‘ବାଂଲାର୍‌ ରସଗୋଲା’କୁ ଜିଆଇ ମାନ୍ୟତା

ଭୁବନେଶ୍ୱର: ‘ରସଗୋଲା’କୁ ନୁହେଁ, ‘ବାଂଲାର୍‌ ରସଗୋଲା’କୁ ମିଳିଛି ଭୌଗୋଳିକ ଉତ୍ପତ୍ତି (ଜିଆଇ) ମାନ୍ୟତା। ଏକ ଜାତୀୟ ଗଣମାଧ୍ୟମରେ ଆଜି ପଶ୍ଚିମବଙ୍ଗକୁ ରସଗୋଲାର ଉତ୍ପତ୍ତି ପାଇଁ ଜିଆଇ ମାନ୍ୟତା ମିଳିବା ନେଇ ଏକ ବିଭ୍ରାନ୍ତିକର ଖବର ପ୍ରକାଶ ପାଇବା ପରେ ଏହାକୁ ନେଇ ରସଗୋଲା ବିବାଦ ପୁଣିଥରେ ଜୋର ଧରିଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଟ୍ଵିଟ୍‌ କରି ନିଜ ରାଜ୍ୟବାସୀଙ୍କୁ ଏହି ଖବର ଦେଇଛନ୍ତି। ଏପରିକି କିଛିଦିନ ତଳେ ରସଗୋଲା ପାଇଁ କୋର୍ଟ ଯିବାକୁ ଧମକ ଦେଇଥିବା ପଶ୍ଚିମବଙ୍ଗର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ଅବଦୁର ରଜାକ ମୋଲାହ ମଧ୍ୟ ଏହି ଘଟଣାରେ ନିଜର ଖୁସି ଜାହିର କରିଛନ୍ତି।

ତେବେ ଏହି ଖବର ଓଡ଼ିଶାର ରସଗୋଲାପ୍ରେମୀଙ୍କ ମଧ୍ୟରେ ନୈରାଶ୍ୟ ସୃଷ୍ଟି କରିଛି। ଗତ ଦେଢ଼ ବର୍ଷ ତଳୁ ରାଜ୍ୟ ସରକାରଙ୍କୁ ଓଡ଼ିଶାରେ ରସଗୋଲାର ଉତ୍ପତ୍ତି ସଂପର୍କରେ ଐତିହାସିକ ପ୍ରମାଣ ଦିଆଯାଇଥିଲେ ହେଁ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ଜିଆଇ ପାଇଁ ଆବେଦନ କରି ନାହାନ୍ତି। ରସଗୋଲା ନୁହେଁ, ‘ବାଂଲାର ରସଗୋଲା’କୁ ଜିଆଇ ମାନ୍ୟତା ମିଳିଥିବା ରାଜ୍ୟ ସରକାର ସଫେଇ ଦେଇଛନ୍ତି। ତେବେ ଓଡ଼ିଶାର ଦାବିକୁ ପଛରେ ପକାଇ ପଶ୍ଚିମବଙ୍ଗକୁ ରସଗୋଲା ପାଇଁ ଜିଆଇ ମାନ୍ୟତା ମିଳିଥିବା ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇବା ସହ ଅଢ଼େଇ ବର୍ଷର ଲଢ଼େଇ ପରେ ରସଗୋଲାର ଏକ ମଧୁର ସମାପ୍ତି ହୋଇଛି ବୋଲି ଏହା ଉଲ୍ଲେଖ କରିଛି। ମାତ୍ର ପ୍ରକୃତରେ ପଶ୍ଚିମବଂଗ ସରକାର ଆରମ୍ଭରୁ ‘ବାଂଲା ରସଗୋଲା’ର ଜିଆଇ ମାନ୍ୟତା ପାଇଁ ଆବେଦନ କରିଥିଲେ ଏବଂ ଆଜି ତାହା ସେମାନଙ୍କୁ ମିଳିଥିବା ଜଣାପଡ଼ିଛି।

‘ସମ୍ବାଦ’କୁ ମିଳିଥିବା ସୂଚନା ଅନୁଯାୟୀ, ଗତବର୍ଷ ଅକ୍ଟୋବର ୬ ତାରିଖରେ ଚେନ୍ନାଇସ୍ଥିତ ଜିଆଇ କାର୍ଯ୍ୟାଳୟରୁ ପଶ୍ଚିମବଙ୍ଗ ସରକାରଙ୍କୁ ବାଂଲାର ରସଗୋଲା ସଂପର୍କିତ ପରୀକ୍ଷା ରିପୋର୍ଟ ପ୍ରଦାନ କରାଯାଇଥିଲା। ଆବେଦନପତ୍ର ନମ୍ବର ୫୩୩ରେ ରସଗୋଲା ନୁହେଁ ବରଂ ବାଂଲା ରସଗୋଲା ସଂପର୍କରେ ଉଲ୍ଲେଖ ରହିଛି। ମାତ୍ର ଜାତୀୟ ଗଣମାଧ୍ୟମ ଓ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ କେବଳ ରସଗୋଲାର ଉତ୍ପତ୍ତି ପାଇଁ ପଶ୍ଚିମବଙ୍ଗକୁ ଜିଆଇ ମାନ୍ୟତା ମିଳିଥିବା କଥା ଉଲ୍ଲେଖ କରି ଜାଣିଶୁଣି ବିଭ୍ରାନ୍ତି ସୃଷ୍ଟି କରିଛନ୍ତି। ତେବେ ଯଥାଶୀଘ୍ର ଓଡ଼ିଶା ରସଗୋଲାର ଜିଆଇ ମାନ୍ୟତା ପାଇଁ ତଥ୍ୟ ସମ୍ବଳିତ ଦାବି ଉପସ୍ଥାପନ କରିବ ବୋଲି ରାଜ୍ୟ ସରକାର ଜଣାଇଛନ୍ତି। ୮୦୦ ବର୍ଷ ତଳୁ ରସଗୋଲା ଓଡ଼ିଶାରେ ପ୍ରସ୍ତୁତ ହେଉଛି ଏବଂ ଦ୍ୱାଦଶ ଶତାବ୍ଦୀରୁ ପୁରୀ ଜଗନ୍ନାଥ ମନ୍ଦିରରେ ଏହା ଭୋଗ ଭାବେ ଅର୍ପଣ କରାଯାଇ ଆସୁଥିବାରୁ ରସଗୋଲାର ଉତ୍ପତ୍ତି ଓଡ଼ିଶାରେ ବୋଲି ସରକାର ଦାବି କରିଛନ୍ତି।

ଚେନ୍ନାଇସ୍ଥିତ ଜିଆଇ କାର୍ଯ୍ୟାଳୟର ବରିଷ୍ଠ ପରୀକ୍ଷକ ପ୍ରଶାନ୍ତ କୁମାର ମଧ୍ୟ ଗଣମାଧ୍ୟମକୁ ‘ବାଂଲା ରସଗୋଲା’ ସଂପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପଶ୍ଚିମବଙ୍ଗ ପକ୍ଷରୁ ବାଂଲାର ରସଗୋଲା ପାଇଁ ଆବେଦନ କରାଯାଇଥିଲା। ଯାଞ୍ଚ ପରେ ତାଙ୍କୁ ଜିଆଇ ମାନ୍ୟତା ଦିଆଯାଇଛି। ଓଡ଼ିଶା ପକ୍ଷରୁ ଏ ପର୍ଯ୍ୟନ୍ତ ରସଗୋଲାକୁ ଜିଆଇ ମାନ୍ୟତା ଦେବା ପାଇଁ ଆବେଦନ କରାଯାଇ ନାହିଁ। ଯଦି ଓଡ଼ିଶା ସରକାର ଏଥିପାଇଁ ଆବେଦନ କରନ୍ତି ତେବେ ଏହାର ଯାଞ୍ଚ କରାଯିବ ବୋଲି ଶ୍ରୀ କୁମାର ସୂଚନା ଦେଇଛନ୍ତି। ଏ ସଂପର୍କରେ ପ୍ରତ୍ରିକ୍ରିୟା ଦେଇ ରାଜ୍ୟ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି, ବାଂଲା ରସଗୋଲାକୁ ଜିଆଇ ମାନ୍ୟତା ଦିଆଯାଇଛି। ରସଗୋଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ ଆବେଦନ କରାଯାଇନାହିଁ। ରସଗୋଲା ନେଇ ଓଡ଼ିଶାର ଯଥାର୍ଥ ଦାବି ରହିଛି ବୋଲି ଶ୍ରୀ ବେହେରା କହିଛନ୍ତି।

ରସଗୋଲା ସଂପର୍କରେ ବ୍ୟାପକ ଗବେଷଣା କରି ଓଡ଼ିଶା ସରକାରଙ୍କୁ ବହୁ ତଥ୍ୟ ପ୍ରଦାନ କରିଥିବା ଅସିତ ମହାନ୍ତି କହିଛନ୍ତି, ପଶ୍ଚିମବଙ୍ଗ ସରକାର ରସଗୋଲାକୁ ୧୫୦-୧୮୦ବର୍ଷର ପୁରୁଣା ବୋଲି ଦର୍ଶାଉଥିବା ବେଳେ ଓଡ଼ିଶାରେ ରସଗୋଲା ଅତିକମରେ ୬ଶହ ବର୍ଷ ପୁରୁଣା । ତେବେ ରସଗୋଲାର ଜିଆଇ ମାନ୍ୟତା ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ। ବ୍ୟକ୍ତିଗତ ଭାବେ ସେ ଗତବର୍ଷ ଜୁଲାଇ ମାସରେ ରାଜ୍ୟ ସରକାରଙ୍କୁ ରସଗୋଲା ସଂପର୍କିତ ତଥ୍ୟ ପ୍ରଦାନ କରିଥିଲେ। ପରେ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ୭ଦିନ ମଧ୍ୟରେ ଏ ସଂପର୍କିତ ଏକ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ଏହାର ବର୍ଷେ ପରେ ମଧ୍ୟ ରାଜ୍ୟ ସରକାର ରସଗୋଲା ପାଇଁ ଆବେଦନ କରିପାରିଲେ ନାହିଁ। ଚଳିତବର୍ଷ ଆଉ ଥରେ ରସଗୋଲା ଦିବସ ପାଳିତ ହେବା ପରେ ସରକାରଙ୍କୁ ଦିଆଯାଇଥିବା ତଥ୍ୟ ସଂପର୍କରେ ପୁଣିଥରେ ଏହି ପ୍ରଶ୍ନ ଉଠିଥିଲା। ରସଗୋଲା ସଂପର୍କିତ ଏକ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ରାଜ୍ୟ ସରକାର ସିଟିଟିସିକୁ ଦାୟିତ୍ୱ ଦେଇଥିଲେ। ମାତ୍ର ସିଟିଟିସି ପକ୍ଷରୁ ଏଥିପାଇଁ କି ପଦକ୍ଷେପ ନିଆଗଲା ତାହା ଜଣାପଡ଼ିଲା ନାହିଁ। ପଶ୍ଚିମବଙ୍ଗକୁ ବାଂଲାର ରସଗୋଲା ପାଇଁ ମାନତ୍ୟା ମିଳିଛି। ତେଣୁ ରାଜ୍ୟ ସରକାର ରସଗୋଲା କିମ୍ବା ଓଡ଼ିଶାର ରସଗୋଲା ପାଇଁ ଆବେଦନ କରନ୍ତୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

 

ସମ୍ବନ୍ଧିତ ଖବର