ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବିଇଓ କାର୍ଯ୍ୟାଳୟ ଆକାଉଣ୍ଟାଣ୍ଟଙ୍କ କେଳେଙ୍କାରୀ ଘଟଣାରେ ଆଜି ଭିଜିଲାନ୍ସ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଫେରାର ଥିବା ମହିଳା କର୍ମଚାରୀଙ୍କ ଇରିଗେସନ କଲୋନିସ୍ଥିତ କୋଠାକୁ ସିଲ୍ କରାଯାଇଛି। ସେହିପରି ଡିଇଓଙ୍କ ନିର୍ଦ୍ଦେଶକ୍ରମେ ଆକାଉଣ୍ଟାଣ୍ଟଙ୍କ ଆଲମାରି ଭଙ୍ଗା ଯାଇଥିଲା। ଏଥିରୁ କ୍ୟାସ୍ବୁକ, ଚେକ୍ବୁକ୍ ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଗାଏବ ଥିବା ଜଣାପଡ଼ିଛି। ପୁଲିସ ୬ ଦିନ ପରେ ମଧ୍ୟ ପୁଲିସ ଫେରାର୍ ମହିଳା କର୍ମଚାରୀଙ୍କ ଟେର୍ ନପାଇବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବିଇଓ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆଁର ୩୯ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରି ଫେରାର ହୋଇଯାଇଛନ୍ତି। ତାଙ୍କ ପାଖରେ ଅଫିସ୍ର ଚାବି ମଧ୍ୟ ରହିଯାଇଛି। ଡିଇଓଙ୍କ ନିର୍ଦ୍ଦେଶକ୍ରମେ ଭିଜିଲାନ୍ସ ଉପସ୍ଥିତିରେ ଆଲମାରି ଭଙ୍ଗା ଯାଇ ଛାନ୍ଭିନ୍ କରାଯାଇଥିଲା। ମାତ୍ର, ଏହି ଆଲମାରିରେ କ୍ୟାସ୍ବୁକ୍, ଚେକ୍ବୁକ୍ ଓ ବ୍ୟାଙ୍କ ପ୍ରଦାନ କରିଥିବା କାଗଜପତ୍ର ନଥିବା ଦେଖିବାକୁ ମିଳିଛି। ସେହିଭଳି ବହୁଗୁରୁତ୍ବପୂର୍ଣ୍ଣ କାଗଜପତ୍ର ନେଇ ଯାଇ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିବା ଅନୁମାନ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ସମ୍ପୃକ୍ତ ମହିଳା କର୍ମଚାରୀଙ୍କ ଭବାନୀପାଟଣା ସହରସ୍ଥିତ ଇରିଗେସନ କଲୋନି ଲେନ ନମ୍ବର ୧୫ରେ ଥିବା ୪ ମହଲା କୋଠାକୁ ଭିଜିଲାନ୍ସ ସିଲ୍ କରିଛି। ଷ୍ଟେଟବ୍ୟାଙ୍କ ଓ ଏକ୍ସିସ ବ୍ୟାଙ୍କର କାଗଜପତ୍ର ଆଣି ଭିଜିଲାନ୍ସ ଅନୁସନ୍ଧାନ ଜାରି ରଖିଛି। ଅନ୍ୟପକ୍ଷରେ ଫେରାର ମହିଳା କର୍ମଚାରୀଙ୍କ ଖୋଜ ଖବର ପାଇଁ ଭିଜିଲାନ୍ସ ପକ୍ଷରୁ ଖୋଳତାଡ଼ ମଧ୍ୟ ଆରମ୍ଭ ହୋଇଛି।
ଉଲ୍ଲେଖଯୋଗ୍ୟ ଯେ ଭବାନୀପାଟଣା ସଦର ବ୍ଲକ୍ରେ ୧୭୧ ଜଣ ଏକ୍ସ କ୍ୟାଡର ଶିକ୍ଷକ କାର୍ଯ୍ୟ କରି ଆସୁଛନ୍ତି। ପ୍ରତିମାସ ପିଏଫଏମଏସ ମାଧ୍ୟମରେ ଦରମା ପାଇ ଆସୁଛନ୍ତି। କିନ୍ତୁ ଚଳିତ ଦଶହରା ପୂର୍ବରୁ ସମସ୍ତ ବର୍ଗର ଶିକ୍ଷକଙ୍କ ଦରମା ପ୍ରଦାନ କରାଯାଇ ଥିଲେ ମଧ୍ୟ କେବଳ ଏକ୍ସ କ୍ୟାଡର ଶିକ୍ଷକଙ୍କୁ ଏଥିରୁ ବଞ୍ଚିତ କରାଯାଇଛି। ଗତ ଜୁଲାଇ ୮ ତାରିଖରେ ଡିପିସି ଅଫିସ ସମଗ୍ର ଶିକ୍ଷା, କଳାହାଣ୍ଡି ତରଫରୁ ଜୁନ ମାସରୁ ସେପ୍ଟେମ୍ବର ୪ ମାସ ପାଇଁ ଏକ୍ସ କ୍ୟାଡର ଶିକ୍ଷକଙ୍କ ଦରମା ପ୍ରଦାନ ନିମନ୍ତେ ୨କୋଟି ୨୭ ଲକ୍ଷ ୮୫ ହଜାର ୬୯୬ ଟଙ୍କା ରାଜ୍ୟ ସରକାରଙ୍କ ପକ୍ଷରୁ ଭବାନୀପାଟଣା ବିଇଓଙ୍କ ଆକାଉଣ୍ଟକୁ ପ୍ରଦାନ କରାଯାଇଥିଲା। ୧୨୩ ଜଣଙ୍କ ଦରମା ପ୍ରଦାନ କରାଯାଇନାହିଁ। ମହିଳା ଆକାଉଣ୍ଟାଣ୍ଟ ୩୯ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ନିଜ ବ୍ୟକ୍ତିଗତ ଆକାଉଣ୍ଟଙ୍କୁ ଟ୍ରାନ୍ସଫର କରି ଫେରାର ଥିବା ଯୋଗୁଁ ଏକ୍ସ କ୍ୟାଡର ଶିକ୍ଷକଙ୍କ ଦରମା ପାଇନାହାନ୍ତି। ତେବେ ଶିକ୍ଷକଙ୍କ ଦରମା ତୁରନ୍ତ ପ୍ରଦାନ ନିମନ୍ତେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ଭବାନୀପାଟଣା ଏକ୍ସ କ୍ୟାଡର ଶିକ୍ଷକ ସଂଘ ପକ୍ଷରୁ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/kalahandi-beo-office.jpg)