ରା.ଉଦୟଗିରି/ନୂଆଗଡ଼ : ଆଉ ସାତ ମାସ ପରେ ଅବସରେ ନେବାକୁ ଥିବା ଜଣେ ଶିକ୍ଷକଙ୍କ ଦରମା ଏରିୟର୍‌ ବିଲ୍‌ କରାଇବା ପାଇଁ‌ ବିଇଓ ନେଉଥିଲେ ୩୦ ହଜାର ଟଙ୍କା ଲାଞ୍ଚ। ଟଙ୍କା ଆଣିବାକୁ କହିଥିଲେ ତାଙ୍କ ଅଫିସ୍‌ ଆକାଉଣ୍ଟାଣ୍ଟ ତଥା ଡାଟାଏଣ୍ଟ୍ରି ଅପରେଟର୍‌ଙ୍କୁ। ଉଭୟେ ପଡ଼ିଗଲେ ଭିଜିଲାନ୍ସ ଜାଲରେ। ଫଳରେ, ବହୁ ପୂର୍ବରୁ ଲାଞ୍ଚୁଆ ନୂଆଗଡ଼ ବିଇଓ ବ୍ରଜସୁନ୍ଦର ନାୟକଙ୍କ ଅସଲ ମୁଖା ଖୋଲିଯାଇଛି। ସଙ୍ଗାତ ଭାଇ ହିଁ ଭିଜିଲାନସ୍‌ରେ ଧରାପକାଇଛନ୍ତି ସଙ୍ଗାତ ଭାଇକୁ। ଭିଜିଲାନ୍ସ ମାମଲା ରୁଜୁ କରି ବିଇଓ ବ୍ରଜସୁନ୍ଦର ଓ ଆକାଉଣ୍ଟାଣ୍ଟ ଦିଲ୍ଲୀପ କୁମାର ସ୍ବାଇଁଙ୍କୁ ଅଟକ ରଖି ସମଗ୍ର ଲାଞ୍ଚ ଟଙ୍କା ଜବତ କରି ଅଧିକ ତଦନ୍ତ ଜାରି ରଖିଛି।

Advertisment

୨୦୧୮ ଜୁଲାଇ ୧୦ ତାରିଖରେ ନୂଆଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀ ଭାବେ ବ୍ରଜସୁନ୍ଦର କାର୍ଯ୍ୟରେ ଯୋଗଦେଇଥିଲେ। ହେଲେ, ଯୋଗ ଦେବାପରଠାରୁ ହିଁ ତାଙ୍କ ନାମରେ ଅଭିଯୋଗ ହୋଇ ଆସୁଥିଲା। ଏବିଇଓ ଭାବେ ରା.ଉଦୟଗିରି ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଥିବାବେଳେ ମଧ୍ୟ ତାଙ୍କ ନାମରେ ସମାନ ଅଭିଯୋଗ ରହିଥିଲା। ଭୟରେ କୌଣସି ଶିକ୍ଷକ ମୁହଁ ଖୋଲୁ ନଥିଲେ। ତେବେ, ଶେ‌ଷରେ ଆଜି ସେ ହରଡ଼ଘଣାରେ ପଡ଼ିଗଲେ।

ସୂଚନା ଅନୁସାରେ, ସମ୍ବଲପୁର ଅପ-ଗ୍ରେଡେଡ଼୍‌ ହାଇସ୍କୁଲର ଶିକ୍ଷକ କ୍ଷୀରୋଦ ଚନ୍ଦ୍ର ନାୟକଙ୍କ ୧୨ ମାସର ଦରମା(୪ ଲକ୍ଷ ୫୬ ହଜାର ଟଙ୍କା) ବିଲ୍‌ କରାଇବା ପାଇଁ ବ୍ରଜସୁନ୍ଦର ତାଙ୍କୁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ବ୍ରଜସୁନ୍ଦର ଓ କ୍ଷୀରୋଦ ସମ୍ପର୍କରେ ସଙ୍ଗାତ ଭାଇ। ପୂର୍ବରୁ ମଧ୍ୟ ସେ ଦରମା ବିଲ୍‌ କରିବା ସକାଶେ ତାଙ୍କ ଠାରୁ ପ୍ରାୟ ୩୫ ହଜାର ନେଇ ସାରିଥିଲେ। ହେଲେ, ୨୦୨୦ ନଭେମ୍ବର ଠାରୁ ୨୦୨୧ ଅକ୍ଟୋବର ମାସ ପର୍ଯ୍ୟନ୍ତ ୧୨ମାସର ଦରମା କରିବା ପାଇଁ ନାନାପ୍ରକାରେ ହଇରାଣ ହରକତ କରୁଥିଲେ। ଏପଟେ ଘର ଚଳାଇବା ପାଇଁ ବର୍ଷକ ମଧ୍ୟରେ କ୍ଷୀରୋଦ ବିଭିନ୍ନ ଦୋକାନୀ ଓ ଶିକ୍ଷକଙ୍କ ଠାରୁ ନେଇଥିବା ଧାର ଶୁଝି ନ ପାରି ବଡ଼ କଷ୍ଟରେ ପରିବାର ଚଳାଉଥିଲେ। ଆଉ ସାତ ମାସ ପରେ ସେ କାର୍ଯ୍ୟରୁ ଅବସର ନେଇଥାନ୍ତେ। ତଥାପି, ବ୍ରଜସୁନ୍ଦରଙ୍କର ଦୟା ନ ଥିଲା। ଏଭଳିକି, ୬ଲକ୍ଷ ୩୮ହଜାର ଟଙ୍କାର ଏରିୟର୍‌ ବିଲ ମଧ୍ୟ ସେ କରାଇ ଦେଉ ନଥିଲେ। ଶେଷରେ, ଅନନ୍ୟୋପାୟ ହୋଇ କ୍ଷୀରୋଦ ସଙ୍ଗାତ ଭାଇକୁ ବାଟକୁ ଆଣିବା ପାଇଁ ଭିଜିଲାନସ୍‌ର ସହାୟତା ନେଇଥିଲେ। ଆଜି ଅପରାହ୍‌ଣରେ ଭିଜିଲାନସ୍‌ ଜାଲ ବିଛାଇଥିଲା। ଦାବି ମୁତାବକ ୩୦ ହଜାର ଟଙ୍କା ଦିଲ୍ଲୀପଙ୍କୁ ଗ୍ରହଣ କରିବାକୁ ବ୍ରଜସୁନ୍ଦର କହିଥିଲେ। ଦିଲ୍ଲୀପ ଟଙ୍କା ନେଇ ବିଇଓ ବ୍ରଜସୁନ୍ଦରଙ୍କୁ ଦେବା ପରେ ସେ କାନ୍ଥ ଆଲ୍‌ମିରାରେ ରଖିଥିଲେ।

ଏ ସମୟରେ ଛକି ରହିଥିବା ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ବ୍ରଜସୁନ୍ଦର ଓ ଦିଲ୍ଲୀପଙ୍କୁ ଧରିଥିଲେ ଏବଂ ଟଙ୍କା ଜବତ କରିଥିଲେ। ତଦନ୍ତ ପରେ ବ୍ରଜସୁନ୍ଦର ଓ ଦିଲ୍ଲୀପଙ୍କୁ ଭିଜିଲାନସ୍‌ ଟିମ୍‌ ବ୍ରହ୍ମପୁର ନେଇ ଯାଇଥିବା ଜଣାପଡ଼ିଛି। ତେବେ, ଏଭଳି ଦୁର୍ନୀତି କାରବାରେ ଏବିଇଓ ଓ କିରାଣୀ ବି ସାମିଲ ଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ବ୍ରଜସୁନ୍ଦର ସମ୍ବଲପୁର ଅପ-ଗ୍ରେଡେ଼ଡ଼ ହାଇସ୍କୁଲରେ ଶିକ୍ଷକ ଥିବା ସମୟରେ ସଙ୍ଗାତ ଭାଇ କ୍ଷୀରୋଦ ଚନ୍ଦ୍ର ନାୟକ ସମ୍ବଲପୁର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଥିଲେ।