ଭୁବନେଶ୍ବର:  ୪୮ ଲକ୍ଷ ହିତାଧିକାରୀଙ୍କୁ ମିଳିବ ଆଗୁଆ ଭତ୍ତା । ଆଗୁଆ ଚାରି ମାସ ଯଥା ଏପ୍ରିଲ, ମେ, ଜୁନ ଓ ଜୁଲାଇ ମାସର ଭତ୍ତା ହିତାଧିକାରୀଙ୍କୁ ପ୍ରଦାନ କରିବେ ରାଜ୍ୟ ସରକାର । ତେବେ ମଧୁବାବୁ ପେନସନ ଯୋଜନାରେ ୨୪ ଲକ୍ଷ ହିତାଧିକାରୀଙ୍କୁ ମିଳିବ ଆଗୁଆ ଭତ୍ତା । ଏନଏସଏପି ମାଧ୍ୟମରେ ୨୪ ଲକ୍ଷ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯିବ । ଏନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି । ସେ କହିଛନ୍ତି, ସାମାଜିକ ସୁରକ୍ଷା ବ୍ୟବସ୍ଥାରେ ହିତାଧିକାରୀଙ୍କୁ ୪ ମାସର ଭତ୍ତା ଆଗୁଆ ଦିଆଯିବ । ରାଜ୍ୟର ୪୮ ଲକ୍ଷ ହିତାଧିକାରୀ ଉପକୃତ ହେବେ ।

Advertisment

ଅନ୍ୟପଟେ, ବଜାରରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥେଷ୍ଟ ପରିମାଣର ମହଜୁଦ ଥିବା ନେଇ କହିଛି ଯୋଗାଣ ବିଭାଗ । କରୋନା ଯୋଗୁ ଏହି ସାମଗ୍ରୀର କୌଣସି ଅଭାବ ରହିବନାହିଁ । ଖାଦ୍ୟ ଯୋଗାଣ ବିଭାଗ ଏ ନେଇ ସଚେତନ ଅଛି ଓ ଅନ୍ୟ ବିଭାଗ ସହ ସମନ୍ୱୟ ରଖି କାର୍ଯ୍ୟକରୁଛି । ତେଣୁ କୌଣସି ପ୍ରକାର ଭୟଭୀତ ନହେବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

ଏହା ସହିତ ଆଗୁଆ ପିଡିଏସ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି କହିଛନ୍ତି । ତେଣୁ କୌଣସି ପ୍ରକାରର ଗୁଜବକୁ ବିଶ୍ୱାସ ନକରିବାକୁ ପରାମର୍ଶ ଦେଇଛନ୍ତି ଏବଂ ଗୁଜବକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ସେହିପରି ଅଧିକ ଆବଶ୍ୟକ ହେଉଥିବା ସାନିଟାଇଜର ଓ ମାସ୍କର ଉତ୍ପାଦନ ଅଧିକ ମାତ୍ରାରେ କରାଯାଉଛି ବୋଲି ସୂଚନା ଦେଇଛନ୍ତି ।