟ ଅଧିକାରୀ। ଅନେକ ନିଲମ୍ବିତ ହୋଇଛନ୍ତି। ଆଉ କିଛି ଅଧିକାରୀ ଅନ୍ୟତ୍ର ବଦଳି ହୋଇଛନ୍ତି। ତଥାପି ଜିଲ୍ଲାରେ ଯୋଗାଣ ବିଭାଗରେ ସ୍ବଚ୍ଛତା ଆସୁନି। ଏବେ ପରିବହନ ଠିକାସଂସ୍ଥା ଜରିଆରେ ପିଡିଏସ୍‌ ଚାଉଳ ହଡପ୍‌ ହେଉଥିବା ଅଭିଯୋଗ ହେଉଛି।

Advertisment

ତା’ପୁଣି ମାସକୁ ୫୦ କି ୧୦୦ କ୍ବିଣ୍ଟାଲ ନୁହେଁ ପ୍ରାୟ ୩୨୦ କ୍ବିଣ୍ଟାଲ ପିଡିଏସ୍‌ ଚାଉଳ ହେରଫେର କରାଯାଉଥିବା ଜଣାପଡ଼ିଛି। କେଜି ପ୍ରତି ୩୦ ଟଙ୍କା କରି ମାସକୁ ପ୍ରାୟ ୯ଲକ୍ଷ ୬୦ ହଜାର ଟଙ୍କାକୁ ମିଳିମିଶି ଚଳୁ କରିଦିଆଯାଉଛି। ପରିବହନ ଠିକାସଂସ୍ଥା, ଆର୍‌ଆର୍‌ସି ଗୋଦାମ ଓ ଯୋଗାଣ କାର୍ଯ୍ୟାଳୟରେ କାର୍ଯ୍ୟରତ କିଛି ଅଧିକାରୀଙ୍କ ଭିତରି ସଲାସୁତୁରା ଏଭଳି କାମ କରାଯାଉଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ ବେଦବ୍ୟାସ,ଏସ୍‌ଟିଆଇ ଓ ଏଫ୍‌ସିଆଇସ୍ଥ ଆର୍‌ଆର୍‌ସି ଗୋଦାମରୁ ନୂଆଗାଁ, କୁଆରମୁଣ୍ଡା, ରାଉରକେଲା, ବୀରମିତ୍ରପୁର, ବିଶ୍ରା, ରାଜଗାଙ୍ଗପୁର, ବଣାଇ ଓ ଲହୁଣିପଡା ଆଦି ବ୍ଲକକୁ ପିଡିଏସ୍‌ ଚାଉଳ କଣ୍ଟୋଲ ଦୋକାନଗୁଡ଼ିକୁ ପଠାଯାଉଛି। ରାଉରକେଲାର ପ୍ରାୟ ୪୫ହଜାର ହିତାଧିକାରୀଙ୍କ ପାଇଁ ମାସକୁ ପ୍ରାୟ ୧୦ ହଜାର କ୍ବିଣ୍ଟାଲ ଚାଉଳ ଉଠାଯାଉଛି। ସେମିତି ଲାଠିକଟାକୁ ପ୍ରାୟ ୪ ହଜାର, ନୂଆଗାଁକୁ ୫, ୬୦୦ , ବୀରମିତ୍ରପୁର ପ୍ରାୟ ୭୦୦ କ୍ବିଣ୍ଟାଲ ଚାଉଳ ଉଠାଯାଉଛି। କେବଳ ଏତିକି ନୁହେଁ କୁଆରମୁଣ୍ଡା ପାଇଁ ପ୍ରାୟ ୫ ହଜାର, ବଣାଇ ପାଇଁ ୨ ହଜାର , ଲହୁଣିପଡ଼ା ପାଇଁ ୩ ହଜାର ଏମିତି‌ ପ୍ରାୟ ମାସକୁ ତିନିଟି ଆର୍‌ଆର୍‌ସି ଗୋଦାମରୁ ପ୍ରାୟ ୩୨ ହଜାର କ୍ବିଣ୍ଟାଲ ଉଠାଯାଉଛି। ପରିବହନ ଠିକାସଂସ୍ଥା ଜରିଆରେ ପିଡିଏସ୍‌ ଚାଉଳ ବ୍ଲକ, ପୌରପାଳିକାର କଣ୍ଟ୍ରୋଲ ଦୋକାନରେ ପହଞ୍ଚୁଛି।

କଣ୍ଟ୍ରୋ‌ଲ ଦୋକାନରେ ପିଡିଏସ୍‌ ଚାଉଳ ଦେବାବେଳେ ପରିବହନ ଠିକାସଂସ୍ଥା ପ୍ରତି ବସ୍ତାରେ ୫୫୦ ଗ୍ରାମ (ବୁରା ଓଜନ) ଅଧିକ ଦେବାର ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। କିନ୍ତୁ ଠିକାସଂସ୍ଥା ଏଭଳି କରୁନଥିବା ପ୍ରାୟ ଅଧିକାଂଶ କଣ୍ଟ୍ରୋଲ ଦୋକାନୀ ଅଭିଯୋଗ କରିଛନ୍ତି। ପ୍ରତି ବସ୍ତା‌ରେ ବୁରା ଓଜନର ୫୦୦ ଗ୍ରାମରୁ ଅଧିକ ଚାଉଳ ହଡ଼ପ କରାଯାଉଛି। କେବଳ ଏତିକି ନୁହେଁ, ଏଫ୍‌ସିଆଇ ଓ ଆର୍‌ଆର୍‌ସି ଗୋଦାମରୁ ଟ୍ରକ ଲୋଡିଂ ପରେ କଣ୍ଟା କରାଯାଉଛି। ଅନ୍‌ଲାଇନ୍ ଚାଲାଣ ବାହାର କରାଯିବା ପରିବର୍ତ୍ତେ ହାତ ଲେଖା ଚାଲାଣ ବାହାର କରାଯାଉଛି।

ଏହି ଚାଲାଣରେ ମନଇଚ୍ଛା ୫ରୁ ୧୦ କ୍ବିଣ୍ଟାଲ ଅଧିକ ଲେଖି ଦିଆଯାଉଛି। ପ୍ରତି ଟ୍ରକରେ ଏମିତି ବେଆଇନ କରାଯାଉଛି। କଣ୍ଟ୍ରୋଲ ଦୋକାନରେ ପିଡିଏସ୍‌ ଚାଉଳ ଦେବା ପୂର୍ବରୁ ସେଠାରେ ଓଜନ କରାଯାଉ ନାହିଁ। କଣ୍ଟ୍ରୋଲ ଦୋକାନୀ ପ୍ରତିବାଦ କରୁଥିଲେ ହେଁ, ଏହାର କୌଣସି ପ୍ରଭାବ ପରିବହନ ଠିକାସଂସ୍ଥା ଉପରେ ପଡୁନି। ପୂର୍ବରୁ ଏପରି ବେଆଇନ କାମ ପାଇଁ ପରିବହନ ଠିକାସଂସ୍ଥାକୁ କଳାତାଲିକା ଭୁକ୍ତ କରାଯାଇଥିଲା। କଳାତାଲିକାଭୁକ୍ତ ହେବା ପରେ ସମ୍ପର୍କୀୟଙ୍କ ନାଁରେ ପରିବହନ କାମ ହାତେଇ ପୁଣି ପୂର୍ବପରି ମିଳିମିଶି ପିଡିଏସ୍‌ ଚାଉଳ ଚଳୁ କରିବାରେ ଲାଗିପଡ଼ିଛନ୍ତି। ମାସ ମାସ ଧରି ଚାଲିଥିବା ଏଭଳି ବେଆଇନ କାମର ବିଧିବଦ୍ଧ ତଦନ୍ତ ହେବାର ଆବଶ୍ୟକତା ରହିଛି। ଏ ସଂକ୍ରାନ୍ତରେ ସହକାରୀ ଯୋଗାଣ ଅଧିକାରୀ ସଞ୍ଜୟ କୁମାର ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ଲିଖିତ ଅଭିଯୋଗ ଆସିଲେ ତଦନ୍ତ କରାଯିବ। ତଦନ୍ତରେ ଯଦି ପିଡିଏସ୍‌ ଚାଉଳ ହଡପ ଅଭିଯୋଗ ହେଉଥିବ, ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯିବ।