ସିନାପାଲି : ନୂଆପଡ଼ା ଜିଲ୍ଲା ସିନାପାଲି ତହସିଲ୍ ହାତୀବନ୍ଧା ମୌଜାର ୧୩ଜଣ ହିତାଧିକାରୀଙ୍କୁ ଘରଡ଼ିହ ପଟ୍ଟା ମିଳିବାର ୨୧ ବର୍ଷ ପରେ ବୁଧବାର ଘରଡ଼ିହ ଜମି ଚିହ୍ନଟ ହୋଇଥିବା ଜଣାପଡ଼ିଛି। ହାତୀବନ୍ଧା ଆର୍ଆଇ କିଶୋର ଚନ୍ଦ୍ର ନାଏକଙ୍କ ନେତୃତ୍ୱରେ ଏହି ଜମି ଚିହ୍ନଟ ହୋଇଛି। ଗତ ୨୦୦୦ ମସିହାରେ ଉକ୍ତ ଗରିବ ହିତାଧିକାରୀଙ୍କୁ ରାଜସ୍ୱ ବିଭାଗ ତରଫରୁ ୪ ଡିସିମିଲ୍ ଲେଖାଏଁ ଘରଡ଼ିହ ଜମିପଟ୍ଟା ପ୍ରଦାନ କରାଯାଇଥିଲା। ଉକ୍ତ ଜମି ଗୁଡ଼ିକୁ ଦଖଲ କରିବା ପାଇଁ ଦୀର୍ଘ ବର୍ଷ ଧରି ଚେଷ୍ଟା କରି ଆସୁଥିଲେ ବି ସେହି ଘରଡ଼ିହ ଗୁଡ଼ିକର ନକ୍ସା ନଥିବାରୁ ସମ୍ଭବ ହେଉନଥିଲା।
ଏନେଇ ବାରମ୍ବାର ଖଡ଼ିଆଳ ତହସିଲ୍ କାର୍ଯ୍ୟାଳୟକୁ ଯାଇ ହିତାଧିକାରୀମାନେ ନିରାଶ୍ ହେଉଥିଲେ। ପରେ ହାତୀବନ୍ଧା ଆର୍ଆଇ ଶ୍ରୀ ନାଏକଙ୍କୁ ଯୋଗାଯୋଗ କରାଯିବାରୁ ସେ ଜମି ଚିହ୍ନଟ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଆଜି ଗ୍ରାମର ୧୩ ଜଣ ହିତାଧିକାରୀଙ୍କୁ ସୂଚନା ଦେଇ ସରଜମିନ୍ ସର୍ବେକ୍ଷଣ କରି ତାଙ୍କ ଘରଡ଼ିହ ଜମି ଚିହ୍ନଟ କରାଯାଇଛି। ଏହା ପୂର୍ବରୁ ଗତ ୧୦ ତାରଖ ଦିନ ପ୍ରଥମ ପର୍ଯ୍ୟାୟରେ ୧୮ଜଣ ହିତାଧିକାରୀଙ୍କ ଘରଡ଼ିହ ଚିହ୍ନଟ କରାଯାଇଥିଲା। ଆଜି ଦ୍ବିତୀୟ ପର୍ଯ୍ୟାୟରେ ୧୩ ଜଣଙ୍କ ଚିହ୍ନଟ ହୋଇଛି। ହିତାଧିକାରୀମାନେ ହେଲେ ପଦ୍ମଲୋଚନ ହରିଜନ, ଅଲେଖ ବାଗ, ହାରେ ବେଓଆ, ଟିକଚନ ବାଗ, ସାଧୁରାମ ମାଝୀ, ନରେନ୍ଦ୍ର ପଟେଲ, ମନୁରାମ ନାଏକ, ଭୁଜବଳ ପଟେଲ, ପୀତବାସ ପଟେଲ, ଭାଗତରାମ ନାଏକ, ଲଛମନ ଧୀବର, ଦେବମାଧବ ମେହେର, ଗୌତମ ମେହେର। ଆର୍ଆଇ ଶ୍ରୀ ନାଏକ ହାତୀବନ୍ଧାରେ ଯୋଗଦାନ କଲା ପରେ ଏହି ଅଞ୍ଚଳର ହିତାଧିକାରୀଙ୍କ ଅଧୁରା କାର୍ଯ୍ୟ ସବୁ ତୁରନ୍ତ ସମାଧାନ ହେଉଛି। ଏନେଇ ବିଭିନ୍ନ ମହଲରେ ଶ୍ରୀ ନାଏକଙ୍କୁ ପ୍ରଶଂସା କରାଯାଉଛି।