ରାଉରକେଲା: ପୁରୁଷ ହକି ବିଶ୍ବ କପ୍ ପାଇଁ ସମଗ୍ର ଜିଲ୍ଲା ପ୍ରଶାସନ ଏକ ହୋଇଯାଇଥିଲା। ବିଶ୍ବକପ୍ ପ୍ରାକ୍ ପ୍ରସ୍ତୁତି ଓ ପରବର୍ତ୍ତୀ ସମୟରେ ପରିଚାଳନା ବ୍ୟବସ୍ଥାରେ ନିୟୋଜିତ ହୋଇଥିଲେ ପ୍ରଶାସନିକ ଅଧିକାରୀ, କର୍ମଚାରୀ। ଫଳରେ ସେତେବେଳେ ବିଭିନ୍ନ ସରକାରୀ ସେବା ବାଧାପ୍ରାପ୍ତ ହୋଇଥିଲା। ଏମିତିକି କିଛି ସରକାରୀ କାର୍ଯ୍ୟକଳାପକୁ ସାମୟିକଭାବେ ବନ୍ଦ କରିଦିଆଯାଇଥିଲା। ତେବେ ବିଶ୍ବକପ୍ ଶେଷ ହେବାର ସାଢ଼େ ୪ ମାସ ବିତିଲାଣି। କିନ୍ତୁ ଯେଉଁ ସରକାରୀ କାର୍ଯ୍ୟଧାରା ବନ୍ଦ ହୋଇଯାଇଥିଲା; ତାହା ଏଯାଏ ଆରମ୍ଭ ହୋଇପାରିନି। ଉଦାହରଣ ସ୍ବରୂପ ଲିଜ୍ହୋଲ୍ଡ ବାସଗୃହଗୁଡ଼ିକୁ ଫ୍ରି ହୋଲ୍ଡରେ ପରିବର୍ତ୍ତନ କରିବା ପ୍ରକ୍ରିୟାକୁ ନିଆଯାଇପାରେ। ଗତ ନଭେମ୍ବର ମାସରୁ ବନ୍ଦ ପଡ଼ିଥିବା ଏହି ସେବା ଆଜିସୁଦ୍ଧା ଆରମ୍ଭ ହୋଇପାରିନି।
ରାଜ୍ୟ ସରକାରଙ୍କ ନିୟମାନୁସାରେ ଡେଭେଲପ୍ମେଣ୍ଟ୍ ଅଥରିଟି, ଜମି ଆବଣ୍ଟନ କମିଟି(ଏଲ୍ଏସି) ପ୍ରଦତ୍ତ ଜମିରେ ନିର୍ମିତ ବାସଗୃହଗୁଡ଼ିକୁ ଫ୍ରି ହୋଲ୍ଡ କରାଯିବ। କିଛି ମାସ ପୂର୍ବେ ହାଉସିଂବୋର୍ଡ ଅଧିକୃତ ବାସଗୃହ ପାଇଁ ମଧ୍ୟ ସମାନ ନିୟମ ଲାଗୁ କରିବାକୁ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ତେବେ ରାଉରକେଲା ଡେଭେଲପ୍ମେଣ୍ଟ୍ ଅଥରିଟି ଅଧିକୃତ ବାସଗୃହଗୁଡ଼ିକରେ ଏଯାଏ ଏହି ନିର୍ଦ୍ଦେଶାନାମା ଶତ ପ୍ରତିଶତ କାର୍ଯ୍ୟକାରୀ ହୋଇପାରିନି। ଏମିତିକି ସିଭିଲଟାଉନସିପ୍, ଛେଣ୍ଡ୍ କଳିଙ୍ଗବିହାର ଆଦି ଅଞ୍ଚଳରେ ପୂର୍ବରୁ କିଛିମାତ୍ରାରେ ଆରମ୍ଭ ହୋଇଥିବାଏହି ପ୍ରକ୍ରିୟା ଏବେ ଠପ୍ ହୋଇଯାଇଛି। ଏହି ପ୍ରକ୍ରିୟା ଆରମ୍ଭ ହୋଇଛି; କିନ୍ତୁ ଜିଲ୍ଲାପାଳଙ୍କ ସ୍ତରରେ ଲାଖିରହିବାରୁ ପ୍ରକ୍ରିୟା ସମ୍ପନ୍ନ ହୋଇପାରୁନି। ଫାଇଲ୍ ଆଗକୁ ବଢ଼ୁନଥିବାରୁ ହିତାଧିକାରୀ ଯାବତୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଉଲ୍ଲେଖଯୋଗ୍ୟ, ବାସଗୃହ ଫ୍ରି ହୋଲ୍ଡ ହେଲେ ଘରର ମାଲିକଙ୍କୁ ପଟ୍ଟା ମିଳିପାରିବ। ଏହାଦ୍ବାରା ସଂପୃକ୍ତ ବ୍ୟକ୍ତି ଘର ବିକ୍ରିକରି ନିଜର ଆବଶ୍ୟକତା ମେଣ୍ଟାଇପାରିବା ସହ ଏକାଧିକ ଲାଭ ପାଇପାରିବେ। ଏଥିପାଇଁ ପ୍ରଥମେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରାଯାଇଥାଏ। ତା’ପରେ ତହସିଲ କାର୍ଯ୍ୟାଳୟର ରାଜସ୍ବ କର୍ମଚାରୀ ସଂପୃକ୍ତ ଜମି/ବାସଗୃହର ଛାନ୍ଭିନ କରିବାପରେ ଆର୍ଡିଏ ପକ୍ଷରୁ ଚୂଡ଼ାନ୍ତ ଯାଞ୍ଚ କରାଯାଇଥାଏ। ଏହାପରେ ଜିଲ୍ଲାପାଳଙ୍କ ନିକଟକୁ ଅନୁମତି ପାଇଁ ପଠାଯାଇଥାଏ। କିନ୍ତୁ ଏଯାଏ ପାଖାପାଖି ୫୦/୬୦ଟି ଫାଇଲ୍ ଜିଲ୍ଲାପାଳଙ୍କ ନିକଟରେ ପଡ଼ିରହିଛି। ହିତାଧିକାରୀମାନେ ଗତ ପ୍ରାୟ ସାଢ଼େ ୭ ମାସ ହେଲା ଅନୁମତିକୁ ଚାତକ ପରି ଚାହିଁବସିଛନ୍ତି; କିନ୍ତୁ ସେମାନଙ୍କ ପ୍ରତୀକ୍ଷାର ଅନ୍ତ ହେଉନି। ବିଶ୍ବକପ୍ ପୂର୍ବରୁ ଅକ୍ଟୋବର ଯାଏ ଏହି କାର୍ଯ୍ୟ ଠିକ୍ଭାବେ ଚାଲୁଥିବାବେଳେ ବିଶ୍ବକପ୍ ଦ୍ବାହି ଦେଇ ବନ୍ଦ କରାଯିବାପରେ ଏହା ପୁନଃ କାର୍ଯ୍ୟକ୍ଷମ ହୋଇପାରିନି।
ଏହାଦ୍ବାରା କେବଳ ହିତାଧିକାରୀ ହଇରାଣ ହରକତ ହେଉନାହାନ୍ତି; ବରଂ ବହୁ ପରିମାଣରେ ରାଜସ୍ବ ହାନୀ ଘଟୁଛି। ଉଲ୍ଲେଖଯୋଗ୍ୟ, ଫ୍ରି ହୋଲ୍ଡ ପାଇବାକୁ ହେଲେ ହିତାଧିକାରୀଙ୍କୁ ନିଜ ସଂପତ୍ତି ମୂଲ୍ୟର ୧୦ ପ୍ରତିଶତ ସରକାରଙ୍କ ନିକଟରେ ଜମା କରିବାକୁ ପଡ଼ିଥାଏ। ଉଦାହରଣ ସ୍ବରୂପ,- ସିଭିଲ୍ଟାଉନସିପ୍ସ୍ଥ ବାସଗୃହକୁ ନିଆଯାଇପାରେ। ଏଠାରେ ମୋଟ୍ ତିନୋଟି ବର୍ଗ, ଯଥା ୫.୫ ଡିସିମିଲ, ୮.୫ ଡିସିମିଲ ଓ ୧୨.୫ ଡିସିମିଲ୍ ହିସାବରେ ଜମି ଯୋଗାଇ ଦିଆଯାଇଥିଲା। ସରକାରୀ ମୂଲ୍ୟ ହିସାବରେ, ସିଭିଲ୍ ଟାଉନସିପ୍ ଅଞ୍ଚଳରେ ପ୍ରତି ଡିସିମିଲ୍ର ଦର ପ୍ରାୟ ୨୦ ଲକ୍ଷ। ଅର୍ଥାତ୍ ୫.୫ ଡିସିମିଲ୍ରେ ନିର୍ମିତ ଘରର ମୂଲ୍ୟ ୧.୧୦ କୋଟି ହେବ। ଜମି ଫ୍ରି ହୋଲ୍ଡ କରିବାକୁ ହେଲେ ସଂପୃକ୍ତ ଘରର ମାଲିକଙ୍କୁ ପାଖାପାଖି ୧୦ ଲକ୍ଷ ୧ ହଜାର ଟଙ୍କା ସରକାରୀ ତହବିଲରେ ଜମା କରିବାକୁ ହେବ। ଏହିଅନୁସାରେ, ବକେୟା ପଡ଼ିଥିବା ପ୍ରାୟ ୫୦/୬୦ ଆବେଦନରୁ ମିଳିବାକୁ ଥିବା ରାଜସ୍ବ ପରିମାଣ ପାଖାପିଖ ୧୦/୧୫ କୋଟି ହେବ, କିନ୍ତୁ ଅନୁମତି ମିଳୁନଥିବାରୁ ରାଜସ୍ବ ହାନୀ ଘଟୁଛି। ତେବେ ଛେଣ୍ଡ୍, କଳିଙ୍ଗବିହାର ସମେତ ଆର୍ଡିଏ ପ୍ରଦତ୍ତ ଜମିରେ ନିର୍ମିତ ଘରର ସଂଖ୍ୟାକୁ ତର୍ଜମା କଲେ ରାଜସ୍ବ ପରିମାଣ ଢ଼େର୍ ଅଧିକ ହେବ। ପୂର୍ବରୁ ଫ୍ରି ହୋଲ୍ଡ ପ୍ରଦାନ ପ୍ରକ୍ରିୟା ଏଲ୍ଏସିରେ ହିଁ ଦିଆଯାଉଥିଲା। ତେବେ ନିୟମିତ ଏଲ୍ଏସି ବୈଠକ ନ ବସିବା ତଥା ଅନ୍ୟାନ୍ୟ ସମସ୍ୟା ଯୋଗୁଁ ପ୍ରକିୟାକୁ ସରଳ କରିବା ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ହାତରେ କ୍ଷମତା ଦିଆଯାଇଥିଲା। ଏବେ କିନ୍ତୁ ଏହା ପ୍ରକୃତ ଉଦ୍ଦେଶ୍ୟ ପୂରଣ କରିପାରୁନି; ଫଳରେ ହିତାଧିକାରୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।