ବେତନଟୀସଦର: ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକରେ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ଅଧିକାଂଶ ସୁବିଧା ସୁଯୋଗ ସବୁ ପ୍ରାୟ ସମୟରେ ଗାୟବ ହୋଇ ଯାଉଥିବାବେଳେ ଯୋଗ୍ୟ ହିତାଧିକାରୀଙ୍କୁ ଆଉ ଚାଉଳ ବି ମିଳୁନି। ଏଭଳି ଘଟଣା ବେତନଟୀ ବ୍ଲକ ଅଧୀନ କଳମା ପଞ୍ଚାୟତର ଗୋବିନ୍ଦରାୟପୁର ଓ ତାଳପଦା ଗ୍ରାମରେ ଦେଖିବାକୁ ମିଳିଛି। ଗତ ମାସ ଭଳି ଚଳିତ ମାସ ମଧ୍ୟ ଏଯାବତ ଚାଉଳ ମିଳୁନାହିଁ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାଇ ଗତ ମାସ ମଧ୍ୟ ଉପରୋକ୍ତ ଗ୍ରାମର ୫୦ରୁ ଅଧିକ ଲୋକଙ୍କୁ ଚାଉଳ ମିଳିନଥିଲା। ସେହିଭଳି ଚଳିତ ମାସ ଉକ୍ତ ଗ୍ରାମର ଶତାଧିକ ଲୋକଙ୍କୁ ଡାକି ଟିପ ନେବାପରେ ରସିଦ ଦେଇ ପଞ୍ଚାୟତ କାର୍ଯ୍ୟାଳୟରୁ ବିଦା କରିଦେଇଛନ୍ତି କାର୍ଯ୍ୟରତ ଯୋଗାଣ ସହାୟକ। ଗ୍ରାମବାସୀ ପଚାରିବାରୁ କାଲି ଆସ, ୨ଦିନ ପରେ ଆସ କହି ସମୟ ଗଡାଉଛନ୍ତି କର୍ମଚାରୀ। ଫଳରେ ନିଜ ଘରଠୁଁ ୫କିଲୋମିଟର ଦୂରରେ ଅବସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟକୁ ଏହି ୧୦ ଦିନ ଭିତରେ ଅନେକ ଥର ଆସି ଚାଉଳ ନପାଇ ପଞ୍ଚାୟତ କାର୍ଯ୍ୟାଳୟରୁ ବାରମ୍ବାର ନିରାଶ ହୋଇ ଫେରି ଯାଇଛନ୍ତି ଶତାଧିକ ହିତାଧିକାରୀ।
ଏନେଇ ଯୋଗାଣ ସହାୟକଙ୍କ କହିବାକଥା କି ଉପରୁ ତାଙ୍କ ନିକଟକୁ ଚାଉଳ ଓଜନରେ କମ ଆସିଥିବାରୁ ଏହି ସମସ୍ୟା ଦେଖାଦେଇଛି। ଫଳରେ ସୋମବାର ପୁର୍ବାହ୍ନରେ ୨ଗ୍ରାମର ସଂଖ୍ୟାଲଘୁ ସାମ୍ପ୍ରଦାୟର ଶତାଧିକ ଲୋକ ଏକତ୍ରିତ ହୋଇ ବେତନଟୀ ସ୍ଥିତ ଯୋଗାଣ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରତିବାଦ କରିବା ସହିତ ନିଜର ଅଭିଯୋଗ ଜଣାଇଥିଲେ। କାର୍ଯ୍ୟରତ ଅଧିକାରିଣୀ ଆଗାମୀ ୭ ଦିନ ମଧ୍ୟରେ ଘଟଣାର ଅନୁସନ୍ଧାନ କରି ସମାଧନ କରିବାନେଇ ପ୍ରତିଶୃତି ଦେବାପରେ ଗ୍ରାମବାସୀ ଫେରିଆସିଥିଲେ।
ତେବେ ଯଦି ଆଗାମୀ ଦିନରେ ଚାଉଳ ନମିଳେ ତେବେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସେକ ମୁଜା, ସେକ କାଲା, ସେକ ଶମ୍ଭୁ, ସେକ ବେନା, ମଲ୍ଲିକ ୱାଦିଲ, ସଲମା ବିବି, ରିମା ବିବି ସମେତ ଶହେରୁ ଊର୍ଦ୍ଧ୍ୱ ହିତାଧିକାରୀ ଚେତାବନୀ ଦେଇଛନ୍ତି। ଏସମ୍ପର୍କରେ ବେତନଟୀ ବ୍ଲକ ଯୋଗାଣ ନିରୀକ୍ଷକ ସସ୍ମିତା ସେଠୀଙ୍କୁ ପଚାରିବାରୁ ସେ କହିଥିଲେ କି ଗ୍ରାମବାସୀ ମୋତେ ମୌଖିକ ଅଭିଯୋଗ କରିଛନ୍ତି, ୨ଦିନ ମଧ୍ୟରେ ଲିଖିତ ଅଭିଯୋଗ ଦେବାପରେ ଯାଇ ମୁଁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି।ଅନ୍ୟପଟେ ପୂର୍ବରୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ଫଳମିଳୁନାହିଁ ବୋଲି ପ୍ରତିବାଦକାରୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/148538e7-be5b-404b-a2f3-c8a56fbdee2f.jpeg)