ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ମହାଲକ୍ଷ୍ମୀ ହତ୍ୟା ମାମଲାରେ ଅଭିଯୁକ୍ତ ମୁକ୍ତିରଞ୍ଜନ ନିଜ ମା’ ଆଗରେ କାନ୍ଦି କାନ୍ଦି ସବୁ ସତ କଥା କହିଥିଲା।  ମହାଲକ୍ଷ୍ମୀକୁ ଅତି ବର୍ବରତାର ସହ ହତ୍ୟା  ପରେ ସେ ସିଧା ଓଡ଼ିଶା ଚାଲି ଆସିଥିଲା। ଘରକୁ ଫେରିବାପରେ  ମୁକ୍ତିରଞ୍ଜନ ବିଷାଦରେ  ଥିଲା। ପୁଅର ମନୋଭାବ ଦେଖି ମା’ ଜାଣିବାକୁ ଚାହିଥିଲେ କ’ଣ ହୋଇଛି। ମା’ ପାଖରେ ମୁକ୍ତିରଂଜନ କିଛି କଥା ଲୁଚାଇନଥିଲା। କାନ୍ଦି କାନ୍ଦି କହିଥିଲା, ମୁଁ ମହାଲକ୍ଷ୍ମୀକୁ ମାରିଦେଇଛି। ମୁଁ ତାକୁ ବହୁତ ଭଲ ପାଉଥିଲି। କିନ୍ତୁ ସେ ମତେ ଅପହରଣ ମାମଲାରେ ଫସାଇବାକୁ ଧମକ ଦେଇଥିଲା। ରାଗରେ ତାକୁ ମାରିଦେଲି। ଓଡ଼ିଶା ପୁଲିସ ସୂତ୍ରରୁ ଏହା ଜଣାପଡ଼ିଛି। ମହାଲକ୍ଷ୍ମୀଙ୍କୁ ହତ୍ୟା କରିବାର ୪ ଦିନ ପରେ  ମୁକ୍ତିରଂଜନ  ସେପ୍ଟେମ୍ବର ୨୫ ତାରିଖରେ ଆତ୍ମହତ୍ୟା କରିଥିଲା। ସେ ସୁଇସାଇଡ୍‌ ନୋଟ୍‌ରେ ଏହି ଅପରାଧ କରିଥିବା ସ୍ବୀକାର କରିଥିଲା।

Advertisment

‌ବେଙ୍ଗାଲୁରୁ ପୁଲିସ ଅନୁଯାୟୀ ମୁକ୍ତିରଞ୍ଜନ ଓ ମହାଲକ୍ଷ୍ମୀ ବେଙ୍ଗାଲୁରୁରେ ଗୋଟିଏ ମଲ୍‌ରେ କାମ କରୁଥିଲେ। ସେମାନେ ପ୍ରଥମେ ସାଙ୍ଗ ହୋଇଥିଲେ ଏବଂ ପରେ ସେମାନଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା।  କିନ୍ତୁ ମହାଲକ୍ଷ୍ମୀ ମୁକ୍ତିରଂଜନଙ୍କୁ ବିବାହ କରିବାପାଇଁ ତାଙ୍କ ଉପରେ ଚାପ ପକାଇଥିଲେ। ଏଥିପାଇଁ ସେମାନଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା  ହେଉଥିଲା।  ପୁଲିସ ଅନୁଯାୟୀ ମହାଲକ୍ଷ୍ମୀଙ୍କୁ ସେପ୍ଟେମ୍ବର ୨ରୁ ୩ ମଧ୍ୟରେ ହତ୍ୟା କରାଯାଇଛି। ତେବେ ତାଙ୍କ ମା’ ସେପ୍ଟେମ୍ବର ୨୧ ତାରିଖରେ ତାଙ୍କ ମର ଶରୀର ପାଇଥିଲେ।  ମୁକ୍ତିରଂଜନ ତାଙ୍କୁ ହତ୍ୟା କରି ୫୯ ଖଣ୍ଡ କରିଦେଇଥିଲା ଏବଂ ଶରୀରର କଟା ଖଣ୍ଡ ଗୁଡ଼ିକୁ ଫ୍ରିଜ୍‌ରେ ରଖିଥିଲା।  ଉଲ୍ଲେଖଯୋଗ୍ୟ ଯେ ୨୯ ବର୍ଷୀୟା ମହାଲକ୍ଷ୍ମୀ ବିବାହିତା ଏବଂ ସେ ତାଙ୍କ ସ୍ବାମୀଙ୍କଠାରୁ ଅଲଗା ରହୁଥିଲେ।

ମଝିଆ ପୁଅକୁ ବେଙ୍ଗାଲୁରୁ ପୁଲିସର ନିର୍ଯାତନା, ଚିନ୍ତାରେ ବୁଢ଼ା ବାପାମାଆ

ଆରଡ଼ି: ବେଙ୍ଗାଲୁରୁ ମହାଲକ୍ଷ୍ମୀ ହତ୍ୟା ଘଟଣା ଉପରେ ଏବେ ସମସ୍ତଙ୍କ ନଜର। ଅଭିଯୁକ୍ତ ମୃତ ମୁକ୍ତିରଞ୍ଜନଙ୍କ ସାନଭାଇ ଶକ୍ତିରଞ୍ଜନଙ୍କୁ ପୁଲିସ ଅଟକ ରଖି ଛାଡ଼ି ଦେଇଥିବା ବେଳେ ମଝିଆ ଭାଇ ସ୍ମୃତିରଞ୍ଜନ ଏବେ ବି ବେଙ୍ଗାଲୁରୁ ପୁଲିସ ଜବ୍‌ଜାରେ। ଯାହାକୁ ନେଇ ଦୁଃଖୀ ବୁଢ଼ା ବାପାମାଆ ଚିନ୍ତାରେ ଅଛନ୍ତି। ଗୋଟିଏ ପଟେ ବେଙ୍ଗାଲୁରୁ ମହାଲକ୍ଷ୍ମୀ ହତ୍ୟା ଘଟଣା ରହସ୍ୟ ଭିତରେ ଥିବା ବେଳେ ଅନ୍ୟପଟେ ଧୂଷୁରୀ ଥାନା ଆରଡ଼ି ଫାଣ୍ଡି ଅନ୍ତର୍ଗତ ଭୂଇଁପୁର ଗ୍ରାମର ମୁକ୍ତିରଞ୍ଜନ ରାୟ ଚଳିତ ମାସ ୨୫ ତାରିଖରେ ଗାଁ’ରେ ଆତ୍ମହତ୍ୟା କରିଥିଲେ। ତେବେ ମୁକ୍ତିରଞ୍ଜନ ତାଙ୍କ ବାନ୍ଧବୀ ମହାଲକ୍ଷ୍ମୀଙ୍କୁ ହତ୍ୟା କରିଥିବା ନେଇ ଲେଖିଥିବା ସ୍ବୀକାରୋକ୍ତି ଡାଏରୀ ପୁଲିସକୁ ମିଳିବା ପରେ ହତ୍ୟା ଉପରୁ ପରଦା ହଟିଥିଲା। ବେଙ୍ଗାଲୁରୁ ପୁଲିସ ମୁକ୍ତିରଞ୍ଜନଙ୍କ ସାନଭାଇ ଶକ୍ତିରଞ୍ଜନଙ୍କୁ ଅଟକ ରଖି ପଚରାଉଚରା କରିବା ସହ ଛାଡ଼ି ଦେଇଥିଲା। ହେଲେ ଏବେ ମଝିଆ ଭାଇ ସ୍ମୃତିରଞ୍ଜନଙ୍କୁ ଉଠାଇନେଇଛି। ତିନି ଦିନ ହେବ ତାଙ୍କୁ ବେଙ୍ଗାଲୁରୁରେ ଅଟକ ରଖି ପଚରାଉଚରା କରୁଛି। ସ୍ମୃତିରଞ୍ଜନଙ୍କୁ ଛାଡ଼ିଦେବା ପାଇଁ ବୁଢ଼ା ବାପାମାଆ କାକୁତିମିନତି ହୋଇଛନ୍ତି। କହିଛନ୍ତି, ପୁଅକୁ ପୁଲିସ ନିର୍ଯାତନା ଦେଉଛି। ଫୋନ୍‌ କଲେ କଥା କରାଇ ଦେଉନି। ସେ କେମିତି ଅଛି, ଆମେ ଜାଣିପାରୁନୁ।