ଭୁବନେଶ୍ୱର: ଇଣ୍ଡିଆନ୍ ମେଟାଲ୍ସ ପବ୍ଲିକ୍ ଚାରିଟେବୁଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ‘ଶାରଳା ପୁରସ୍କାର’ ଚଳିତ ବର୍ଷ ବିଶିଷ୍ଟ କଥାକାର ଭୀମ ପୃଷ୍ଟିଙ୍କୁ ପ୍ରଦାନ କରାଯାଇଛି। ଆଜି ସନ୍ଧ୍ୟାରେ ସ୍ୱସ୍ତି ପ୍ରିମିୟମ୍ ହୋଟେଲରେ ଆୟୋଜିତ ଏକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ମରାଠୀ ଲେଖକ ଡ. ଜ୍ଞାନେଶ୍ୱର ମୁଲେ ଶ୍ରୀ ପୃଷ୍ଟିଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଉପନ୍ୟାସ ‘ଜମ୍ବୁଲୋକ’ ପାଇଁ ପ୍ରାପ୍ତ ଏହି ପୁରସ୍କାର ଭାବରେ ଲେଖକଙ୍କୁ ତାମ୍ରଫଳକ ସହିତ ୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି। ଏଥିସହ କଳା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ଓ ତାମ୍ରଫଳକ ସହ ବର୍ଷିୟାନ୍ ପଟ୍ଟଚିତ୍ର ଶିଳ୍ପୀ ଗୁରୁ ବେଣୁଧର ମହାପାତ୍ର ଏବଂ ପ୍ରସିଦ୍ଧ ବଂଶୀବାଦକ ଗୁରୁ ମୋହିନୀ ମୋହନ ପଟ୍ଟନାୟକଙ୍କୁ ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’ ପ୍ରଦାନ କରାଯାଇଛି।
ଉତ୍ସବରେ ଅଧ୍ୟକ୍ଷତା କରି ଇମ୍ପାକ୍ଟର ଟ୍ରଷ୍ଟି ପାରମିତା ପଣ୍ଡା କହିଲେ, ଓଡ଼ିଆ ଭାଷା ଦେଶର ଷଷ୍ଠ ପ୍ରାଚୀନ ଭାଷା ଭାବେ ଶାସ୍ତ୍ରୀୟ ମାନ୍ୟତା ପାଇବା ପରେ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଓଡ଼ିଆ ଭାଷାକୁ ନେଇ ତତ୍ପରତା ବୃଦ୍ଧି ହୋଇଛି। ଆଜିକୁ ଚାରି ଦଶନ୍ଧି ତଳେ ଓଡ଼ିଆ ଭାଷା-ସାହିତ୍ୟର ସମୂହ ବିକାଶ ଓ ସମୃଦ୍ଧି ପାଇଁ, ବିଶେଷକରି ନୂତନ ଲେଖକଙ୍କୁ ସାହିତ୍ୟ ପ୍ରତି ଆକର୍ଷିତ ଓ ଉତ୍ସାହିତ କରିବା ଲକ୍ଷ୍ୟ ନେଇ ଡ. ବଂଶୀଧର ପଣ୍ଡା ଓ ଇଲା ପଣ୍ଡା ‘ଶାରଳା ପୁରସ୍କାର’ ପ୍ରବର୍ତ୍ତନ କରିଥିଲେ। ଓଡ଼ିଶାର କଳା-ସାହିତ୍ୟକୁ ଏକ ସମ୍ମାନଜନକ ଉଚ୍ଚତାକୁ ନେବା ପଛରେ ଉଭୟଙ୍କର ସ୍ପଷ୍ଟ ଆଭିମୁଖ୍ୟ ଓ ନିରନ୍ତର ଉଦ୍ୟମ ଆଜି ସଫଳ ହୋଇଛି ।
ଏହି ଅବସରରେ ମୁଖ୍ୟ ଅତିଥି ଡ. ମୁଲେ କହିଥିଲେ, ‘‘ସାହିତ୍ୟ ମୋର ପ୍ରଥମ ପ୍ରେମ, ଯାହା କ୍ରମେ ଜୀବନ ପାଲଟିଯାଇଛି। ଜୀବନର ସବୁ ରହସ୍ୟ ନିସଙ୍କୋଚରେ କବିତା ମାଧ୍ୟମରେ କହିହୁଏ। ଜଣେ ଲେଖକର ସବୁ ପରିବର୍ତ୍ତନର ଆଭାସ ତା’ର ଲେଖା ମାଧ୍ୟମରେ ମିଳେ। ଲେଖିବା ଓ ପଢ଼ିବା ଏମିତି ଶକ୍ତି ଦିଏ, ଶରୀର କ୍ଳାନ୍ତ ଥିଲେ ମଧ୍ୟ ଅନ୍ୟକୌଣସି ମନୋରଞ୍ଜନର ଆବଶ୍ୟକତା ପଡ଼େନି। ’’ ଶାରଳା ପୁରସ୍କାର ପ୍ରାପକ ଶ୍ରୀ ପୃଷ୍ଟି କହିଥିଲେ, ‘‘ସବୁ କାହାଣୀ ମଣିଷର। ମଣିଷ ଥିବାଯାଏ କାହାଣୀର ଶେଷ ନାହିଁ। ସବୁ ଶରଣାର୍ଥୀଙ୍କ ପ୍ରତୀକ ହେଉଛି ‘ଜମ୍ବୁଲୋକ’ ଉପନ୍ୟାସ।’’
ଉତ୍ସବର ଦ୍ୱିତୀୟ ସୋପାନରେ କବି କେଦାର ମିଶ୍ରଙ୍କ ସଂଚାଳନରେ ଡ. ମୁଲେ ଏବଂ ଭୀମ ପୃଷ୍ଟିଙ୍କ ମଧ୍ୟରେ ସାଂପ୍ରତିକ ସାହିତ୍ୟକୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ‘ଟାଇମପାସ୍’ ଦ୍ୱାରା ପ୍ରକାଶିତ ଓ ପ୍ରବାସିନୀ ମହାକୁଡ଼ଙ୍କ ଦ୍ୱାରା ଅନୂଦିତ ଜ୍ଞାନେଶ୍ୱର ମୁଲେଙ୍କ କବିତା ପୁସ୍ତକ ‘ଋତୁ ଉଇଁଆସୁଚି’ ଲୋକାର୍ପିତ ହୋଇଥିଲା। ଅଭିନେତ୍ରୀ ମଧୁମିତା ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ଆଦୃତ ଚିଲ୍ଡ୍ରେନ୍ ହୋମ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ଇମ୍ଫା କର୍ପୋରେଟ୍ ଆଫେୟାର୍ସର ମୁଖ୍ୟ କିଶୋର ମହାନ୍ତି, ଶାରଳା ସଚିବାଳୟର ମୁଖ୍ୟ ସଂଯୋଜକ ସରୋଜ ବଳ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।