ବେଙ୍ଗାସାହି ଅପପୁଷ୍ଟି ଘଟଣା: ପହଞ୍ଚିଲେ ବିଡିଓ, ତହସିଲଦାର

କୋରେଇ: କୋରେଇ ବ୍ଲକ୍ ଅନ୍ତର୍ଗତ ପଥରପଦା ପଞ୍ଚାୟତ ବେଙ୍ଗାସାହିରେ ମାଳମାଳ ଶିଶୁ ଅପପୁଷ୍ଟିର ଶିକାର ହୋଇଥିବା ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ବ୍ଲକ୍ ପ୍ରଶାସନ ଠାରୁ ଆରମ୍ଭ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତତ୍ପର ହୋଇଉଠିଛି। ଏହି ଖବରର ଟ୍ବିଟ୍‌ ଉପରେ ରିଟ୍ବିଟ୍‌ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହାର ତଦାରଖ ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗକୁ ପରାମର୍ଶ ଦିଆଯାଇଛି। ଆଜି କୋରେଇ ବିଡିଓ ରଞ୍ଜନ କୁମାର ପରିଡ଼ା ଓ ବ୍ୟାସନଗର ତହସିଲଦାର ଅଶୋକ କୁମାର ମାଝୀଙ୍କ ସମେତ ବହୁ ଅଧିକାରୀ ବେଙ୍ଗାସାହିରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ସାହିର ୮ ଜଣ ଅପପୁଷ୍ଟି ଶିକାର ଶିଶୁଙ୍କୁ ଏନ୍ଆରସିକୁ ସ୍ଥାନାନ୍ତର କରାଯାଇଥିଲା।

ଅଧିକାରୀମାନେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବା ସହିତ ସାହିର ଅନ୍ୟ ପିଲାଙ୍କ ସହିତ କଥାହୋଇଥିଲେ। ହେଲେ ଏହାକୁ ନେଇ କୋରେଇ ସ୍ବାସ୍ଥ୍ୟ ବିଭାଗ ଏବଂ ମହିଳା ଓ ଶିଶୁ ସମନ୍ବିତ ବିଭାଗ ମଧ୍ୟରେ ଦୋଷ ଠେଲାଠେଲି ଆରମ୍ଭ ହୋଇଛି। କୋରେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ. ଲୁସି ମହାରଣା ଚିଠି ସଂଖ୍ୟା-୫୭୦/୩-୯-୨୦୨୨ରେ ମହିଳା ଓ ଶିଶୁ ସମନ୍ବିତ ବିଭାଗର ଅବହେଳା ଫଳରେ ଏଭଳି ପରିସ୍ଥିତ ଉପୁଜିଥିବା ଦର୍ଶାଇଛନ୍ତି। ହେଲେ ସିଡିପିଓ ଏହାକୁ ଖଣ୍ଡନ କରିଛନ୍ତି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବେଙ୍ଗାସାହିର ପିଲା ଓ ମହିଳାଙ୍କ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାନଯିବାରୁ ଏଭଳି ଅବସ୍ଥା ହୋଇଥିବା ସିଡିପିଓ କହିଛନ୍ତି।

ଅନ୍ୟପକ୍ଷରେ ଆଜି ମଧ୍ୟ ଶିଶୁଙ୍କୁ ରନ୍ଧାଖାଦ୍ୟ ଦିଆଯିବା ସହିତ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହା ସହିତ ସାହିର ନଳକୂଅ ଗୁଡ଼ିକରେ ବ୍ଲିଚିଂ ପାଉଡର ପକାଯିବା ସହିତ ସଫାସୁତରା କରାଯାଇଛି। ସ୍ବାସ୍ଥ୍ୟ ଅଧିକାରୀ ଭାରତୀ ପଣ୍ତା, ରଶ୍ମିରଂଜନ ପରିଡ଼ା, ମମତା ଦାସ, ଅଙ୍ଗନବାଡ଼ି ସୁପରଭାଇଜର ଅନିମା ମହାନ୍ତି, କର୍ମୀ ଗୀତାଞ୍ଜଳୀ ବେହେରା, ଆଶାକର୍ମୀ ସୁକାନ୍ତି ସେଠୀ ପ୍ରମୁଖ ଶିଶୁ ଏବଂ ଗର୍ଭବତୀ ମହିଳାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ଔଷଧ ବଣ୍ଟନ କରିଥିଲେ।

ସମ୍ବନ୍ଧିତ ଖବର