ନୂଆ ନିୟମ ଯୋଗୁଁ ଭତ୍ତା ପାଉନାହାନ୍ତି ହିତାଧିକାରୀ

ହାଟଡିହି : ଭତ୍ତା ପ୍ରଦାନ ପାଇଁ ସରକାରଙ୍କ ନୂଆ ନିୟମ କାଳ ହୋଇଛି। ବ୍ୟାଙ୍କ୍ ଜରିଆରେ ଭତ୍ତା ପ୍ରଦାନ ନିୟମ ଲାଗୁ କରିବା ପରେ ହାଟଡିହି ବ୍ଲକ୍‌ରେ ପ୍ରାୟ ୫ଶହରୁ ଅଧିକ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି। କେତେକ ଭତ୍ତା ନ ପାଇଁ ଅସୁବିଧାରେ କାଳାତିପାତ କରୁଥିବା ବେଳେ ଆଉ କେଇଜଣ ଅର୍ଦ୍ଧାହାରରେ ଦିନ କାଟୁଛନ୍ତି।

ପୂର୍ବରୁ ପଞ୍ଚାୟତ ଜରିଆରେ ଭତ୍ତା ପ୍ରଦାନ କରାଯାଉଥିଲା। ଏବେ ସରକାର ବ୍ୟାଙ୍କ୍‌ ଜରିଆରେ ଭତ୍ତା ପ୍ରଦାନ କରୁଛନ୍ତି। ବିଭାଗୀୟ ଅଧିକାରୀମାନେ ହିତାଧିକାରୀଙ୍କ ସମସ୍ୟା ବୁଝୁ ନଥିବାରୁ ସ୍ଥିତି ସଂଗିନ ହେଉଛି। ଏଭଳି ଅବସ୍ଥାକୁ ନେଇ ହିତାଧିକାରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ତରଭା ଗ୍ରାମର ଧନେଶ୍ୱର ପତି ଦିବ୍ୟାଙ୍ଗ। ତାଙ୍କର ୪ଟି ଝିଅ ମଧ୍ୟ ଦିବ୍ୟାଙ୍ଗ। ଏବେ ସେ ଓ ଗୋଟିଏ ଝିଅ ଭତ୍ତା ପାଉଛନ୍ତି । ଏହି ଦୁଇଜଣଙ୍କ ଭତ୍ତାରେ ପରିବାରଟି ଚଳୁଛି। ପୂର୍ବରୁ ପଞ୍ଚାୟତ ମାଧ୍ୟମରେ ଭତ୍ତା ପାଉଥିବାବେଳେ ବ୍ୟାଙ୍କ ମାଧ୍ୟମରେ ବଣ୍ଟନ ପରେ ସେ ୩ମାସ ହେଲା ଭତ୍ତା ପାଇପାରି ନାହାନ୍ତି । ଏପରିକି ସେ ବ୍ୟାଙ୍କ ଓ ବ୍ଲକ୍‌କୁ ମାସ ମାସ ହେଲା ଦୌଡୁଥିଲେବି କେହି ତାଙ୍କ ଦୁଃଖ ବୁଝୁ ନଥିବା ସେ କହିଛନ୍ତି। ଅବସ୍ଥା ଏମିତି ହୋଇଛି ଯେ ପରିବାରଟି ଏବେ ଅର୍ଦ୍ଧାହାରରେ କାଳାତିପାତ କରୁଛି।

ମରୈଗାଁର ପାଗଳ ଯେନାଙ୍କ ବୟସ ୧୦୫ ବର୍ଷ। ଆଖିକୁ ଭଲ ଦିଶୁ ନାହିଁ। ଚମ ଧୁଡୁଧୁଡୁ ହେଇଗଲାଣି। ପୂର୍ବରୁ ସେ ୭ଶହ ଟଙ୍କା ଲେଖାଏଁ ଭତ୍ତା ପାଉଥିଲେ। ବ୍ୟାଙ୍କ୍‌ ଜରିଆରେ ଦିଆଯିବା ପରେ ସେ ଏବେ ୫ଶହ ଟଙ୍କା ପାଉଛନ୍ତି। ବାରମ୍ବାର ଏ ସମ୍ପର୍କରେ ବ୍ଲକ୍‌ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ ହେଁ କେହି ତାଙ୍କ କଥା ଶୁଣୁ ନାହାନ୍ତି।

ଆଇତିପୁର ପଞ୍ଚାୟତ ନୂଆଗାଁ ଗ୍ରାମର ଗୋପୀନାଥ ଜେନା ଜଣେ ଦିବ୍ୟାଙ୍ଗ। ତାଙ୍କର ଦୁଇଟି ଯାକ ପାଦ ନାହିଁ । ସେ ଚଲାବୁଲା କରିପାରୁ ନାହାନ୍ତି । ଏପରି ଅବସ୍ଥାରେ ସେ ଦୁଇ ମାସ ହେଲା ଭତ୍ତାରୁ ବଞ୍ଚିତ। ପୂର୍ବରୁ ପଞ୍ଚାୟତ କର୍ତ୍ତୃପକ୍ଷ ତାଙ୍କ ଘରେ ଭତ୍ତା ଟଙ୍କା ପହଞ୍ଚାଇ ଦେଉଥିଲେ। ଏବେ ବ୍ୟାଙ୍କକୁ ବାରମ୍ବାର ଯାଇ ନିରାଶ ହୋଇ ଫେରୁଛନ୍ତି । ବ୍ୟାଙ୍କ କର୍ତ୍ତୃପକ୍ଷ ଟଙ୍କା ଆସି ନଥିବା କହି ଫେରାଇ ଦେଉଛନ୍ତି।

ବଡରମ୍ପାସ ପଞ୍ଚାୟତ ନୂଆରମ୍ପାସ ଗାଁର ପ୍ରାଣକୃଷ୍ଣ ସେନାପତି। ବୟସ ୭୨ବର୍ଷ। ସେ ୪ମାସ ହେଲା ଭତ୍ତା ପାଇପାରୁ ନାହାନ୍ତି। ପୂର୍ବରୁ ତାଙ୍କୁ ଠିକ୍‌ଠାକ୍ ଭତ୍ତା ମିଳୁଥିଲା।

କୁରାଢ଼ିଘସାର ହିତାଧିକାରୀଙ୍କ ଭତ୍ତା ଟଙ୍କା ଅନ୍ୟ ଏକାଉଣ୍ଟକୁ ପଳାଇଥିବା ‌କେତେକ ହିତାଧିକାରୀ ଅଭିଯୋଗ କରିଛନ୍ତି । ଜିଲ୍ଲା ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ସେମାନେ ନିବେଦନ କରିଛନ୍ତି ।

ସମ୍ବନ୍ଧିତ ଖବର