କୋଲ୍କାତା: ଆଜି ସକାଳ ୭ଟା ବେଳେ ପଶ୍ଚିମବଙ୍ଗ ଏବଂ ଆସାମ ରାଜ୍ୟ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ପଶ୍ଚିମବଙ୍ଗରେ ଏହି ଦ୍ୱିତୀୟ ପର୍ଯ୍ୟାୟରେ ସମୁଦାୟ ୩୦ଟି ଆସନ ଲାଗି ଭୋଟ୍ ଗ୍ରହଣ କରାଯାଉଥିବା ବେଳେ ଆସାମରେ ୩୯ଟି ଆସନ ନିମନ୍ତେ ଭୋଟ୍ ଗ୍ରହଣ ଚାଲିଛି।
ବହୁ ସଂଖ୍ୟାରେ ଆସି ଭୋଟ୍ ଦେବା ପାଇଁ ଆଜି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମବଙ୍ଗ ଏବଂ ଆସାମବାସୀଙ୍କୁ ନିବେଦନ କରିଛନ୍ତି। ଟୁଇଟ୍ କରି ସେ ଲେଖିଛନ୍ତି, ପଶ୍ଚିମବଙ୍ଗରେ ଆଜି ଯେଉଁ ଆସନ ନିମନ୍ତେ ଭୋଟ୍ ହେଉଛି, ରେକର୍ଡସଂଖ୍ୟକ ଭୋଟ୍ ଦେବା ଲାଗି ସେଠାକାର ଅଧିବାସୀମାନଙ୍କୁ ନିବେଦନ କରୁଛି।
ଆସାମବାସୀଙ୍କ ପାଇଁ ଅନ୍ୟ ଏକ ଟୁଇଟ୍ରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଆଜି ଆସାମରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଚାଲିଛି। ଏହି ପର୍ଯ୍ୟାୟର ସମସ୍ତ ଯୋଗ୍ୟ ଭୋଟର୍ମାନଙ୍କୁ ଅନୁରୋଧ, ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରି ଗଣତନ୍ତ୍ରର ଏହି ଉତ୍ସବକୁ ସୁଦୃଢ଼ କରନ୍ତୁ।
Image Courtesy of Zee Newsପଶ୍ଚିମବଙ୍ଗର ନନ୍ଦୀଗ୍ରାମରେ ମୁଖ୍ୟମନ୍ତ୍ରୀ ତଥା ‘ତୃଣମୂଳ କଂଗ୍ରେସ’ର ମୁଖ୍ୟ ମମତା ବାନାର୍ଜୀ ଏବଂ ପୂର୍ବେ ତାଙ୍କର ଘନିଷ୍ଠ ସହଯୋଗୀ ଓ ଏବେ ପ୍ରତିଦ୍ୱନ୍ଦ୍ୱୀ ସାଜିଥିବା ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି। ତେଣୁ, ଆଜି ନନ୍ଦୀଗ୍ରାମ ଉପରେ ସମସ୍ତଙ୍କ ଦୃଷ୍ଟି ରହିଛି। ୨୦୦୭ରେ ନନ୍ଦୀଗ୍ରାମର କୃଷି ଆନ୍ଦୋଳନ ବାମ ସାମ୍ମୁଖ୍ୟ ସରକାରଙ୍କର ମୂଳଦୁଆ ଦୋହଲାଇ ଦେଇଥିଲା। ଦୀର୍ଘ ୩୫ ବର୍ଷ ଧରି ଏହି ଆସନରେ ରାଜତ୍ୱ କରୁଥିବା ବାମ ସାମ୍ମୁଖ୍ୟର ପ୍ରାର୍ଥୀ ପରାସ୍ତ ହୋଇ ମମତାଙ୍କ ଶାସନ ନିମନ୍ତେ ପଥ ପରିଷ୍କାର କରିଥିଲା। ଆଜି ୧୦ ବର୍ଷ ପରେ ସେହି ନନ୍ଦୀଗ୍ରାମ ମମତା ବାନାର୍ଜୀଙ୍କ ଲାଗି ରଣକ୍ଷେତ୍ର ପାଲଟିଛି। ସେଠାକାର ସୁପ୍ରତିଷ୍ଠ ଅଧିବାସୀ ଶୁଭେନ୍ଦୁ ଅଧିକାରୀଙ୍କୁ ଆହ୍ଵାନ ଦେଇ ନିଜେ ମମତା ବାନାର୍ଜୀ ସେହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।
Image Courtesy of India Todayପ୍ରାପ୍ତ ସଦ୍ୟତମ ସୂଚନା ଅନୁସାରେ, ସମ୍ପ୍ରତି ଶୁଭେନ୍ଦୁ ଅଧିକାରୀ ମୋଟର୍ସାଇକେଲ୍ ଚଳାଇ ନନ୍ଦୀଗ୍ରାମକୁ ଯାଇଛନ୍ତି। ଏହାଛଡ଼ା, ପୂର୍ବ ମେଦିନୀପୁରର ନନ୍ଦୀଗ୍ରାମର କେତେକ ବୁଥ୍ରେ ବିଜେପି କେତେକ ବାହାର ଲୋକଙ୍କୁ ଆଣି ଆଇନ୍ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଥିବା କଥା ତୃଣମୂଳ କଂଗ୍ରେସ ଅଭିଯୋଗ କରିଛି।
ସେହିଭଳି ଆସାମର କେତେକ ବୁଥ୍ରେ ‘ଇଭିଏମ୍’ କାମ ନ କରିବାରୁ ସକାଳ ୭ଟାରେ ମତଦାନ ଆରମ୍ଭ ହୋଇ ପାରିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Second-Phase-Voting-Starts-in-WB_Thumbnail.jpg)