ଠିକ ସମୟରେ ଦରମା ପାଉ ନାହାନ୍ତି ଶିକ୍ଷକ-ଶିକ୍ଷୟିତ୍ରୀ: ବିଇଓ ଓ ଶିକ୍ଷକ ମିଶି କରୁଛନ୍ତି କିରାଣୀଙ୍କ କାର୍ଯ୍ୟ

ବେତନଟୀସଦର: ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ୨ ଜଣ କିରାଣୀ ପଦ ଖାଲି ପଡ଼ିଥିବା ଯୋଗୁଁ ଅଟକି ରହୁଛି ସବୁ ଜରୁରୀ କାମ। ସେହିଭଳି କାଗଜପତ୍ର କାମରେ ବିଳମ୍ବ ଯୋଗୁଁ ବ୍ଲକ ଅଧୀନସ୍ଥ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଠିକ ସମୟରେ ନିଜର ଦରମା ଟିକ ନପାଇ କ୍ଷୋଭ ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ ବେତନଟୀ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ପାଖାପାଖି ୧୬୪ ବିଦ୍ୟାଳୟ ଥିବାବେଳେ ଅଧିକାରୀଙ୍କ କାର୍ଯ୍ୟାଳୟରେ କାମ କରିବାକୁ ଉଚିତ ସଂଖ୍ୟାରେ କିରାଣୀ ନାହାନ୍ତି। ୧ବର୍ଷ ପୂର୍ବରୁ ଏହି କାର୍ଯ୍ୟାଳୟରେ ୩ଜଣ ନିୟମିତ କିରାଣୀ ନିୟୋଜିତ ହୋଇ ସବୁ କାମ କରୁଥିବାବେଳେ ଏବେମାତ୍ର ଜଣେ କିରାଣୀରେ ଚାଲିଛି କାମ। ୧ବର୍ଷ ପୂର୍ବରୁ ସ୍ଥାୟୀ କିରାଣୀ ବ୍ରଜକିଶୋର ବିନ୍ଧାଣୀ ଅବସର ନେଇଥିବାବେଳେ ଗତ ମାର୍ଚ୍ଚ ମାସରେ ଅନ୍ୟଜଣେ କିରାଣୀ ମଦନମୋହନ ଦାସଙ୍କର ମଧ୍ୟ ଅନ୍ୟତ୍ର ବଦଳି ହୋଇଯାଇଥିଲା। ଏମିତିବି ଶ୍ରୀଦାସଙ୍କ ବଦଳି ପୂର୍ବରୁ ଦୀର୍ଘଦିନ ଧରି ତାଙ୍କୁ ଅନ୍ୟତ୍ର ଡେପୁଟେସନରେ ମଧ୍ୟ ପଠାଯାଇଥିଲା। ଯେଉଁଥିପାଇଁ କେବଳ ମାତ୍ର ଜଣେ ବରିଷ୍ଠ କିରାଣୀ ନିରଞ୍ଜନା କାଣ୍ଡଙ୍କୁ ନେଇ ଚାଲିଛି ସମ୍ପୂର୍ଣ ବିଇଓ ଅଫିସ କାର୍ଯ୍ୟ। ଫଳରେ ଅବସରପ୍ରାପ୍ତ ଶିକ୍ଷକଙ୍କ ବିଭିନ୍ନ ଜରୁରୀକାଳୀନ କାଗଜପତ୍ର ପ୍ରସେସିଂ ସମେତ ପେନସନ କାଗଜପତ୍ର ଓ ୫୦୦ରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବେତନ ସମ୍ବନ୍ଧୀୟ ଅନେକ କାମରେ ଅହେତୁକ ବିଳମ୍ଭ ଘଟୁଛି।

ଦରମା ପାଇବାରେ ଅହେତୁକ ବିଳମ୍ବ ଯୋଗୁଁ ଶତାଧିକ ଶିକ୍ଷକ-ଶିକ୍ଷୟିତ୍ରୀ ନିଜର କ୍ଷୋଭ ପ୍ରକାଶ କରିବା ସହିତ ଦରମା ଟିକକ ପାଇବା ପାଇଁ ନିଜେ ଯାଇ ବିଇଓ କାର୍ଯ୍ୟାଳୟରେ ବସି କାଗଜପତ୍ର କାମ କରୁଛନ୍ତି। ତାଙ୍କୁ ସହଯୋଗ କରିବାପାଇଁ ନିଜେ ବିଇଓ ବିପ୍ଳବ କର ମଧ୍ୟ ଅନେକ ସମୟରେ ଶିକ୍ଷକ ମାନଙ୍କ ସହିତ ତଳେ ଦରିରେ ବସି କିରାଣୀଙ୍କ କାମ କରୁଥିବାର ଦେଖିବାକୁ ମିଳୁଛି।

ଏ ସମ୍ବନ୍ଧରେ ବିଇଓ ଶ୍ରୀକରଙ୍କ କହିବା କଥା କି ସେ କିରାଣୀ ନିୟୋଜିତ କରିବାନେଇ ବାରମ୍ବାର ଜିଲ୍ଲା ସ୍ତରୀୟ ମିଟିଙ୍ଗରେ କହିଛନ୍ତି ହେଲେ କିଛି ସୁଫଳ ମିଳିନି। ଆଗକୁ ନିର୍ବାଚନ ଆସୁଥିବାରୁ କିରାଣୀ ପଦ ପୂରଣ ପାଇଁ ଆହୁରି ବିଳମ୍ବ ହୋଇପାରେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି, ଯେଉଁଥିପାଇଁ ସେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦରମା ପାଇବାକୁ ନେଇ ଚିନ୍ତିତ ଅଛନ୍ତି ଓ ଜଣେ କିରାଣୀଙ୍କୁ ସହଯୋଗ କରିବା ପାଇଁ ନିଜେ ମଧ୍ୟ କିରାଣୀ କାମ କରୁଛନ୍ତି। ଯଥାଶୀଘ୍ର ନିୟମିତ ଭାବେ ଆଉ ୨ କିରାଣୀ ସ୍ଥାୟୀ ଭାବେ ନିଯୁକ୍ତି କରାନଗଲେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି କହିଛନ୍ତି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଶରତ ଚନ୍ଦ୍ର ମହାନ୍ତ।

ସମ୍ବନ୍ଧିତ ଖବର