ରାୟଗଡ଼ା: ମାସେ, ଦୁଇ ମାସ କିମ୍ବା ବର୍ଷେ ନୁହେଁ। ୫ ବର୍ଷ ହେଲା ହରିଶ୍ଚନ୍ଦ୍ର ଯୋଜନାରେ ଶବ ଦାହ ପାଇଁ ହିତାଧିକାରୀଙ୍କୁ ମିଳୁନି ଟଙ୍କା। ବିଭାଗୀୟ ୱେବ୍ ସାଇଟରେ ମୃତକ ଓ ସଂପର୍କୀୟଙ୍କ ନାମ ପଞ୍ଜିକରଣ ପାଇଁ ଆବଶ୍ୟକ ୟୁଜର୍ସ ଆଇଡି, ପାସ୍ ୱାର୍ଡ ବ୍ଲକ୍ କର୍ତ୍ତୃପକ୍ଷଙ୍କ ପାଖରେ ନଥିବାରୁ ହରିଶ୍ଚନ୍ଦ୍ର ଯୋଜନା ପରିଚାଳନାରେ ସୃଷ୍ଟି ହୋଇଛି ଅଚଳାବସ୍ଥା। ଖୋଦ୍ ବ୍ଲକ୍ ସଦର ମହକୁମା କୋଲନରା ପଞ୍ଚାୟତରେ ଯୋଜନା ବାଟବଣା ହୋଇଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ହିତାଧିକାରୀ ଓ ଲୋକ ପ୍ରତିନିଧି।

Advertisment

୨ ମାସ ତଳେ କୋଲନରା ପଞ୍ଚାୟତ ମାଟିଆ ସାହିର ପ୍ରସନ୍ନ ସ୍ୱାଇଁଙ୍କ ମୃତ୍ୟୁ ହୋଇଥିଲା। ପ୍ରସନ୍ନଙ୍କ ମୃତ୍ୟୁ ପରେ  ପତ୍ନୀ ଝିଲି ପୁଅ, ଝିଅକୁ ନେଇ ଅଭାବ ଅନଟନ ମଧ୍ୟରେ ଦିନ କାଟି ଆସୁଛନ୍ତି। ପୁଅ, ଝିଅ ଉଭୟେ କଲେଜରେ ପାଠ ପଢ଼ୁଥିବାରୁ ପରିବାର ପ୍ରତିପୋଷଣ ନେଇ ଚିନ୍ତାରେ ପଡିଛନ୍ତି ଝିଲି। ସ୍ଥାନୀୟ କିଛି ଲୋକଙ୍କ ନିକଟରୁ ହରିଶ୍ଚନ୍ଦ୍ର ଯୋଜନା ସଂପର୍କରେ ଝିଲି ଜାଣିବା ପରେ ସହାୟତା ବାବଦ ୨ ହଜାର ଟଙ୍କା ପାଇବା ପାଇଁ ବ୍ଲକରେ ଆବେଦନ କରିଥିଲେ। ହେଲେ ବାରମ୍ବାର ବ୍ଲକକୁ ଦୌଡ଼ି ନୟାନ୍ତ ହେବା ଛଡ଼ା ଝିଲିଙ୍କୁ ଆଜି ସୁଦ୍ଧା କୌଣସି ସୁଫଳ ମିଳିପାରିନି। ସ୍ବାମୀ ପ୍ରସନ୍ନଙ୍କ ଶବ ଦାହ ବାବଦ ୨ ହଜାର ଟଙ୍କା ମିଳିଲେ ପୁଅ, ଝିଅଙ୍କ କଲେଜ ଫି’ ବାନ୍ଧିବା ପାଇଁ ଯୋଜନା କରିଛନ୍ତି ଝିଲି। ହେଲେ ବ୍ଲକ୍ କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ଝିଲି ହରିଶ୍ଚନ୍ଦ୍ର ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହୋଇଛନ୍ତି।

ଝିଲିଙ୍କ ସମେତ ମାଟିଆ ସାହିର ଏମିତି ଶହ ଶହ ହିତାଧିକାରୀ ହରିଶ୍ଚନ୍ଦ୍ର ଯୋଜନାରେ ୨୦୧୭ରୁ ସହାୟତା ରାଶି ପାଇନାହାନ୍ତି। ସଂପୃକ୍ତ ପଞ୍ଚାୟତ ଦାୟିତ୍ବରେ ଥିବା ପିଇଓ କିମ୍ବା ବ୍ଲକ୍ କର୍ତ୍ତୃପକ୍ଷ ଏଥି ପ୍ରତି କୌଣସି ଦୃଷ୍ଟି ଦେଉନାହାନ୍ତି। ନବ ନିର୍ବାଚିତ କୋଲନରା ସରପଞ୍ଚ ଭାବେ ପରମାନନ୍ଦ କଣ୍ଡାଗିରି ଏ ସଂପର୍କରେ ଅବଗତ ହେବା ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସରପଞ୍ଚଙ୍କ ତନାଘନା ପରେ ନଭେମ୍ବର ୧୫ ତାରିଖରେ ହରିଶ୍ଚନ୍ଦ୍ର ଯୋଜନାର ୟୁଜର୍ସ ଆଇଡି ଓ ପାସୱାର୍ଡ ସାଇଟ୍ ଖୋଲାଯାଇ ସହାୟତା ରାଶି ବଣ୍ଟନ ଆରମ୍ଭ ହୋଇଛି। ତେବେ ଚଳିତ ନଭେମ୍ବର ୧୫ ପରେ ମୃତ୍ୟୁବରଣ କରିଥିବା ଲୋକଙ୍କୁ ସହାୟତା ରାଶି ମିଳୁଥିବା ବେଳେ ପୂର୍ବରୁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସଂପର୍କୀୟଙ୍କୁ ଏହି ରାଶି ପ୍ରଦାନ କରାଯାଇ ପାରିବ ନାହିଁ ବୋଲି ବ୍ଲକ୍ କର୍ତ୍ତୃପକ୍ଷ ମନା କରି ଦେଇଛନ୍ତି। ଦୀର୍ଘ ୫ ବର୍ଷ ହେଲା ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ରାଶି ବଣ୍ଟନ ବନ୍ଦ ଥିଲେ ମଧ୍ୟ ବ୍ଲକ୍ କର୍ତ୍ତୃପକ୍ଷ କିପରି ଏ ସଂପର୍କରେ ଜାଣିପାରୁନଥିଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ସରପଞ୍ଚ ପରମାନନ୍ଦ। ଯାହା ବ୍ଲକ୍ କର୍ତ୍ତୃପକ୍ଷଙ୍କ ଭୂମିକାକୁ ସନ୍ଦେହ ଘେରକୁ ଟାଣିଛି।

ସୂଚନାଯୋଗ୍ୟ, ଗରିବ ସୀମା ରେଖା ତଳେ ବାସ କରୁଥିବା ଲୋକଙ୍କୁ ଶବ ଦାହ ପାଇଁ ୨ ହଜାର ଟଙ୍କାର ସହାୟତା ରାଶି ଯୋଗାଇ ଦେବାକୁ ସରକାର ହରିଶ୍ଚନ୍ଦ୍ର ଯୋଜନା କାର୍ଯ୍ୟକାରୀ କରିଛନ୍ତି। ସରପଞ୍ଚଙ୍କ ଅନୁମୋଦନକ୍ରମେ ପଞ୍ଚାୟତରୁ ଏହି ଟଙ୍କା ତୁରନ୍ତ ହିତାଧିକାରୀକୁ ପ୍ରଦାନ କରିବାର ବ୍ୟବସ୍ଥା ରହିଛି। କିନ୍ତୁ କୋଲନରା ବ୍ଲକର ସଦର ମହକୁମା ପଞ୍ଚାୟତରେ ହରିଶ୍ଚନ୍ଦ୍ର ଯୋଜନା ଗରିବଙ୍କ ପ୍ରତି ଉପହାସ ସଦୃଶ୍ୟ ହୋଇଛି।